ଐତିହାସିକ ଓ ସାହିତ୍ୟିକ ପୃଷ୍ଠଭୂମି : ଦୁଇଟି ସଂସ୍କରଣ କାହିଁକି ରହିଛି ?
ଓଡ଼ିଆ ସାହିତ୍ୟ, ଧର୍ମଚେତନା ଓ ସାମାଜିକ ଇତିହାସରେ ଲକ୍ଷ୍ମୀପୁରାଣ କେବଳ ଏକ ବ୍ରତ-ଗୀତିକା ନୁହେଁ; ଏହା ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ଜାତିଭେଦ, ଅସ୍ପୃଶ୍ୟତା ଓ ପୁରୁଷତାନ୍ତ୍ରିକ ଅହଂକାର ବିରୁଦ୍ଧରେ ରଚିତ ଏକ ଅଭୂତପୂର୍ବ ମାନବବାଦୀ କାବ୍ୟ । ପଞ୍ଚଦଶ–ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମସାମୟିକ ପଞ୍ଚସଖା ଯୁଗର ଜ୍ୟେଷ୍ଠ ସାଧକ ମହାକବି ବଳରାମ ଦାସ (ମତ୍ତ ବଳରାମ) ଏହି ଗ୍ରନ୍ଥର ଆଦି ସ୍ରଷ୍ଟା । ସଂସ୍କୃତ ଭାଷାର ଏକାଧିପତ୍ୟ ଓ ରକ୍ଷଣଶୀଳ ସ୍ମାର୍ତ୍ତ-ବ୍ରାହ୍ମଣ୍ୟ ଅନୁଶାସନକୁ ଅତିକ୍ରମ କରି ସାଧାରଣ ଜନତାର କଥିତ ଭାଷାରେ ଜଗମୋହନ ରାମାୟଣ ଓ ବେଦାନ୍ତସାର ଗୁପ୍ତଗୀତା ରଚନା କରିଥିବା ବଳରାମ ଦାସ, ଶ୍ରୀଜଗନ୍ନାଥ ସଂସ୍କୃତିର ଉଦାର ‘କୈବଲ୍ୟ’ ଦର୍ଶନକୁ ଲୋକଜୀବନରେ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ମୀପୁରାଣ (ପ୍ରାଚୀନ ପୋଥି ପରମ୍ପରାରେ ଲକ୍ଷ୍ମୀପୁରାଣ ସୁଆଙ୍ଗ) ରଚନା କରିଥିଲେ ।
ନାମରେ ‘ପୁରାଣ’ ହେଲେ ହେଁ ଏହା ଅଷ୍ଟାଦଶ ସଂସ୍କୃତ ମହାପୁରାଣ ଅନ୍ତର୍ଭୁକ୍ତ ନୁହେଁ; ବରଂ ନାଟକୀୟ କଥୋପକଥନ, ଲୋକହାସ୍ୟ ଓ ତୀବ୍ର ସାମାଜିକ ବ୍ୟଙ୍ଗରେ ପରିପୂର୍ଣ୍ଣ ଏକ ମୌଳିକ ଓଡ଼ିଆ ଆଖ୍ୟାନ-କାବ୍ୟ । ପ୍ରାୟ ଚାରିଶହ ବର୍ଷ ଧରି ଏହା ତାଳପତ୍ର ପୋଥିରେ ଲୁହା ଲେଖନୀ ଦ୍ୱାରା ନକଲ ହୋଇ ଏବଂ ଗ୍ରାମାଞ୍ଚଳରେ ସୁଆଙ୍ଗ ଓ ପାଲା-ଗାୟନ ରୂପେ ପ୍ରଚଳିତ ହୋଇ ରହିଥିଲା । ସେହି ପ୍ରାଚୀନ ତାଳପତ୍ର ପୋଥିମାନଙ୍କରୁ ସଂଗୃହୀତ ୬୬୩ ପଦବିଶିଷ୍ଟ କାବ୍ୟଟି ଏଠାରେ ପ୍ରାଚୀନ ଲକ୍ଷ୍ମୀପୁରାଣ ରୂପେ ଉପସ୍ଥାପିତ ।
ଅନ୍ୟପକ୍ଷରେ, କାଳକ୍ରମେ ମାର୍ଗଶିର ମାସ ଗୁରୁବାରର କୃଷିଭିତ୍ତିକ ମାଣବସା ଓଷା ସହିତ ଏହି କାବ୍ୟଟି ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇଗଲା । ମୌଖିକ ଗାୟନ-ପରମ୍ପରା ଏବଂ ବିଶେଷତଃ ଊନବିଂଶ ଓ ବିଂଶ ଶତାବ୍ଦୀର ଛାପାଖାନା ଯୁଗରେ (କଟକ ଓ ଅନ୍ୟାନ୍ୟ ସହରରୁ ପ୍ରକାଶିତ ‘ଚଟି ବହି’ ମାଧ୍ୟମରେ) ଗୃହିଣୀମାନଙ୍କର ସହଜ ପଠନ, ସୁରବଦ୍ଧ ଗାୟନ ଏବଂ ଓଷା-ପୂଜାର ବିଧିଗତ ଆବଶ୍ୟକତା ଅନୁସାରେ ମୂଳ ପାଠଟିର ଭାଷା, ଛନ୍ଦ ଓ ଗଠନରେ ବ୍ୟାପକ ପରିବର୍ତ୍ତନ ଘଟିଲା । ଏହି ୫୩୦ ପଦବିଶିଷ୍ଟ ଲୋକପ୍ରିୟ ବ୍ରତ-ସଂସ୍କରଣଟି ମାଣବସା ଲକ୍ଷ୍ମୀପୁରାଣ ନାମରେ ଓଡ଼ିଶାର ଘରେ ଘରେ ପରିଚିତ । ଏହି ଦୁଇଟି କାବ୍ୟର ତୁଳନାତ୍ମକ ଅଧ୍ୟୟନ ବିନା ବଳରାମ ଦାସଙ୍କ ମୂଳ ବିପ୍ଳବୀ ଚେତନା ଏବଂ ପରବର୍ତ୍ତୀ କାଳର ସାମାଜିକ ରୂପାନ୍ତରଣକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ଅସମ୍ଭବ ।
ଭାଷାତାତ୍ତ୍ୱିକ ବିବର୍ତ୍ତନ : ପ୍ରାଚୀନ ଶବ୍ଦଭଣ୍ଡାର, କ୍ରିୟାପଦ ଓ ଛନ୍ଦ-ରୀତି
ଦୁଇଟି ସଂସ୍କରଣକୁ ପାଖାପାଖି ରଖି ପଢ଼ିଲେ ପ୍ରଥମେ ଯାହା ପାଠକର ଦୃଷ୍ଟି ଆକର୍ଷଣ କରେ, ତାହା ହେଉଛି ପାଞ୍ଚଶହ ବର୍ଷ ମଧ୍ୟରେ ଓଡ଼ିଆ ଭାଷା ଓ ଛନ୍ଦର ପରିବର୍ତ୍ତନ ।
୧. ଦାଣ୍ଡି ବୃତ୍ତ ବନାମ ଚଉଦ-ଅକ୍ଷରୀ ବୃତ୍ତ
ପ୍ରାଚୀନ ଲକ୍ଷ୍ମୀପୁରାଣ ସାରଳା ଦାସ ଓ ବଳରାମ ଦାସଙ୍କ ଯୁଗର ସ୍ୱାଭାବିକ ଦାଣ୍ଡି ବୃତ୍ତରେ ରଚିତ । ଦାଣ୍ଡି ବୃତ୍ତରେ ପ୍ରତି ପାଦରେ ଅକ୍ଷର-ସଂଖ୍ୟା ସର୍ବଦା ସମାନ ନ ଥାଏ; ଗାୟକର ଶ୍ୱାସ-ପ୍ରବାହ ଓ ନାଟକୀୟ ସ୍ୱର-ତାନ ଅନୁଯାୟୀ କୌଣସି ପାଦ ୧୧–୧୨ ଅକ୍ଷରର ତ କୌଣସି ପାଦ ୧୮–୨୦ ଅକ୍ଷରର ହୋଇଥାଏ; ଯଥା— “ତେଣୁ କରି ନାମ ଦେଲେ ବୋଲାଉ ଯେ ଲକ୍ଷ୍ମୀ ଠାକୁରାଣୀ” (ପ୍ରାଚୀନ. ପଦ ୨) । ପାଦ ପୂରଣ ଓ ଭାବର ପ୍ରବାହ ପାଇଁ ଏଥିରେ ‘ଯେ’, ‘ପୁଣ’, ‘ତହୁଂ’, ‘ଏମନ୍ତେଣ’, ‘ସିନା’, ‘କିନା’ ଆଦି ଅବ୍ୟୟ ବହୁଳ ଭାବେ ବ୍ୟବହୃତ । ବିପରୀତରେ, ମାଣବସା ଲକ୍ଷ୍ମୀପୁରାଣ ଚଉଦ-ଅକ୍ଷରୀ ବୃତ୍ତରେ ରଚିତ, ଯାହା ଘରୋଇ ବ୍ରତ-ପାଠରେ ସହଜରେ ସୁଲଳିତ ସ୍ଵରରେ ଗାନ କରିହୁଏ ।
୨. ଅପ୍ରଚଳିତ ଓ ବିଲୁପ୍ତପ୍ରାୟ ପ୍ରାଚୀନ ଓଡ଼ିଆ ଶବ୍ଦାବଳୀ
ପ୍ରାଚୀନ ଲକ୍ଷ୍ମୀପୁରାଣରେ ପଞ୍ଚଦଶ–ଷୋଡ଼ଶ ଶତାବ୍ଦୀର ଏପରି ଅସଂଖ୍ୟ ଖାଣ୍ଟି ଓଡ଼ିଆ (ତଦ୍ଭବ ଓ ଦେଶଜ) ଶବ୍ଦ ରହିଛି, ଯାହା ଆଜିର ସାଧାରଣ କଥିତ ଏବଂ ମାନକ ଭାଷାରୁ ପ୍ରାୟ ଲୋପ ପାଇଯାଇଛି କିମ୍ବା ଅର୍ଥ ବଦଳାଇଛି :
-
ସାମାଜିକ ଓ ପାରିବାରିକ ଶବ୍ଦ : ‘ଗୁରସ୍ତ’ - ସ୍ୱାମୀ ବା ଗୃହସ୍ଥ (ପ୍ରାଚୀନ. ପଦ ୧୪୯, ୧୬୦), ‘ପ୍ରଥମ ବିଭାଇ’ - ପ୍ରଥମ ବିବାହିତା ପତ୍ନୀ (ପ୍ରାଚୀନ. ପଦ ୮୯, ୧୨୧), ‘ପାଣ୍ଡୋଇ’ - ପାଦୁକା ବା ଜୋତା (ପ୍ରାଚୀନ. ପଦ ୯୧, ୨୧୦), ‘ଅନାସ୍ତ’ - ଅନାଥ ବା ଆଶ୍ରୟହୀନ (ପ୍ରାଚୀନ. ପଦ ୧୪୬, ୧୭୫ — ଯାହା ନୂତନ କାବ୍ୟରେ ‘ଅନାଥ ଅରକ୍ଷ’ ହୋଇଛି), ‘ପଡ଼ି’ - ଭରଣପୋଷଣ ପାଇଁ ଦୈନିକ ରସଦ ବା ବର୍ତ୍ତନ (ପ୍ରାଚୀନ. ପଦ ୧୪୪–୧୪୫), ‘ଖୁଂଟି ଯେ ବାଞ୍ଝ’ - ଏକାକିନୀ ସ୍ୱାଭିମାନିନୀ ନାରୀ ଭାବେ କାଳଯାପନ (ପ୍ରାଚୀନ. ପଦ ୧୮୬), ‘କୁଟୁମ୍ବଗଡ଼ାକୀ’ - କୁଟୁମ୍ବ-ଉଜାଡ଼କାରୀ ବା ପ୍ରଚଣ୍ଡ ଭୋଜନକାରୀ (ପ୍ରାଚୀନ. ପଦ ୫୭୭ — ନୂତନ କାବ୍ୟରେ ‘କୁଟୁମ୍ଭ ମାରିବା ପ୍ରାୟ’), ‘ସାହୁ’ - ଧନୀ ମହାଜନ (ପ୍ରାଚୀନ. ପଦ ୩୯୮), ‘ଭଗାରି’ - ଶତ୍ରୁ ବା ଦାଉ ସାଧୁଥିବା ପ୍ରତିପକ୍ଷ (ପ୍ରାଚୀନ. ପଦ ୩୫୨), ‘ଦୋରିହା / ଦୋରେହା’ - ଦ୍ରୋହୀ (ପ୍ରାଚୀନ. ପଦ ୩୩୫, ୫୯୬) ଏବଂ ‘ଖେଉଡ଼’ - ଥଟ୍ଟା ବା ପରିହାସ / ଚପଳତା (ପ୍ରାଚୀନ. ପଦ ୬୦୫) ।
-
ଜାତି-ପରିଚୟମୂଳକ ପ୍ରାଚୀନ ଶବ୍ଦ : ମହାଭାରତର ବିଦୁରଙ୍କ ପାଇଁ ‘ବିଶୁନୁପାତିଆ’ - ବ୍ରାହ୍ମଣ ପିତା ଓ ଶୂଦ୍ରା ମାତାଙ୍କ ସନ୍ତାନ (ପ୍ରାଚୀନ. ପଦ ୧୩୬) ଏବଂ ଭକ୍ତ କବୀରଙ୍କ ପାଇଁ ‘ଭୁଡୁକ’ - ତନ୍ତୀ ବା ବୟନଜୀବୀ ଜାତି ସୂଚକ (ପ୍ରାଚୀନ. ପଦ ୧୩୮) ପରି ଦୁର୍ଲଭ ସାମାଜିକ ଶବ୍ଦ ବ୍ୟବହୃତ ହୋଇଛି ।
-
ଗୃହ-ଉପକରଣ, ବସ୍ତ୍ର ଓ ଅଳଙ୍କାର : ‘ହାନ୍ଦୋଳା’ - ପାଲିଙ୍କି ବା ଦୋଳା (ପ୍ରାଚୀନ. ପଦ ୨୭), ‘ଖରକଇ’ - ଝାଡ଼ୁ କରି ଓଳାଇବା (ପ୍ରାଚୀନ. ପଦ ୩୫), ‘ସୁସଂଚ’ - ସୁନ୍ଦର ଲିପାପୋଛା (ପ୍ରାଚୀନ. ପଦ ୩୮), ‘ମରାଇ’ - ଧାନ ରଖିବା ବଡ଼ ଅମାର ବା କୋଠି (ପ୍ରାଚୀନ. ପଦ ୪୮, ୨୪୩), ‘ଗନ୍ତାଘର’ ଓ ‘ସରଘର’ - ରତ୍ନ-କୋଷାଗାର ଓ ଭଣ୍ଡାରଗୃହ (ପ୍ରାଚୀନ. ପଦ ୨୫୨, ୬୪୯), ‘ବନକି’ - ରୋଷେଇ ସରଞ୍ଜାମ (ପ୍ରାଚୀନ. ପଦ ୨୪୦), ‘ଲୋଚାୟେ’ - ପଲ ବା ସମୂହ (ପ୍ରାଚୀନ. ପଦ ୭୫); ପ୍ରାଚୀନ ପାଟବସ୍ତ୍ର ଯଥା— ‘ଇନ୍ଦ୍ରଗୋବିନ୍ଦ କାଂଚୋଲି’ (ପ୍ରାଚୀନ. ପଦ ୧୫୪), ‘କାଶୀବେତ’, ‘ଗୌରୀନେତ’, ‘ନିରଞ୍ଜନପାଟ’ (ପ୍ରାଚୀନ. ପଦ ୨୫୫), ‘ହଡ଼ପଲାଗି ପାଟ’ (ପ୍ରାଚୀନ. ପଦ ୫୪୪); ଏବଂ ପ୍ରାଚୀନ ଅଳଙ୍କାର ଯଥା— ‘ରତ୍ନ ଓଡ଼ିଆଣି’ - ଅଣ୍ଟାବନ୍ଧ ବା ମେଖଳା (ପ୍ରାଚୀନ. ପଦ ୨୫), ‘ଦୋସରି ଚିନାମାଳ’ (ପ୍ରାଚୀନ. ପଦ ୧୫୬), ‘ପଂଚସରି କାପ’ ଓ ‘ସୋବର୍ଣ୍ଣ ଓଳମା’ - କର୍ଣ୍ଣ ଓ ନାସିକା ଆଭୂଷଣ (ପ୍ରାଚୀନ. ପଦ ୪୯୮–୪୯୯) ।
-
ବିସ୍ମୃତ ପିଠାପଣା ଓ ମୁଦ୍ରା-ମାପ : ପ୍ରାଚୀନ ଲକ୍ଷ୍ମୀପୁରାଣର ରନ୍ଧନ-ବର୍ଣ୍ଣନା (ପ୍ରାଚୀନ. ପଦ ୫୦୬–୫୧୬) ମଧ୍ୟଯୁଗୀୟ ଓଡ଼ିଆ ଖାଦ୍ୟ-ସଂସ୍କୃତିର ଏକ ଅମୂଲ୍ୟ ଦଲିଲ । ଏଥିରେ ‘ନାଡ଼ି ଲୁଳି’, ‘ଖଣ୍ଡଖଜା’, ‘ଦାନ୍ତିଆ’, ‘କାନ୍ତିଆ’, ‘ମରିଚ ଭୁଲି’, ‘ହଂସିକେଳୀ’, ‘ଡାଳିମ୍ବ ପିଠା’, ‘ମୁଖୁଡ଼ି’, ‘ଦୁଧପନି’, ‘ଘୃତପନି’, ‘ଚକୋଳି’, ‘ଇଣ୍ଡୋରି’ ପରି ଅନେକ ପ୍ରାଚୀନ ବ୍ୟଞ୍ଜନ ଓ ପିଠାର ନାମ ମିଳେ, ଯାହା ମାଣବସା ସଂସ୍କରଣରେ ପରିଚିତ ଆଳୁ, ସାରୁ, ବାଇଗଣ, ଲେଉଟିଆ ଶାଗ, ଆମ୍ବିଳ ଓ ମଞ୍ଜା ତିଅଣ (ମାଣବସା. ପଦ ୩୯୫–୩୯୬, ୪୨୦-୪୨୯) ଦ୍ୱାରା ପ୍ରତିସ୍ଥାପିତ ହୋଇଛି । ସେହିପରି ପ୍ରାଚୀନ ମୁଦ୍ରା ଓ ଗଣନା ଏକକ ‘କଉଡ଼ି କଡ଼ାଏ’ (ପ୍ରାଚୀନ. ପଦ ୨୮୦), ‘ଛ ବୋଡ଼ି ମୁକୁତା’ (ପ୍ରାଚୀନ. ପଦ ୧୯୪) ଓ ‘ଷାଠିଏ କାହାଣ’ ମୂଲ୍ୟର ପୋଡ଼ପିଠା (ପ୍ରାଚୀନ. ପଦ ୫୧୫) ତତ୍କାଳୀନ ଅର୍ଥନୈତିକ ବ୍ୟବହାରକୁ ସୂଚାଏ ।
-
ପ୍ରାଚୀନ କ୍ରିୟାପଦ ଓ ବିଲୁପ୍ତ ଶବ୍ଦମାନ : ‘ଦିଲା/ଦିଲେ’ - ଦେଲା/ଦେଲେ, ‘ଅଇଲା/ଅଇଲେ’ - ଆସିଲା/ଆସିଲେ, ‘ପୁଛଇ’ - ପଚାରଇ, ‘ଭର୍ଛିଲ’ - ଭର୍ତ୍ସନା କଲ (ପ୍ରାଚୀନ. ପଦ ୧୩୩), ‘ରୁହାଇ’ - ଅଟକାଇ (ପ୍ରାଚୀନ. ପଦ ୪୨୪), ‘ଉଭାଇଣ ଗଲା / ମିଳାଇଲା’ - ଅନ୍ତର୍ଦ୍ଧାନ ହେଲା (ପ୍ରାଚୀନ. ପଦ ୩୩୪, ୩୩୯), ‘ବେଉଂସି’ - କୌଶଳରେ ହାତେଇ ନେବା (ପ୍ରାଚୀନ. ପଦ ୫୬୫) ଏବଂ ଉତ୍ତମ ପୁରୁଷ ବହୁବଚନରେ ପ୍ରାଚୀନ ‘-ମା’ ବିଭକ୍ତି (‘ଆଣିମା’, ‘ବାନ୍ଧିମା’, ‘ଶୁଣିମା’, ପ୍ରାଚୀନ. ପଦ ୩୮୦, ୬୫୨) ଏହାର ଭାଷାତାତ୍ତ୍ୱିକ ପ୍ରାଚୀନତାର ପ୍ରମାଣ । ବିଶେଷ ଉଲ୍ଲେଖଯୋଗ୍ୟ ହେଉଛି ଦେବୀ ଲକ୍ଷ୍ମୀଙ୍କ ମୁଖରେ ବାରମ୍ବାର ବ୍ୟବହୃତ ପ୍ରାଚୀନ ଆକୁଳ ସମ୍ବୋଧନ— “ତୋର ପରିମୁଣ୍ଡା ଯାଇ” (କୁବେର, ବାସୁକୀ, ପବନ ଓ ବରୁଣଙ୍କ ପ୍ରତି, ପ୍ରାଚୀନ. ପଦ ୧୮୮, ୨୭୧, ୩୪୮, ୫୨୮), ଅର୍ଥାତ୍ ‘ତୋ ଆଗରେ ମୁଣ୍ଡ ପାତି ଅନୁରୋଧ କରୁଛି’— ଯାହା ଆଧୁନିକ ଓଡ଼ିଆରୁ ସମ୍ପୂର୍ଣ୍ଣ ବିଲୁପ୍ତ ।
ତାଳପତ୍ର ଲିପି-ପରମ୍ପରା ଓ ବନାନଗତ ଅସଙ୍ଗତି
ପ୍ରାଚୀନ ଲକ୍ଷ୍ମୀପୁରାଣ ପଢ଼ିବା ବେଳେ ଜଣେ ସଚେତନ ପାଠକ ଲକ୍ଷ୍ୟ କରିବେ ଯେ ଏଥିରେ ଶବ୍ଦମାନଙ୍କର ବନାନ କେବଳ ଆଧୁନିକ ମାନକ ଓଡ଼ିଆଠାରୁ ଭିନ୍ନ ନୁହେଁ, ବରଂ ସ୍ୱୟଂ ସେହି ଗୋଟିଏ ପୋଥି ଭିତରେ ମଧ୍ୟ ଗୋଟିଏ ଶବ୍ଦ ଏକାଧିକ ଭିନ୍ନ ବନାନରେ ଲେଖାଯାଇଛି । ଏହାର ପଛରେ ମୁଦ୍ରଣ-ପୂର୍ବ ଯୁଗର ତାଳପତ୍ର ଲିପି-ବିଜ୍ଞାନ, କଥିତ ଉଚ୍ଚାରଣ ଓ ଛନ୍ଦଗତ ଆବଶ୍ୟକତା କାର୍ଯ୍ୟ କରୁଥିଲା :
୧. ଗୋଟିଏ କାବ୍ୟ ମଧ୍ୟରେ ଆଭ୍ୟନ୍ତରୀଣ ବନାନ-ବୈଚିତ୍ର୍ୟ
ଅଭିଧାନ-ଆଧାରିତ ମାନକୀକରଣ (standardization) ଊନବିଂଶ ଶତାବ୍ଦୀର ମୁଦ୍ରଣ ଯୁଗର ଫଳ । ତାଳପତ୍ର ଯୁଗରେ ଲିପିକାରମାନେ ଶ୍ରୁତି ଓ ଗାନର ମାତ୍ରା ଅନୁସାରେ ଶବ୍ଦ ଲେଖୁଥିବାରୁ ଗୋଟିଏ ଶବ୍ଦର ନାନା ରୂପ ଗୋଟିଏ ପୋଥିରେ ଦେଖିବାକୁ ମିଳେ :
-
‘ସ୍ନାନ’ ଶବ୍ଦର ଚାରିଟି ରୂପ : ଗୋଟିଏ ପାଠ ଭିତରେ ମାନକ ‘ସ୍ନାନ’ (ପ୍ରାଚୀନ. ପଦ ୫୩୭, ୫୪୦) ସହିତ ‘ସ୍ରାହାନ’ (ପ୍ରାଚୀନ. ପଦ ୪୧, ୬୮, ୫୦୩), ‘ସ୍ରାହନ’ (ପ୍ରାଚୀନ. ପଦ ୧୧୨) ଏବଂ ‘ସିନାନ’ (ପ୍ରାଚୀନ. ପଦ ୩୩୧) ବ୍ୟବହୃତ ହୋଇଛି ।
-
‘ପରମଲକ୍ଷ୍ମୀ’ ଓ ‘ପ୍ରମଲକ୍ଷ୍ମୀ’ : ଛନ୍ଦର ଗତି ଅନୁଯାୟୀ କେଉଁଠି ପାଞ୍ଚ ଅକ୍ଷର ବିଶିଷ୍ଟ ‘ପରମଲକ୍ଷ୍ମୀ’ (ପ୍ରାଚୀନ. ପଦ ୧, ୧୭, ୨୯) ତ କେଉଁଠି ଚାରି ଅକ୍ଷର ବିଶିଷ୍ଟ ସଂକୁଚିତ ରୂପ ‘ପ୍ରମଲକ୍ଷ୍ମୀ’ (ପ୍ରାଚୀନ. ପଦ ୧୩, ୮୨, ୧୭୦, ୪୬୪) ଲେଖାଯାଇଛି ।
-
‘ଭାର୍ଯ୍ୟା’ ଓ ‘ସ୍ତ୍ରୀ’ର ଏକାଧିକ ବନାନ : ‘ଭାରିଯା’ (ପ୍ରାଚୀନ. ପଦ ୭୪, ୭୭), ‘ଭାରିଜା’ (ପ୍ରାଚୀନ. ପଦ ୬୭, ୭୨) ଓ ‘ଭାର୍ଯ୍ୟା’ (ପ୍ରାଚୀନ. ପଦ ୨୧୧) — ତିନିଟିଯାକ ରୂପ ମିଳେ; ସେହିପରି ‘ସ୍ତିରୀ’ (ପ୍ରାଚୀନ. ପଦ ୫୬, ୫୯୮) ଓ ‘ସ୍ତୀରିୟେ’ (ପ୍ରାଚୀନ. ପଦ ୧୬୧) ମଧ୍ୟ ରହିଛି ।
-
ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଦ୍ୱୈତ ରୂପ : ‘ଅନ୍ନ’ (ପ୍ରାଚୀନ. ପଦ ୧୦, ୧୬୭), ‘ଅର୍ଣ୍ଣ’ (ପ୍ରାଚୀନ. ପଦ ୧୦୪, ୧୬୩, ୩୩୩) ଓ ‘ଅନ’ (ପ୍ରାଚୀନ. ପଦ ୯୭); ‘ସୁବର୍ଣ୍ଣ’ (ପ୍ରାଚୀନ. ପଦ ୨୬) ଓ ‘ସୋବର୍ଣ୍ଣ’ (ପ୍ରାଚୀନ. ପଦ ୧୫୩, ୨୩୦); ‘ସମୁଦ୍ର’ (ପ୍ରାଚୀନ. ପଦ ୪୧୬) ଓ ‘ସମୋଦ୍ର’ (ପ୍ରାଚୀନ. ପଦ ୨, ୮୫); ‘ସିନ୍ଧୁ’ (ପ୍ରାଚୀନ. ପଦ ୮୦) ଓ ‘ସିନ୍ଦୁ’ (ପ୍ରାଚୀନ. ପଦ ୧୭୭); ‘କୁବେର’ (ପ୍ରାଚୀନ. ପଦ ୬୫୩) ଓ ‘କୋବେର’ (ପ୍ରାଚୀନ. ପଦ ୧୮୭); ‘ସାପ୍ୟ’ (ପ୍ରାଚୀନ. ପଦ ୩୪) ଓ ‘ଶାପ୍ୟ’ (ପ୍ରାଚୀନ. ପଦ ୧୬୨ — ଆଧୁନିକ ଶାପ); ‘ଆଜ୍ଞା’ (ପ୍ରାଚୀନ. ପଦ ୪୧୮) ଓ ‘ଆଗ୍ୟାଂ’ (ପ୍ରାଚୀନ. ପଦ ୧୮, ୨୦); ‘କୋଣାରଖ’ (ପ୍ରାଚୀନ. ପଦ ୧୯୨, ୪୧୬) ଓ ‘କୋଣାରେଖ’ (ପ୍ରାଚୀନ. ପଦ ୬୩୮ — ଆଧୁନିକ କୋଣାର୍କ); ‘ଅଷ୍ଟ ବେନ୍ତାଳ’ (ପ୍ରାଚୀନ. ପଦ ୨୨୬) ଓ ‘ଅଷ୍ଟବେତାଳ’ (ପ୍ରାଚୀନ. ପଦ ୬୪୮); ‘କପୂର’ (ପ୍ରାଚୀନ. ପଦ ୨୧୬) ଓ ‘କ୍ରପୂର’ (ପ୍ରାଚୀନ. ପଦ ୫୧୨); ତଥା ‘କୀରତି’ (ପ୍ରାଚୀନ. ପଦ ୬୨୬) ଓ ‘କ୍ରିତି’ (ପ୍ରାଚୀନ. ପଦ ୬୨୯) ।
୨. ଆଧୁନିକ ବନାନଠାରୁ ପାର୍ଥକ୍ୟର ଲିପିତାତ୍ତ୍ୱିକ କାରଣ
-
ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ୱାର ଓ ସ୍ଥାନାନ୍ତରିତ ଅନୁସ୍ୱାର : ଶୁଷ୍କ ତାଳପତ୍ର ଉପରେ ଲୁହା ଲେଖନୀରେ ବକ୍ର ଚନ୍ଦ୍ରବିନ୍ଦୁ (ଁ) ଖୋଦେଇ କଲେ ପତ୍ରର ଶିରା ଚିରିଯିବାର ଆଶଙ୍କା ଥିବାରୁ ପ୍ରାଚୀନ ଲିପିକାରମାନେ ଗୋଲାକାର ଅନୁସ୍ୱାର (ଂ) ବ୍ୟବହାର କରୁଥିଲେ— ଯଥା : ‘ମୁଂ’ (ମୁଁ), ‘ନାହିଂ’ (ନାହିଁ), ‘କାହିଂ’ (କାହିଁ), ‘ତହିଂ’ (ତହିଁ), ‘ଯେଉଂ’ (ଯେଉଁ), ‘ଗୋସାଇଂ’ (ଗୋସାଇଁ) । କେତେକ ସ୍ଥଳରେ ଅନୁସ୍ୱାରଟି ପରବର୍ତ୍ତୀ ବ୍ୟଞ୍ଜନ ଉପରେ ବସିଛି, ଯଥା— ‘ସିଘଂଦ୍ୱାରେ’ (ସିଂହଦ୍ୱାରେ, ପ୍ରାଚୀନ. ପଦ ୪୨୪, ୪୭୯), ‘ସଘାଂରିବି’ - ସଂହାରିବି (ପ୍ରାଚୀନ. ପଦ ୬୪୦) ଓ ‘ସପଂଦ’ - ସମ୍ପଦ (ପ୍ରାଚୀନ. ପଦ ୩୯୫) ।
-
ଦ୍ୱିତ୍ୱ ବ୍ୟଞ୍ଜନର ସରଳୀକରଣ : କଥିତ ଉଚ୍ଚାରଣ ଓ ଲେଖନୀ-ସୌକର୍ଯ୍ୟ ହେତୁ ଯୁକ୍ତ-ଦ୍ୱିତ୍ୱ ଅକ୍ଷରଗୁଡ଼ିକ ଏକକ ବ୍ୟଞ୍ଜନରେ ଲେଖାଯାଇଛି— ‘ଜଗନାଥ’ (ଜଗନ୍ନାଥ), ‘ପ୍ରସନ’ (ପ୍ରସନ୍ନ), ‘ସନିଧେ’ (ସନ୍ନିଧେ), ‘ଉତମ’ (ଉତ୍ତମ), ‘ଉତର’ (ଉତ୍ତର), ‘ମୃତିକା’ (ମୃତ୍ତିକା), ‘ବୁଧି’ (ବୁଦ୍ଧି), ‘ସିଧ’ (ସିଦ୍ଧ) ।
-
ଆଦ୍ୟ ‘ଏ’ ସ୍ଥାନରେ ‘ୟେ’ ଏବଂ ଅର୍ଦ୍ଧ-ତତ୍ସମ ଶବ୍ଦ : ଓଡ଼ିଆ କଥିତ ଉଚ୍ଚାରଣରେ ଶବ୍ଦାଦ୍ୟ ‘ଏ’ ପ୍ରାୟତଃ ‘ୟେ’ ଭଳି ଉଚ୍ଚାରିତ ହେଉଥିବାରୁ ପୋଥିରେ ‘ୟେକ’, ‘ୟେବେ’, ‘ୟେତେ’, ‘ୟେମନ୍ତ’ ଲେଖାଯାଇଛି । ସେହିପରି କଠିନ ସଂସ୍କୃତ ଯୁକ୍ତାକ୍ଷରକୁ ଭାଙ୍ଗି ଲୋକମୁଖର ସହଜ ରୂପ ଦିଆଯାଇଛି— ‘ତ୍ରଇଲୋକ୍ୟ’ (ତ୍ରୈଲୋକ୍ୟ), ‘ବଇତରଣୀ’ (ବୈତରଣୀ), ‘ଶରଧା’ (ଶ୍ରଦ୍ଧା), ‘ଭଗତି’ (ଭକ୍ତି), ‘ପରବେଶ’ (ପ୍ରବେଶ), ‘ସୁମରଣା’ (ସ୍ମରଣ), ‘ବସ୍ର’ (ବସ୍ତ୍ର), ‘ସୋଭଦ୍ରା’ (ସୁଭଦ୍ରା), ‘ଶଂକ୍ରିସେଣ’ (ଶଙ୍କର୍ଷଣ - ପ୍ରାଚୀନ. ପଦ ୯୩), ‘ଅପଛରୀ’ (ଅପ୍ସରୀ - ପ୍ରାଚୀନ. ପଦ ୬୫୩) ଓ ‘ସ୍ୱର୍ଗ ମଂଚ ପାତାଳ’ (ମର୍ତ୍ତ୍ୟ ସ୍ଥାନରେ ‘ମଂଚ’ - ପ୍ରାଚୀନ. ପଦ ୪୩୬, ୬୪୦) ।
-
ଲିପିକାରଙ୍କ ଅତି-ସଂସ୍କୃତୀକରଣ : କେତେକ ସ୍ଥାନରେ ସାଧାରଣ ଶବ୍ଦକୁ ଅଧିକ ଶାସ୍ତ୍ରୀୟ ଦେଖାଇବା ଚେଷ୍ଟାରେ ‘ଶରୀର’ ସ୍ଥାନରେ ‘ଶ୍ୱରୀର’ (ପ୍ରାଚୀନ. ପଦ ୨୮୮, ୩୬୪), ‘ଅନ୍ନ’ ସ୍ଥାନରେ ‘ଅର୍ଣ୍ଣ’, ‘ଯୁଦ୍ଧ’ ସ୍ଥାନରେ ‘ଯୁଧ୍ୟ’ (ପ୍ରାଚୀନ. ପଦ ୨୪୫) ଓ ‘ଶୁଦ୍ଧ’ ସ୍ଥାନରେ ‘ଶୁଧ୍ୟ’ (ପ୍ରାଚୀନ. ପଦ ୧୦୪) ଲେଖାଯାଇଛି । ଏପରିକି ମୁଦ୍ରିତ ମାଣବସା ସଂସ୍କରଣରେ ମଧ୍ୟ ‘ଯାଣିଲା’ (ମାଣବସା. ପଦ ୩୪୨), ‘ଦୋଷରୀ’ (ମାଣବସା. ପଦ ୨୩୪) ଓ ‘ନଇବେଦ୍ୟ’ ଭଳି କେତେକ ପୁରାତନ ବନାନ-ଚିହ୍ନ ରହିଯାଇଛି ।
କଥାବସ୍ତୁ ଓ ଘଟଣାକ୍ରମର ସୂକ୍ଷ୍ମ ତଥା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ
ଉଭୟ ସଂସ୍କରଣର ମୂଳ ମର୍ମ— ଶ୍ରିୟା ଚଣ୍ଡାଳୁଣୀଙ୍କ ଭକ୍ତି, ବଳଭଦ୍ରଙ୍କ ଜାତି-ଅହଂକାର ଯୋଗୁଁ ଲକ୍ଷ୍ମୀଙ୍କ ନିର୍ବାସନ, ଦ୍ୱାଦଶ ବର୍ଷର ଦାରିଦ୍ର୍ୟ ଓ ମହାପ୍ରସାଦରେ ଜାତିଭେଦ ଉଚ୍ଛେଦ— ସମାନ ହେଲେ ହେଁ, ଘଟଣାକ୍ରମ ଓ ଚରିତ୍ର-ସଂଯୋଜନାରେ ଦୁଇଟି ପାଠ ମଧ୍ୟରେ ଅନେକ ଚମତ୍କାର ପାର୍ଥକ୍ୟ ରହିଛି :
୧. ଉପକ୍ରମଣିକା ଓ ବ୍ରତର କାଳ-ନିର୍ଣ୍ଣୟ (ଇନ୍ଦ୍ର–ବୃତ୍ରାସୁର ବନାମ ନାରଦ–ପରାଶର)
-
ପ୍ରାଚୀନ କାବ୍ୟରେ କଥାର ଆରମ୍ଭ ମର୍ତ୍ତ୍ୟର କୌଣସି ଗ୍ରାମରେ ନୁହେଁ, ବରଂ ଦେବଲୋକର ବିପର୍ଯ୍ୟୟରୁ ହୁଏ (ପ୍ରାଚୀନ. ପଦ ୫–୧୬) । ବୃତ୍ରାସୁର ଭୟରେ ରାଜ୍ୟଭ୍ରଷ୍ଟ ଇନ୍ଦ୍ର ମେରୁ ପର୍ବତର ଗୁମ୍ଫାରେ ଲୁଚିଥିବା ବେଳେ ବାଳଶିଷ୍ୟଙ୍କ ସହ ମହର୍ଷି ନାରଦ ସେଠାରେ ପହଞ୍ଚନ୍ତି । ନାରଦ କହନ୍ତି ଯେ ଇନ୍ଦ୍ର ଗର୍ବବଶତଃ ‘ଗୁରୁ ପଞ୍ଚମୀ ବ୍ରତ’ ନ କରିବାରୁ ଲକ୍ଷ୍ମୀଛଡ଼ା ହୋଇଛନ୍ତି, ଏବଂ ଉଦାହରଣ ସ୍ୱରୂପ ‘ମେଷ ଶୁକ୍ଳ ଦଶମୀ ଗୁରୁବାର’ (ଲକ୍ଷ୍ମୀ-ନାରାୟଣ ବା ସୁଦଶା ବ୍ରତ ଦିବସ, ପ୍ରାଚୀନ. ପଦ ୧୬ ଓ ୬୬୧) ଦିନ ସ୍ୱୟଂ ଜଗନ୍ନାଥ କିପରି ଲକ୍ଷ୍ମୀଛଡ଼ା ହୋଇଥିଲେ ସେ କଥା ଶୁଣାନ୍ତି । କାବ୍ୟ ଶେଷରେ ଇନ୍ଦ୍ର ଗୁରୁ ପଞ୍ଚମୀ ବ୍ରତ କରି ପୁନର୍ବାର ସ୍ୱର୍ଗାସନ ଫେରିପାଆନ୍ତି (ପ୍ରାଚୀନ. ପଦ ୬୫୬–୬୫୯) । ଅର୍ଥାତ୍ ପ୍ରାଚୀନ କାବ୍ୟରେ ‘ମାର୍ଗଶିର ମାସ’ କିମ୍ବା ‘ଧାନ-ମାଣ ବସାଇବା’ର କୌଣସି ଉଲ୍ଲେଖ ନାହିଁ !
-
ମାଣବସା ସଂସ୍କରଣରେ ଇନ୍ଦ୍ର ଓ ବୃତ୍ରାସୁର ପ୍ରସଙ୍ଗ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛି । ତା’ ବଦଳରେ ନାରଦ ଓ ପରାଶର ମୁନି ମାର୍ଗଶିର ମାସ ଗୁରୁବାର ଦିନ ଏକ ଗ୍ରାମରେ ପ୍ରବେଶ କରି ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସଭିଙ୍କ ଘରେ ହୁଳହୁଳି, ଝୋଟି-ଚିତା ଓ ‘ଧାନ ମାଣିକା ଗୁରୁବାର’ ଉତ୍ସବ ଦେଖନ୍ତି ଏବଂ ପରାଶର ମୁନି ନାରଦଙ୍କୁ ଏହି ପୁରାତନ ଆଖ୍ୟାନ ଶୁଣାନ୍ତି (ମାଣବସା. ପଦ ୯–୨୯) ।
୨. ନଗ୍ର ଭ୍ରମଣ ଓ ‘ସାଧବାଣୀ’ ଉପାଖ୍ୟାନର ସଂଯୋଜନ
-
ପ୍ରାଚୀନ କାବ୍ୟରେ ମହାଲକ୍ଷ୍ମୀ ‘ରତ୍ନ ହାନ୍ଦୋଳା’ରେ ବସି ଷାଠିଏ ସହସ୍ର ଘର ବିଶିଷ୍ଟ ଦ୍ୱାରାବତୀ ନଗ୍ର ଭ୍ରମଣ କରନ୍ତି (ପ୍ରାଚୀନ. ପଦ ୨୭–୩୪) । ନଗରର ସ୍ତ୍ରୀମାନେ ଅଳସରେ ଶୋଇଥିବା ଓ ସୁଦଶା ବ୍ରତକୁ ପରିହାସ କରୁଥିବା ଦେଖି ସେ ସିଧା ନଗ୍ର ବାହାରେ ଗୁଣ୍ଡିଚା ନବର ଓଳାଉଥିବା ଶ୍ରିୟା ଚଣ୍ଡାଳୁଣୀଙ୍କ ଦ୍ୱାରରେ ପହଞ୍ଚନ୍ତି ଏବଂ ଶ୍ରିୟାଙ୍କୁ ହିଁ ସଂକ୍ଷେପରେ, ମାତ୍ର ୯ଟି ପଦରେ (ପ୍ରାଚୀନ. ପଦ ୫୬–୬୪) ଗୁରୁବାରର ନିୟମ କହନ୍ତି । ଏଥିରେ ସାଧବାଣୀ ଚରିତ୍ର ଆଦୌ ନାହିଁ ।
-
ମାଣବସା ସଂସ୍କରଣରେ ଲକ୍ଷ୍ମୀ ‘ବୁଢ଼ୀ ବ୍ରାହ୍ମଣୀ’ ବେଶ ଧରି ପ୍ରଥମେ ଜଣେ ସାଧବାଣୀଙ୍କ ଦ୍ୱାରରେ ଉଭା ହୁଅନ୍ତି (ମାଣବସା. ପଦ ୩୮–୧୨୬) । ଦୀର୍ଘ ୮୮ଟି ପଦ ଧରି ସେ ସାଧବାଣୀଙ୍କୁ ନୂଆ ମାଣ, ଶୁକ୍ଳ ଧାନ, ହଳଦୀ-ପାଣି ଧୁଆ ତିନି ଗୁଆ, ଆଖୁ-ମୂଳା-କଦଳୀ ଭୋଗ, ସୁଦଶା ବ୍ରତର ଦଶଖିଅ ଡୋର ଓ ଦଶ ମଣ୍ଡା ପିଠା, ଯାହା ବିବାହିତା ଝିଅକୁ ମଧ୍ୟ ନ ଦେବାର ନିୟମ (ମାଣବସା. ପଦ ୬୯), ଏବଂ ଦୈନନ୍ଦିନ ଗୃହ-ଆଚରଣର ବିସ୍ତୃତ ବିଧାନ ଶିକ୍ଷା ଦିଅନ୍ତି ।
୩. ବିବାହ-ବାସୀ କଉଡ଼ି ଖେଳ ଓ ଜାତି-ତର୍କର ପୌରାଣିକ ଦୃଷ୍ଟାନ୍ତ
-
ଲକ୍ଷ୍ମୀଙ୍କୁ ‘ଜାତିରେ ଭରିବା’ ପାଇଁ ପ୍ରାଚୀନ କାବ୍ୟରେ ଜଗନ୍ନାଥ ସ୍ୱର୍ଗର ଦେବଗଣଙ୍କୁ ଡାକି ଭୋଜି ଦେବାର ପ୍ରସ୍ତାବ ଦିଅନ୍ତି (ପ୍ରାଚୀନ. ପଦ ୮୧–୮୨), କିନ୍ତୁ ମାଣବସା ସଂସ୍କରଣରେରେ ତତ୍କାଳୀନ ସାମାଜିକ ଜାତି-ଦଣ୍ଡ ପ୍ରଥା ଅନୁଯାୟୀ ‘ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା’ କଥା କହନ୍ତି (ମାଣବସା. ପଦ ୧୬୫) ।
-
କେବଳ ମାଣବସା ସଂସ୍କରଣରେ (ମାଣବସା. ପଦ ୧୯୮–୨୦୫) ଏକ ଅତି ମଧୁର ଦାମ୍ପତ୍ୟ-ସ୍ମୃତି ଯୋଡ଼ି ହୋଇଛି : ଲକ୍ଷ୍ମୀ ମନେ ପକାଇ ଦିଅନ୍ତି ଯେ ବିବାହ-ବାସୀ ଦିନ ଜୁଆ (ସାତକଡ଼ା କଉଡ଼ି) ଖେଳ ବେଳେ ସେ ସୁବର୍ଣ୍ଣ କଉଡ଼ିଟିକୁ ମୁଠାରେ ଜାକି ଧରିଥିଲେ ଏବଂ ଜଗନ୍ନାଥ ତାହା ଛଡ଼ାଇ ନ ପାରି ତାଙ୍କୁ ପ୍ରତି ଗୁରୁବାର କୀଟଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଭିଙ୍କ ଘର ଚରଚିବାର ବର ଦେଇଥିଲେ ।
-
ପୁଣି, ଦୁଇ ଭାଇଙ୍କର ନିଜ ଜାତି-କୁଳର ‘ବିଟାଳ’ ଇତିହାସ ଉଘାଡ଼ିବା ବେଳେ ପ୍ରାଚୀନ କାବ୍ୟରେ ଲକ୍ଷ୍ମୀ ବିଦୁର (ବିଶୁନୁପାତିଆ), ଭୁଡୁକ ଜାତୀୟ ରାମ-କବୀର, ବସୁ ଶବର ଓ ନନ୍ଦଙ୍କ ଉଦାହରଣ ଦିଅନ୍ତି (ପ୍ରାଚୀନ. ପଦ ୧୩୫–୧୪୧); ଅଥଚ ମାଣବସା ସଂସ୍କରଣରେ ବସୁ ଶବରଙ୍କ ସ୍ଥାନରେ ଜାରା ଶବର ଏବଂ କବୀରଙ୍କ ସ୍ଥାନରେ ଗୋଲକ ଜାତୀୟ ନିମା ସିପୁଟିଙ୍କ ନାମ ଆସେ (ମାଣବସା. ପଦ ୨୧୨–୨୧୮) ।
୪. କୋଣାର୍କ-ସମୁଦ୍ରତଟ ସ୍ୱର୍ଣ୍ଣପୁରୀ ଏବଂ ଭଣ୍ଡାର ହରଣରେ ସୁଭଦ୍ରା, ହନୁମାନ ଓ ବାସୁକୀ
-
ସ୍ୱର୍ଣ୍ଣପୁରୀ ନିର୍ମାଣ : ପ୍ରାଚୀନ କାବ୍ୟରେ ଲକ୍ଷ୍ମୀ ସମୁଦ୍ର କୂଳରେ କାନ୍ଦୁଥିବା ଦେଖି ପିତା ବରୁଣ ବାରାସ୍ୱତୀପୁରରୁ ଆସି ତାଙ୍କୁ ଘରକୁ ଡାକନ୍ତି; କିନ୍ତୁ ଲକ୍ଷ୍ମୀ ପିତୃଗୃହକୁ ପ୍ରତ୍ୟାଖ୍ୟାନ କରି କୁବେରଙ୍କୁ ସ୍ମରଣ କରନ୍ତି ଏବଂ ବିଶ୍ୱକର୍ମାଙ୍କୁ ସ୍ପଷ୍ଟ ଭୌଗୋଳିକ ନିର୍ଦ୍ଦେଶ ଦିଅନ୍ତି— “ସମୋଦ୍ର ପଶ୍ଚିମକୁ ଯିବୁ / କୋଣାରଖ ପାରୁଶରେ ଘର ଗୋଟାୟେ ତୋଳିବୁ” (ପ୍ରାଚୀନ. ପଦ ୧୯୨), ଯାହାର କାନ୍ଥରେ ଦଶାବତାର ଚିତ୍ର ଅଙ୍କିତ ହୁଏ (ପ୍ରାଚୀନ. ପଦ ୧୯୮–୨୦୩) । ମାଣବସା ସଂସ୍କରଣରେ ବରୁଣ ବା କୁବେର ଆସନ୍ତି ନାହିଁ କି କୋଣାର୍କର ନାମ ନାହିଁ; ଲକ୍ଷ୍ମୀ ସିଧା ବୈକୁଣ୍ଠରୁ ବିଶ୍ୱକର୍ମାଙ୍କୁ ଡକାଇ ଉଆସ ତୋଳାନ୍ତି ।
-
ଭଣ୍ଡାର ହରଣ : ପ୍ରାଚୀନ କାବ୍ୟରେ ବଳରାମ ରାତିରେ ଭଉଣୀ ସୁଭଦ୍ରା (ସୋଭଦ୍ରା)ଙ୍କୁ ଭଣ୍ଡାର ଜଗି ଶୋଇବାକୁ ଆଜ୍ଞା ଦିଅନ୍ତି (ପ୍ରାଚୀନ. ପଦ ୨୧୮–୨୨୦) । ଲକ୍ଷ୍ମୀ ନିଦ୍ରାବତୀଙ୍କ ଦ୍ୱାରା ସଭିଙ୍କୁ ଅଚେତନ ନିଦ୍ରାରେ ଶୁଆଇ ରୈବତ ପର୍ବତରୁ ହନୁମାନ ଓ ଅଷ୍ଟ ବେନ୍ତାଳଙ୍କୁ ଡକାନ୍ତି । ହନୁମାନ ଶୋଇଥିବା ସୁଭଦ୍ରାଙ୍କ ହାତରୁ ସୁନା ଚୁଡ଼ି ଫେଇ ଆଣନ୍ତି, ରୋଷେଇଶାଳର ଚଉରାଅଶୀ ବ୍ୟଞ୍ଜନ ଖାଇ ଲାଞ୍ଜରେ ବାନ୍ଧନ୍ତି, ପର୍ବତପ୍ରମାଣ ‘ଗଙ୍ଗା’ ଓ ‘ଯମୁନା’ ଦୁଇ ଧାନ-ମରାଇ ମୁଣ୍ଡରେ ବୋହି ଆଣନ୍ତି ଏବଂ ଦୁଇ ଭାଇଙ୍କୁ ଚିରାବସ୍ତ୍ର ପିନ୍ଧାଇ ରତ୍ନଖଟ ଉଠାଇ ନିଅନ୍ତି (ପ୍ରାଚୀନ. ପଦ ୨୨୫–୨୬୪) । ଏପରିକି ଲକ୍ଷ୍ମୀ ଯେତେବେଳେ ପୋତା ଧନ ଖୋଳି ଆଣିବାକୁ କହନ୍ତି, ହନୁମାନ ପରିହାସ ଓ ଭୟରେ କହନ୍ତି— “ତୁମ୍ଭର ମୁଖରେ ମା ଗୋ କିଛି ଲଜ୍ୟା ନାହିଁ ... ଜଗନାଥେ ଜାଣିଲ ଭଲର ଦଶା ନାହିଁ, ତୁମ୍ଭକୁ ମାରିବେ ଗୋ ଆମ୍ଭକୁ ଗାଳିଦେବେ ...” (ପ୍ରାଚୀନ. ପଦ ୨୬୭–୨୬୯) ! ଶେଷରେ ନାଗରାଜ ବାସୁକୀ ଆସି ପୋତା ଧନ ହରଣ କରନ୍ତି (ପ୍ରାଚୀନ. ପଦ ୨୭୦–୨୭୩) । ମାଣବସା ସଂସ୍କରଣରେ ସୁଭଦ୍ରା, ହନୁମାନ ଓ ବାସୁକୀ ଚରିତ୍ର ଆଦୌ ନାହାନ୍ତି; କେବଳ ଅଷ୍ଟ ବେତାଳ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ବୈକୁଣ୍ଠବାସ ବର ପାଆନ୍ତି (ମାଣବସା. ପଦ ୨୬୧–୨୯୪) ।
୫. ଭିକ୍ଷାଟନ ପର୍ବ : ଶ୍ରିୟା ଚଣ୍ଡାଳୁଣୀଙ୍କ ଠେଙ୍ଗା ଓ କପିଳାଶର ଶିବ-ପାର୍ବତୀ ବନାମ ସତ୍ୟାନନ୍ଦ ଯୋଗୀ
ଭିକ୍ଷାଟନ ପର୍ବରେ ଦୁଇଟି ପାଠର ପାର୍ଥକ୍ୟ ସବୁଠାରୁ ନାଟକୀୟ :
-
ରାମଦତ୍ତ ବଣିଆ ପ୍ରସଙ୍ଗ : ପ୍ରାଚୀନ କାବ୍ୟରେ ଦୁଇ ଭାଇ କବାଟ କଣରୁ ମିଳିଥିବା ସୁନା ଖଣ୍ଡିକ ନେଇ ରାମଦତ୍ତ ବଣିଆ ଦୋକାନକୁ ଯାଆନ୍ତି; ବଣିଆ ନିକିତି ଧରି ତୌଲିବା ବେଳେ ସୁନାଟି ‘ବେଙ୍ଗି ପିତଳ’ ହୋଇଯାଏ ଓ ବଣିଆ ତାଙ୍କୁ ଅପମାନିତ କରି ତଡ଼ିଦିଏ (ପ୍ରାଚୀନ. ପଦ ୩୦୭–୩୧୬) । ମାଣବସା ସଂସ୍କରଣରେ ବଣିଆ ପ୍ରସଙ୍ଗ ନାହିଁ; ଭଣ୍ଡାର ଘରେ ବଳରାମ ପାଇଥିବା ସୁନା ମୁଦିଟି କାନିରେ ବାନ୍ଧୁ ବାନ୍ଧୁ ଆପେ ପିତ୍ତଳ ହୋଇଯାଏ (ମାଣବସା. ପଦ ୩୧୦–୩୧୩) ।
-
ଯାଜପୁର ଓ ବଡ଼ପଣ୍ଡା ଘର : ପ୍ରାଚୀନ କାବ୍ୟରେ ଦୁଇ ଭାଇ ଯାଜପୁର ନଗରରେ ବୈତରଣୀ ତୀରସ୍ଥ ଦ୍ୱିଜ ହରି ପଣ୍ଡା ଓ ପରେ ବସୁଦେବ ପଣ୍ଡାଙ୍କ ଘରକୁ ଯାଆନ୍ତି, ଯେଉଁଠି ଅଣଚାଶ ପବନ ସେମାନଙ୍କ ଚାଉଳ ସହିତ ପିନ୍ଧା ଚିରା ଧୋତିକୁ ମଧ୍ୟ ଉଡ଼ାଇ ନିଏ (ପ୍ରାଚୀନ. ପଦ ୩୨୬–୩୫୩) । ମାଣବସା ସଂସ୍କରଣରେ ସେମାନେ ଛିଣ୍ଡା ପଇତା ଓ ଭଙ୍ଗା ଛତା ଧରି ବଡ଼ପଣ୍ଡାଙ୍କ ଘରକୁ ଯାଆନ୍ତି, ଯେଉଁଠି ବିଧବା ଶାଶୁ ପ୍ରଥମେ ଚୋର ଭାବି ଠେଙ୍ଗା ଧରନ୍ତି ଓ ପରେ ଖୁଦ-ମଳୁଖ ରାନ୍ଧି ଦେଲାବେଳେ ହାଣ୍ଡି ଶୂନ୍ୟ ହୋଇଯାଏ (ମାଣବସା. ପଦ ୩୨୯–୩୪୩) ।
-
ଶ୍ରିୟା ଚଣ୍ଡାଳୁଣୀଙ୍କ ଦ୍ୱାରରେ ବଳଭଦ୍ର (ପ୍ରାଚୀନ କାବ୍ୟର ଚରମ ବିଡ଼ମ୍ବନା) : ପ୍ରାଚୀନ କାବ୍ୟରେ (ପ୍ରାଚୀନ. ପଦ ୩୫୬–୩୭୨) କ୍ଷୁଧାରେ ଆତୁର ହୋଇ ସ୍ୱୟଂ ବଳରାମ ପ୍ରସ୍ତାବ ଦିଅନ୍ତି— “ଯେଉଂ ଚଣ୍ଡାଳୁଣୀ ଦ୍ୱାରେ ଲକ୍ଷ୍ମୀ ଥିଲେ ରହି / ସେହି ଚଣ୍ଡାଳୁଣୀ ଦ୍ୱାରେ ମାଗିବାକ ଯାଇଂ !” ଯେଉଁ ଶ୍ରିୟାଙ୍କ କୁଟୀରରେ ଲକ୍ଷ୍ମୀ ପାଦ ଦେଇଥିବାରୁ ବଳରାମ ତାଙ୍କୁ ଘରୁ ତଡ଼ିଥିଲେ, ଶେଷରେ ସେହି ଶ୍ରିୟାଙ୍କ ଦ୍ୱାରରେ ଦୁଇ ଭାଇ ଭିକ ମାଗନ୍ତି ଏବଂ ସୁବର୍ଣ୍ଣ ପଲଙ୍କରେ ବସିଥିବା ଶ୍ରିୟା ଚଣ୍ଡାଳୁଣୀ ବଡ଼ ଠେଙ୍ଗା ରୋଳ ଗୋଟିଏ ଆଣି ତାଙ୍କୁ ଘଉଡ଼ାଇ ଦିଅନ୍ତି (ପ୍ରାଚୀନ. ପଦ ୩୭୦) ! ପରବର୍ତ୍ତୀ ମାଣବସା ସଂସ୍କରଣରୁ ଏହି ତୀକ୍ଷ୍ଣ ବ୍ୟଙ୍ଗାତ୍ମକ ଦୃଶ୍ୟଟି ସମ୍ପୂର୍ଣ୍ଣ ଲୋପ ପାଇଛି ।
-
କପିଳାଶର ହର-ପାର୍ବତୀ ବନାମ ସତ୍ୟାନନ୍ଦ ଯୋଗୀ : ପ୍ରାଚୀନ କାବ୍ୟରେ (ପ୍ରାଚୀନ. ପଦ ୩୮୫–୪୧୮) ଦୁଇ ଭାଇ ମତ୍ସ୍ୟ ଓ ଅଙ୍ଗ ଦେଶ ବୁଲି କପିଳାଶ ପୁରରେ ମହାଦେବ ବିଶ୍ୱନାଥ ଓ ହୈମବନ୍ତୀ ଦୁର୍ଗାଙ୍କ ନିକଟରେ ପହଞ୍ଚନ୍ତି । ଶିବ ଜଗନ୍ନାଥଙ୍କୁ ଭର୍ତ୍ସନା କରି କହନ୍ତି ଯେ ସେ ନିଜେ ଯେଉଁଠିକୁ ଯାଆନ୍ତି ଦୁର୍ଗାଙ୍କୁ ସାଙ୍ଗରେ ନିଅନ୍ତି (“ଘରର ଘରଣୀ ବାବୁ ବିଲର ହରିଣୀ / ତୁ କିମ୍ପାଇଂ ଲକ୍ଷ୍ମୀଙ୍କୁ ତେଜିଲୁ ଚକ୍ରପାଣି”, ପ୍ରାଚୀନ. ପଦ ୪୦୦) । ମାତା ପାର୍ବତୀଙ୍କ ଅଛିଦ୍ର ସୁବର୍ଣ୍ଣ ହାଣ୍ଡିରୁ ମଧ୍ୟ ଅନ୍ନ ଉଭେଇ ଯିବାରୁ ଶିବ ଧ୍ୟାନରେ ଲକ୍ଷ୍ମୀଙ୍କ କୋପ ଜାଣି ସେମାନଙ୍କୁ କୋଣାର୍କ ସମୁଦ୍ର ତୀରକୁ ପଠାନ୍ତି । ମାଣବସା ସଂସ୍କରଣରେ କପିଳାଶର ଶିବ-ପାର୍ବତୀଙ୍କ ବଦଳରେ ବାଟରେ ସତ୍ୟାନନ୍ଦ ଯୋଗୀଙ୍କ ସହିତ ଭେଟ ହୁଏ ଏବଂ ତାଙ୍କ ଥାଳର ଦୁଧ-ଅନ୍ନ ଉଭେଇ ଯିବା ପରେ ଯୋଗୀ ହିଁ ସମୁଦ୍ର କୂଳର ବାଟ ବତାଇ ଦିଅନ୍ତି (ମାଣବସା. ପଦ ୩୫୫–୩୬୧) ।
୬. ସମୁଦ୍ର-ଶୋଷଣ, ପରିଚୟ-ସଙ୍କେତ ଓ ରଥରେ ପ୍ରତ୍ୟାବର୍ତ୍ତନ
-
ସପ୍ତସିନ୍ଧୁ ଶୋଷଣ : ପ୍ରାଚୀନ କାବ୍ୟରେ (ପ୍ରାଚୀନ. ପଦ ୫୨୭–୫୪୫) ଭୋଜନ ପୂର୍ବରୁ ଦୁଇ ଭାଇ ସ୍ନାନ କରିବାକୁ ଗଲାବେଳେ ଲକ୍ଷ୍ମୀ ପିତା ବରୁଣଙ୍କୁ କହି ସମୁଦ୍ର ଜଳକୁ ଦଶ ଯୋଜନ ଦୂରକୁ ଶୁଖାଇ ଦିଅନ୍ତି; ପାଣି ଟୋପାଏ ନ ପାଇ ଦୁଇ ଭାଇ ମିଛରେ ‘ସ୍ନାନ-ସନ୍ଧ୍ୟା କଲୁ’ ବୋଲି କହି ଫେରିଆସନ୍ତି ! ତା’ପରେ ଲକ୍ଷ୍ମୀ ଦୟାପରବଶ ହୋଇ କରୁଣା, କମଳି ଓ ବିମଳି ଦାସୀଙ୍କ ହାତରେ ସୁବାସିତ ଜଳ ପଠାଇ ତାଙ୍କୁ ସ୍ନାନ କରାନ୍ତି । ମାଣବସା ସଂସ୍କରଣରେ ଏହି ସମୁଦ୍ର-ଶୋଷଣ ଲୀଳା ନାହିଁ ।
-
ପରିଚୟ ଓ ପରିବେଷଣ : ଦେଢ଼ଶୁର ବଳରାମଙ୍କୁ ସିଧା ଅନ୍ନ ନ ବାଢ଼ିବା ପାଇଁ ପ୍ରାଚୀନ କାବ୍ୟରେ ଜଣେ ଅନାମଧେୟା ବ୍ରାହ୍ମଣୀ ଓ ମାଣବସା ସଂସ୍କରଣରେ ତୁଳସୀ ବ୍ରାହ୍ମଣୀ (ମାଣବସା. ପଦ ୪୫୨) ନିଯୁକ୍ତ ହୁଅନ୍ତି । ମାଣବସା ସଂସ୍କରଣରେ ପୁରୁଷଶୂନ୍ୟ ଘରେ ଏତେ ଆଦର ଦେଖି ବଳରାମ ‘ଆମ୍ଭଙ୍କୁ ଶୂଳି ଦେବେ କି କଅଣ’ ବୋଲି ଡରିବା ଓ ଜଗନ୍ନାଥ ‘ଆଜି ଆପଣ ଏ ଘରର କର୍ତ୍ତା ହେବେ’ ବୋଲି ଥଟ୍ଟା କରିବା (ମାଣବସା. ପଦ ୪୩୬–୪୩୯) ଅତି ରସାତ୍ମକ । ଅପରପକ୍ଷେ, ପ୍ରାଚୀନ କାବ୍ୟରେ ବରୁଣ ଯୌତୁକ ଦେଇଥିବା ସୁବର୍ଣ୍ଣ ପିଢ଼ା ଦେଖି ହିଁ ଜଗନ୍ନାଥ ପ୍ରଥମେ ଲକ୍ଷ୍ମୀଙ୍କ ଉପସ୍ଥିତି ଚିହ୍ନି ପକାନ୍ତି (ପ୍ରାଚୀନ. ପଦ ୫୬୧–୫୬୪), ଯେଉଁଠି ମାଣବସା ସଂସ୍କରଣରେ ରନ୍ଧନର ସ୍ୱାଦ ଓ ଶେଷର ପୋଡ଼ପିଠା ମୁଖ୍ୟ ପରିଚୟ-ସୂତ୍ର ହୁଏ (ମାଣବସା. ପଦ ୪୬୫–୪୭୦) ।
-
ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ : ପ୍ରାଚୀନ କାବ୍ୟରେ ମାନଭଞ୍ଜନ ଓ ସତ୍ୟପାଠ ପରେ ଜଗନ୍ନାଥ ରମ୍ୟକ ଦ୍ୱୀପରୁ ଗରୁଡ଼ଙ୍କୁ କୋଣାରେଖ ନଦୀ ତୀରକୁ ଡକାନ୍ତି; ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ବିଜୟା ରଥରେ ଏବଂ ଜଗନ୍ନାଥ ଓ ଲକ୍ଷ୍ମୀ ଗରୁଡ଼ ପୃଷ୍ଠରେ ବସି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି (ପ୍ରାଚୀନ. ପଦ ୬୩୩–୬୫୦) । ମାଣବସା ସଂସ୍କରଣରେ ରଥ ବା ଗରୁଡ଼ଙ୍କ ପ୍ରସଙ୍ଗ ନ ଥାଇ ସିଧାସଳଖ ବଡ଼ଦେଉଳକୁ ବିଜେ ବର୍ଣ୍ଣିତ ହୋଇଛି (ମାଣବସା. ପଦ ୫୧୩–୫୨୪) ।
ସାମାଜିକ, ସ୍ତ୍ରୀବାଦୀ ଓ ବୈଚାରିକ ସମୀକ୍ଷା
ସାହିତ୍ୟ-ସମାଲୋଚନା ଦୃଷ୍ଟିରୁ ଲକ୍ଷ୍ମୀପୁରାଣ କେବଳ ଏକ ଧର୍ମଗ୍ରନ୍ଥ ନୁହେଁ, ଏହା ମଧ୍ୟଯୁଗୀୟ ଓଡ଼ିଶାର ଏକ ସାହସିକ ସାମାଜିକ ଇସ୍ତାହାର । କିନ୍ତୁ ଦୁଇଟି ସଂସ୍କରଣର ତୁଳନା କଲେ ଏହାର ବୈଚାରିକ ଯାତ୍ରାରେ ଏକ ଗଭୀର ଦ୍ୱନ୍ଦ୍ୱ ଓ ବିବର୍ତ୍ତନ ଦେଖିବାକୁ ମିଳେ :
-
ଅସ୍ପୃଶ୍ୟତା ବିରୁଦ୍ଧରେ ଆଧ୍ୟାତ୍ମିକ ବିଦ୍ରୋହ ଓ ‘କୈବଲ୍ୟ’ ସାମ୍ୟବାଦ : ଷୋଡ଼ଶ ଶତାବ୍ଦୀର କଠୋର ଜାତିପ୍ରଥା ମଧ୍ୟରେ ବଳରାମ ଦାସ ଘୋଷଣା କଲେ ଯେ ଭଗବାନଙ୍କ ନିକଟରେ କୁଳ ବା ଜନ୍ମ ନୁହେଁ, ଆନ୍ତରିକ ଶୁଚିତା ଓ ଭକ୍ତି ହିଁ ଶ୍ରେଷ୍ଠ । କାବ୍ୟର ଶୀର୍ଷ ମୁହୂର୍ତ୍ତରେ ମାଆ ଲକ୍ଷ୍ମୀ ଜଗନ୍ନାଥଙ୍କଠାରୁ ଯେଉଁ ସତ୍ୟ କରାଇ ନେଇଛନ୍ତି— “ଚଣ୍ଡାଳ ହସ୍ତରୁ ଅର୍ଣ୍ଣ ବ୍ରାହ୍ମଣେ ଖାଇବେ / କୈବଲ୍ୟ ଖାଇଣ ହସ୍ତ ଶିରରେ ପୋଛିବେ” (ପ୍ରାଚୀନ. ପଦ ୬୨୮) ଏବଂ “ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ” (ମାଣବସା. ପଦ ୫୦୯-୫୧୧)— ତାହା ଶ୍ରୀକ୍ଷେତ୍ରର ଆନନ୍ଦବଜାରକୁ ଭାରତୀୟ ସାମାଜିକ ଇତିହାସର ଏକ ଅନନ୍ୟ ସମତା-କ୍ଷେତ୍ରରେ ପରିଣତ କରିଛି ।
-
ନାରୀର ଆର୍ଥିକ ସ୍ୱାଭିମାନ ଓ ଗୃହ-ଶ୍ରମର ମୂଲ୍ୟାୟନ : ନିର୍ବାସନ ବେଳେ ଲକ୍ଷ୍ମୀ କାନ୍ଦି କାନ୍ଦି ଅନୁଗ୍ରହ ଭିକ୍ଷା କରିନାହାନ୍ତି । ସ୍ୱାମୀଙ୍କର ‘ଛଅ ମାସର ଭାତ-ଲୁଗା ପଡ଼ି’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି, ଭବିଷ୍ୟତରେ କେହି ଯେପରି ‘ଲକ୍ଷେ ଟଙ୍କାର ଅଳଙ୍କାର ନେଇଗଲା’ ବୋଲି ଅପବାଦ ନ ଦିଏ ସେଥିପାଇଁ ଦେହର ସମସ୍ତ ଆଭୂଷଣ ଫେରାଇ ଦେଇଛନ୍ତି (ପ୍ରାଚୀନ. ପଦ ୧୪୫–୧୫୮) । ପିତା ବରୁଣଙ୍କ ଘରେ ଆଶ୍ରିତା ନ ହୋଇ ନିଜ ସାମର୍ଥ୍ୟରେ ସ୍ୱର୍ଣ୍ଣପୁରୀ ଗଢ଼ିଛନ୍ତି ଏବଂ ଅଗ୍ନି-ସ୍ତମ୍ଭନ ମାଧ୍ୟମରେ ଦୁଇ ଭାଇଙ୍କ ରନ୍ଧନ-ପ୍ରଚେଷ୍ଟାକୁ ବ୍ୟର୍ଥ କରି ପ୍ରମାଣ କରିଛନ୍ତି ଯେ ନାରୀର ଶ୍ରମ, ପରିଚାଳନା ଓ ସମ୍ମାନ ବିନା ବାଉନ କୋଟି ଭଣ୍ଡାର ମଧ୍ୟ ଅଚଳ— “ରାନ୍ଧିଣ ଭୁଂଜିବେ ଯେବେ ଦୁଇଗୋଟି ଭାଇ / ସ୍ତରୀକି ପୁରୁଷ ଆଉ ଲୋଡ଼ିବେ କିମ୍ପାଇଂ” (ପ୍ରାଚୀନ. ପଦ ୪୬୫) ।
-
ମାଣବସା ସଂସ୍କରଣରେ ପିତୃସତ୍ତାତ୍ମକ ପ୍ରକ୍ଷେପ ଓ ଅନ୍ତର୍ବିରୋଧ : ସମାଲୋଚନାତ୍ମକ ଦୃଷ୍ଟିରୁ ଦେଖିଲେ, ଊନବିଂଶ ଶତାବ୍ଦୀର ମୁଦ୍ରିତ ମାଣବସା ଲକ୍ଷ୍ମୀପୁରାଣରେ ଏକ ବଡ଼ ବୈଚାରିକ ଅନ୍ତର୍ବିରୋଧ ପ୍ରବେଶ କରିଛି । ମୂଳ ପ୍ରାଚୀନ କାବ୍ୟରେ ଗୁରୁବାର ନିୟମ ମାତ୍ର ୯ଟି ପଦରେ ସୀମିତ ଥିବା ବେଳେ, ମାଣବସା ସଂସ୍କରଣର ସାଧବାଣୀ ପ୍ରସଙ୍ଗରେ ପରବର୍ତ୍ତୀ କାଳର ରକ୍ଷଣଶୀଳ ସଂକଳକମାନେ ପ୍ରାୟ ୪୦ଟି ପଦର କଠୋର ‘ପତିବ୍ରତା ଅନୁଶାସନ’ ଯୋଡ଼ି ଦେଇଛନ୍ତି— ଯଥା : “ସଧବା ନାରୀର ପତି ବିନା ନାହିଁ ଗତି / ତପ ଜପ ଦେବ ପୂଜା ତାହାର ଅନୀତି” ଏବଂ “ପତି ସେବା ବରଜି ଯେ ମାତ ଗରବରେ / ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ / ତାହାର ନୁହଇ ଭଲ ଜନମେ ଜନମେ” (ମାଣବସା. ପଦ ୧୧୬–୧୨୪) । ଏହା ଏକ ବିଚିତ୍ର ବିଡ଼ମ୍ବନା ଯେ ଯେଉଁ କାବ୍ୟର ନାୟିକା ସ୍ୱୟଂ ଅନ୍ୟାୟକାରୀ ପତି ଓ ଦେଢ଼ଶୁରଙ୍କ ଆଜ୍ଞା ଅମାନ୍ୟ କରି ଗୃହତ୍ୟାଗ କରନ୍ତି ଓ ସେମାନଙ୍କୁ ଦ୍ୱାଦଶ ବର୍ଷ ଭିକ୍ଷୁକ ସଜାଇ ନିଜ ସର୍ତ୍ତରେ ନତମସ୍ତକ କରାନ୍ତି, ସେହି କାବ୍ୟର ପ୍ରାରମ୍ଭରେ ନାରୀକୁ ନିଃଶର୍ତ୍ତ ପତି-ଆଜ୍ଞାଧୀନ ରହିବାର ଉପଦେଶ ଦିଆଯାଇଛି ! ଏହା ଦର୍ଶାଏ ଯେ ଔପନିବେଶିକ ଓ ପୁନରୁତ୍ଥାନବାଦୀ ଯୁଗର ଛାପା-ସଂସ୍କୃତି କିପରି ବଳରାମ ଦାସଙ୍କ ବିଦ୍ରୋହୀ କାବ୍ୟକୁ ପାରିବାରିକ ଅନୁଶାସନର ଛାଞ୍ଚରେ ନରମ କରିବାକୁ ଚେଷ୍ଟା କରିଥିଲା । ତଥାପି, ମାଣବସା ଓଷାର ଏକ ଯୁଗାନ୍ତକାରୀ ସାମାଜିକ ଅବଦାନ ଅକ୍ଷୁଣ୍ଣ ରହିଲା— ଏହି ବ୍ରତରେ କୌଣସି ବ୍ରାହ୍ମଣ ପୁରୋହିତଙ୍କର ଆବଶ୍ୟକତା ନ ଥାଏ; ଓଡ଼ିଆ ଘରର ନାରୀ ନିଜେ ହିଁ ପୂଜାରିଣୀ ହୋଇ କୃଷି-ଲକ୍ଷ୍ମୀଙ୍କର ଆବାହନ କରେ ।
ଦୁଇଟି ସଂସ୍କରଣର ତୁଳନାତ୍ମକ ସାରଣୀ
ପ୍ରାଚୀନ ଲକ୍ଷ୍ମୀପୁରାଣ ଏବଂ ମାଣବସା ଲକ୍ଷ୍ମୀପୁରାଣର ତୁଳନାତ୍ମକ ବିଶ୍ଳେଷଣ| ତୁଳନାର ଆଧାର | ପ୍ରାଚୀନ ଲକ୍ଷ୍ମୀପୁରାଣ (ମୂଳ ପୋଥି) | ମାଣବସା ଲକ୍ଷ୍ମୀପୁରାଣ (ପ୍ରଚଳିତ ବ୍ରତ) |
|---|
| ଆୟତନ ଓ ଛନ୍ଦ | ୬୬୩ ପଦ; ପଞ୍ଚସଖା ଯୁଗୀୟ ଅସମ-ଅକ୍ଷର ଦାଣ୍ଡି ବୃତ୍ତ (କଥିତ ଓ ନାଟକୀୟ ଗାୟନ ଶୈଳୀ) । | ୪୯୮ ପଦ; ସୁସଂହତ ଓ ସୁଲଳିତ ଚଉଦ-ଅକ୍ଷରୀ ବୃତ୍ତ (ସମୂହ ବ୍ରତ-ଗାୟନ ଉପଯୋଗୀ) । |
|---|
| ଭାଷା ଓ ଶବ୍ଦଭଣ୍ଡାର | ପଞ୍ଚଦଶ–ଷୋଡ଼ଶ ଶତାବ୍ଦୀର ପ୍ରାଚୀନ ଓଡ଼ିଆ; ଗୁରସ୍ତ, ବିଭାଇ, ଅନାସ୍ତ, ହାନ୍ଦୋଳା, ମରାଇ, ଗନ୍ତାଘର, ବିଶୁନୁପାତିଆ, ପରିମୁଣ୍ଡା ଯାଇ ଆଦି ଅପ୍ରଚଳିତ ଶବ୍ଦରେ ସମୃଦ୍ଧ । | ଊନବିଂଶ–ବିଂଶ ଶତାବ୍ଦୀର ପରିମାର୍ଜିତ ଓ ସରଳ ଭକ୍ତିମୂଳକ ଓଡ଼ିଆ; ପ୍ରାଚୀନ ଦୁରୂହ ଶବ୍ଦଗୁଡ଼ିକ ଆଧୁନିକ ପ୍ରତିଶବ୍ଦ ଦ୍ୱାରା ପରିବର୍ତ୍ତିତ । |
|---|
| ବନାନ ଓ ଲିପି-ରୀତି | ତାଳପତ୍ର ଲିପି-ପ୍ରଭାବିତ ଅମାନକ ଓ ଧ୍ୱନିଭିତ୍ତିକ ବନାନ; ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ୱାର (ମୁଂ, ନାହିଂ), ଦ୍ୱିତ୍ୱ-ଲୋପ (ଜଗନାଥ) ଏବଂ ଗୋଟିଏ ଶବ୍ଦର ଏକାଧିକ ରୂପ (ସ୍ନାନ / ସ୍ରାହାନ / ସ୍ରାହନ / ସିନାନ) । | ଛାପାଖାନା ଯୁଗର ପ୍ରାୟ-ମାନକୀକୃତ ଆଧୁନିକ ଓଡ଼ିଆ ବନାନ (କ୍ୱଚିତ୍ ଯାଣିଲା, ଦୋଷରୀ, ନଇବେଦ୍ୟ ପରି ସନ୍ଧିକାଳୀନ ରୂପ ଅବଶିଷ୍ଟ) । |
|---|
| ଉପକ୍ରମଣିକା ଓ କାଳ | ବୃତ୍ରାସୁର ଭୟରେ ମେରୁ କନ୍ଦରରେ ଲୁଚିଥିବା ଇନ୍ଦ୍ର ଓ ନାରଦଙ୍କ ସଂଳାପ; ଗୁରୁ ପଞ୍ଚମୀ ବ୍ରତ ଓ ମେଷ ଶୁକ୍ଳ ଦଶମୀ ଗୁରୁବାରର ଉଲ୍ଲେଖ (ମାର୍ଗଶିର ବା ମାଣବସା ଉଲ୍ଲେଖ ନାହିଁ) । | ମାର୍ଗଶିର ଗୁରୁବାରରେ ଗ୍ରାମ ଭ୍ରମଣ କରୁଥିବା ନାରଦ ଓ ପରାଶର ମୁନିଙ୍କ ସଂଳାପ; ମାର୍ଗଶିର ‘ଧାନ ମାଣିକା ଗୁରୁବାର’ ଓ ସୁଦଶା ବ୍ରତର ପ୍ରତ୍ୟକ୍ଷ ପୃଷ୍ଠଭୂମି । |
|---|
| ନଗ୍ର ଭ୍ରମଣ ଓ ପୂଜାବିଧି | ରତ୍ନ ହାନ୍ଦୋଳାରେ ଦ୍ୱାରାବତୀ ନଗ୍ର ଭ୍ରମଣ; ସାଧବାଣୀ ପ୍ରସଙ୍ଗ ନାହିଁ; ଶ୍ରିୟା ଚଣ୍ଡାଳୁଣୀଙ୍କୁ ମାତ୍ର ୯ ପଦରେ ଗୁରୁବାର ନିୟମ କଥନ । | ବୁଢ଼ୀ ବ୍ରାହ୍ମଣୀ ବେଶରେ ସାଧବାଣୀଙ୍କୁ ଦୀର୍ଘ ୮୮ ପଦରେ ମାଣବସା ବିଧି, ସୁଦଶା ବ୍ରତ ଓ ଗୃହ-ଆଚାର ଶିକ୍ଷା । |
|---|
| ସ୍ୱର୍ଣ୍ଣପୁରୀ ଓ ଭୂଗୋଳ | ପିତା ବରୁଣଙ୍କ ଆଗମନ, କୁବେରଙ୍କ ସହାୟତାରେ ବିଶ୍ୱକର୍ମାଙ୍କ ଦ୍ୱାରା କୋଣାର୍କ ପାର୍ଶ୍ୱ ସମୁଦ୍ର ତଟରେ ଦଶାବତାର-ଚିତ୍ରିତ ପୁର ନିର୍ମାଣ । | ବୈକୁଣ୍ଠରୁ ବିଶ୍ୱକର୍ମାଙ୍କୁ ଡକାଇ ତିନି କୋଶ ପ୍ରମାଣ ସ୍ୱର୍ଣ୍ଣ ଉଆସ ନିର୍ମାଣ (ବରୁଣ, କୁବେର ବା କୋଣାର୍କ ଭୂଗୋଳର ଉଲ୍ଲେଖ ନାହିଁ) । |
|---|
| ଭଣ୍ଡାର ହରଣ ପ୍ରସଙ୍ଗ | ଭଣ୍ଡାର ଜଗି ଶୋଇଥିବା ସୁଭଦ୍ରାଙ୍କ ଚୁଡ଼ି ଫେଇବା, ହନୁମାନଙ୍କ ଦ୍ୱାରା ‘ଗଙ୍ଗା-ଯମୁନା’ ମରାଇ ଓ ରତ୍ନଖଟ ହରଣ ଏବଂ ନାଗରାଜ ବାସୁକୀଙ୍କ ଦ୍ୱାରା ପୋତା ଧନ ହରଣ । | କେବଳ ଅଷ୍ଟ ବେତାଳଙ୍କ ଦ୍ୱାରା ରୋଷେଇଶାଳ ଭକ୍ଷଣ, ବାଉନ କୋଟି ଭଣ୍ଡାର ଓ ରତ୍ନଖଟ ହରଣ ଏବଂ ପୁରସ୍କାର ସ୍ୱରୂପ ବୈକୁଣ୍ଠ ପ୍ରାପ୍ତି । |
|---|
| ଭିକ୍ଷାଟନ ପର୍ବର ଘଟଣା | ରାମଦତ୍ତ ବଣିଆ ଦୋକାନରେ ସୁନା ପିତଳ ହେବା; ଯାଜପୁରର ହରି ପଣ୍ଡା ଓ ବସୁଦେବ ପଣ୍ଡାଙ୍କ ଘର; ଶ୍ରିୟା ଚଣ୍ଡାଳୁଣୀ ଠେଙ୍ଗା ଧରି ଦୁଇ ଭାଇଙ୍କୁ ତଡ଼ିବା; ଏବଂ କପିଳାଶରେ ଶିବ-ପାର୍ବତୀଙ୍କ ସାକ୍ଷାତ । | ଭଣ୍ଡାରରେ ସୁନା ମୁଦି ପିତ୍ତଳ ହେବା; ଭଙ୍ଗା ଛତା ଧରି ବଡ଼ପଣ୍ଡା ଘରେ ଖୁଦ-ମଳୁଖ ମାଗିବା; କବୀର ସାହି ଓ ପଦ୍ମ ପୋଖରୀ ପରେ ବାଟରେ ସତ୍ୟାନନ୍ଦ ଯୋଗୀଙ୍କ ସାକ୍ଷାତ । |
|---|
| ମାନଭଞ୍ଜନ ଓ ପ୍ରତ୍ୟାବର୍ତ୍ତନ | ବରୁଣଙ୍କ ଦ୍ୱାରା ସମୁଦ୍ର ଶୋଷଣ; ଯୌତୁକର ସୁବର୍ଣ୍ଣ ପିଢ଼ା ଦେଖି ପରିଚୟ; ରମ୍ୟକ ଦ୍ୱୀପରୁ ଗରୁଡ଼ ଆଗମନ ଏବଂ ତାଳଧ୍ୱଜ, ବିଜୟା ରଥ ଓ ଗରୁଡ଼ ପୃଷ୍ଠରେ ବାହୁଡ଼ା ବିଜେ । | ତୁଳସୀ ବ୍ରାହ୍ମଣୀଙ୍କ ପରିବେଷଣ; ରନ୍ଧନ-ସ୍ୱାଦ ଓ ପୋଡ଼ପିଠାରୁ ପରିଚୟ; କୈବଲ୍ୟ ସତ୍ୟପାଠ ପରେ ସିଧା ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ । |
|---|
| ବୈଚାରିକ ସ୍ୱର | ଅସଲି, ତୀକ୍ଷ୍ଣ ଓ ଆପୋଷହୀନ ସାମାଜିକ ବିଦ୍ରୋହ; ଜାତିଭେଦ ଉଚ୍ଛେଦ ଓ ନାରୀ ସ୍ୱାଧୀନତାର ପ୍ରଖର ନାଟକୀୟ ଅଭିବ୍ୟକ୍ତି । | ମୂଳ ଜାତିଭେଦ-ବିରୋଧୀ ବାର୍ତ୍ତା ଅକ୍ଷୁଣ୍ଣ ଥିଲେ ହେଁ ସାଧବାଣୀ ପ୍ରସଙ୍ଗରେ ପରବର୍ତ୍ତୀ କାଳର କଠୋର ପତିବ୍ରତା ଓ ପାରିବାରିକ ଅନୁଶାସନର ସଂଯୋଜନ । |
|---|
ପଠନ ଓ ଅଧ୍ୟୟନ ସୂଚନା
ଓଡ଼ିଆ ଜାତିର ସାଂସ୍କୃତିକ ଆତ୍ମାକୁ ବୁଝିବା ପାଇଁ ଏହି ଦୁଇଟିଯାକ ସଂସ୍କରଣ ସମାନ ଭାବରେ ଅପରିହାର୍ଯ୍ୟ— ପ୍ରାଚୀନ ଲକ୍ଷ୍ମୀପୁରାଣ ଆମକୁ ପଞ୍ଚସଖା ଯୁଗର ମୌଳିକ ଭାଷା, ସାହସିକ ଦର୍ଶନ ଓ ତାଳପତ୍ର ପୋଥିର ଜୀବନ୍ତ ନାଟକୀୟତା ସହିତ ପରିଚିତ କରାଏ, ଏବଂ ମାଣବସା ଲକ୍ଷ୍ମୀପୁରାଣ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଗୃହ-ସଂସ୍କୃତିରେ ବଞ୍ଚି ରହିଥିବା ଭକ୍ତି, ଶୁଚିତା ଓ ଲୋକାଚାରର ମଧୁର ପ୍ରବାହକୁ ଧରି ରଖିଛି ।
ଉପରର କାର୍ଡ଼ କିମ୍ବା ଶୀର୍ଷ ମେନୁ ମାଧ୍ୟମରେ ଆପଣ ଉଭୟ ସଂସ୍କରଣକୁ ପଢ଼ିପାରିବେ ଏବଂ ଶୀର୍ଷ ଡାହାଣ କୋଣର ସେଟିଂସ୍ ମେନୁ ସାହାଯ୍ୟରେ ନିଜ ସୁବିଧା ଅନୁଯାୟୀ ଅକ୍ଷର ଆକାର, ଆଲୋକ/ଅନ୍ଧାର ଶୈଳୀ ଚୟନ କରିପାରିବେ କିମ୍ବା ପୁସ୍ତିକା ଆକାରରେ ପ୍ରିଣ୍ଟ କରିପାରିବେ ।