ମୂଳ ପ୍ରାଚୀନ ସଂସ୍କରଣ

ପ୍ରାଚୀନ ଲକ୍ଷ୍ମୀପୁରାଣ

Prachina Laxmipurana — Original Classical Text

ରଚନା: ବଳରାମ ଦାସପରମ୍ପରା: ପଞ୍ଚସଖା ଯୁଗୀୟ ପ୍ରାଚୀନ ଓଡ଼ିଆ ସାହିତ୍ୟ

ॐ ଶ୍ରୀ ଗଣେଶାୟ ନମଃ ।

ବନ୍ଦଇ ପରମଲକ୍ଷ୍ମୀ ଜଗତତାରେଣୀ ତ୍ରଇଲୋକ୍ୟ ଚିନ୍ତାମଣି ଦେବୀ କମଳିଣୀ ।୧।

ସମୋଦ୍ର ମନ୍ଥନୁ ଜାତ ହୋଇଲ ଯେ ପୁଣି ତେଣୁ କରି ନାମ ଦେଲେ ବୋଲାଉ ଯେ ଲକ୍ଷ୍ମୀ ଠାକୁରାଣୀ ।୨।

ନମସ୍ତେ ନମସ୍ତେ ଯାର ଜଗନାଥ କାନ୍ତ ନମସ୍ତେ ନମସ୍ତେ ଦେବୀ ବରୁଣଦୁହିତ ।୩।

ତୁମ୍ଭେ ମହାମାୟୀ ଯେବେ ହୋଇବ ପ୍ରସନ ଥୋକାଏ କହିବି ତୁମ୍ଭ ପୁରାଣ ଆଖ୍ୟାନ ।୪।

ବୃତାସୁର ଭୟେ ଇନ୍ଦ୍ର ପଳାଇଣ ଗଲା ମେରୁ ଯେ କନ୍ଦରେ ଯାଇଂ ଲୁଚିଣ ରହିଲା ।୫।

ଏମନ୍ତ ସମୟରେ ଯେ ନାରଦ ମହାଋଷି ସଙ୍ଗତେ ଅଛନ୍ତି ଯେ ଅନେକ ବାଳଶିଷି ।୬।

ନାରଦଙ୍କୁ ଦେଖି ଇନ୍ଦ୍ର ବିନୟ କରିଣ ଆସନ ଯେ ପାଦାସନ ଦେଇ ପୂଜେ ପୁଣ ।୭।

ଭୋ ମହାମୁନି ତୁମ୍ଭଙ୍କୁ ପୁଛଇ କଥାୟେ କେବଣ ହେତୁରୁ ମୋର ସର୍ବ ତ୍ୟାଗ ହୋଏ ।୮।

ଏହା ଶୁଣି ଇନ୍ଦ୍ର ଆଗେ ନାରଦ କହନ୍ତି ସାବଧାନ ହୋଇ ଶୁଣ ଶଚୀଦେବୀ ପତି ।୯।

ଲକ୍ଷ୍ମୀ ଯାକୁ ବାମ ହୋଏ ଭଲ ନାହିଂ ତାର ଅନ୍ନ ବସ୍ତ୍ର ନ ମିଳଇ ନ ବସେ ସଭାର ।୧୦।

ଗୁରୁ ଯେ ପଂଚମୀ ବ୍ରତ ଗର୍ବରେ ନ କଲା ତେଣୁ ଲକ୍ଷ୍ମୀ ବାମ ଶୂର ସଭା ତ୍ୟାଗ ହେଲା ।୧୧।

ଶୁଣି ଏ ବଚନ ଇନ୍ଦ୍ର ଯୋଡ଼ି ବେନିପାଣି ଦିବ୍ୟାସନେ ବସାଇ କହଇ ସାଧୁବାଣୀ ।୧୨।

କହ ଆହେ ମୁନିବର ପ୍ରମଲକ୍ଷ୍ମୀଙ୍କ ବେଭାର ତୁମ୍ଭ ମୁଖୁ ଶୁଣି ପାତେକ ଯାଉଂ ମୋର ।୧୩।

ବଦୟନ୍ତି ନାରଦ ହେ ଶୁଣ ମଘବାନ ଲକ୍ଷ୍ମୀଛଡ଼ା ହୋଇଲେ ଜଗ ଯେ ମୋହନ ।୧୪।

ହୋଇଲେ ଯେମନ୍ତ ଭାବେ ଶୁଣ ମୁଂ କହଇ ୟେକ ମନେ ଶୁଣ କର୍ଣ୍ଣ ସାବଧାନ ହୋଇ ।୧୫।

ମେଷ ଯେ ଶୁକଳ ଯେ ଦଶମୀ ଗୁରୁବାର ଲକ୍ଷ୍ମୀ ନାରାୟଣ ବ୍ରତ ପଡ଼େ ସେ ଦିନର ।୧୬।

ରାତ୍ର ପହରକଠାରୁ ପରମଲକ୍ଷ୍ମୀ ଉଠି ଅଭୟେ ପଦ୍ମପାଦେ ଯାଇ କଲେ ଦେବୀ ତୁସ୍ତି ।୧୭।

ଆଗ୍ୟାଂଦେଲେ ମହାପ୍ରଭୁ ନଗ୍ର ବୁଲିଯିବି ନଗ୍ରର ଚରଚାମାନ ବୁଝିଣ ଆସିବି ।୧୮।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ବେଗହୋଇ ଯିବୁ ବଡ଼ଭାଇ ନ ଆସୁଣୁ ବେଳହୁଂ ଆସିବୁ ।୧୯।

ଶ୍ରୀମୁଖରୁ ଆଗ୍ୟାଂପାଇ ହରିର ଘରଣୀ ବଡ଼ନଗ୍ର ବୁଲିବାକୁ ଗଲେ କମଳିଣୀ ।୨୦।

ଜଗନାଥ ମୁଖରୁ ଏସନ ବାଣୀ ଶୁଣି ଭଣ୍ଡାର ଘରକୁ ବିଜେ କଲେ କମଳିଣୀ ।୨୧।

ବାଛି ବାଛି ଅନେକ ଯେ ଅଳଙ୍କାର ନେଲେ ଆପଣା ଶ୍ରୀହସ୍ତେ ମାଏ ସୁବେଶ ହୋଇଲେ ।୨୨।

ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ଚଉସରି ରତ୍ନମାଳା କଣ୍ଠେ ଲମ୍ବାଇଲେ ।୨୩।

ନୀଳା ସଙ୍ଗେ ଖଞ୍ଜିଲେ ମାଣିକ୍ୟ ଦିବ୍ୟ ହୀରା ମୁକୁତା ପ୍ରବାଳ ଶୋହେ ରତ୍ନ ଚଉସରା ।୨୪।

କଟୀରେ ଖଞ୍ଜିଲେ ମାୟେ ରତ୍ନ ଓଡ଼ିଆଣି ପୟରେ ଖଞ୍ଜିଲେ ମାୟେ ନେପୁର ବାଜେଣି ।୨୫।

ଶ୍ରୀକରେ ସୁବର୍ଣ୍ଣ ବାହି ମୁଦ୍ରିକା ଶୋହଇ ୟେ ବିଧି ଅନେକ ମାୟେ ସୁବେଶ ହୁଅଇ ।୨୬।

ରତ୍ନ ହାନ୍ଦୋଳାରେ ବିଜେ ବିଷ୍ଣୁର ଘରଣୀ ନଗ୍ର ବୁଲି ଯାଉଛନ୍ତି ଦେବୀ କମଳିଣୀ ।୨୭।

ଷାଠିଏ ସହସ୍ର ଘର ଦ୍ଵାରାବତୀ ପୁର ନଗ୍ରଯାକ ବୁଲିଣ ଆସନ୍ତି ତତପର ।୨୮।

ସବୁଦ୍ଵାରେ ପରମଲକ୍ଷ୍ମୀ ଫେରିଗଲେ ଆଚାରବନ୍ତ ବୋଲି କାହାକୁ ହିଂ ନ ଦେଖିଲେ ।୨୯।

କେବଣ ଯୁବତୀ ଯେ ନିଦ୍ରାରୁ ଉଠି ନାହିଂ ଅଗଣା ଖରକି ଦ୍ଵାରେ ଛେଡ଼ା ଦେଇ ନାହିଂ ।୩୦।

ସାତପାଂଚ ନାରୀମାନେ ୟେକ ରୁଣ୍ଡହୋଇ କେ ବୋଲଇ ସଙ୍ଗାତ ଗୋ କେ ବୋଲଇ ସହି ।୩୧।

ସୁଦଶା ବ୍ରତ କଲେ ଗୋ କି ଫଳ ମିଳଇ ତାହା ଶୁଣି ପରମଲକ୍ଷ୍ମୀ ନ ପାରିଲେ ସହି ।୩୨।

ବୋଇଲେ ମୋହର ବ୍ରତ ଘେନି ୟେକ ନାହିଂ ବିମୁଖ ହୋଇଣ ମହାଲକ୍ଷ୍ମୀ ବେଗେ ଯାଇଂ ।୩୩।

ସାପ୍ୟ ଦେଇ ପରମଲକ୍ଷ୍ମୀ ଲେଉଟାଣି ବେଳେ ଦେଖିଲେ ନଗ୍ର ବାହାରେ ଚଣ୍ଡାଳ ଦୁଆରେ ।୩୪।

ନଗ୍ରର ବାହାରେ ଶ୍ରୀୟା ଚଣ୍ଡାଳୁଣୀ ଘର ନିତିଦିନ ଖରକଇ ଗୁଣ୍ଡିଚା ନବର ।୩୫।

ସେହିଦିନ ପଡ଼ିଅଛି ଲକ୍ଷ୍ମୀ ଗୁରୁବାର ଶଉଚକରିଣ ସେ ଲିପିଲା ଘରଦ୍ଵାର ।୩୬।

ଏହି ଚଣ୍ଡାଳୁଣୀ ମୋର ଭଗତି ଘେନିଲା ରାତ୍ର ପହରକେ ଥାଉଂ ନିଦ୍ରାରୁ ଉଠିଲା ।୩୭।

ଏକବର୍ଣ୍ଣୀ ଗାଈର ଯେ ଗୋବର ଆଣିଲା ମୃତିକା ମିଶାଇଂ ଘର ସୁସଂଚ ସେ କଲା ।୩୮।

ଅତି ଯତ୍ନକରିଣ ସେ ମୁରୁଜ ଲେଖିଲା ତହିଂର ଉପରେଣ ପଦ୍ମ ଗୋଟିୟେକ ଲେଖିଲା ।୩୯।

ପଦ୍ମ ଉପରେଣ ଥାପିଲା ମାଧବୀ ଲତାୟେ ତହିଂ ଉପରେ ଥାପିଲା କୁଂକୁମ ଥୋପାଏ ।୪୦।

ଗନ୍ଧ ଯେ ଅୟେଂଳା ଘେନି ଚଣ୍ଡାଳୁଣୀ ଗଲା ନଦୀରେ ପଶିଣ ପଂଚୁ ସ୍ରାହାନ ସାରିଲା ।୪୧।

କଳସୀ ଗୋଟିଏ ନେଇଂ ଦ୍ଵାରେ ଯେ ସ୍ଥାପିଲା ପଂଚୁବର୍ଣ୍ଣ ପୁଷ୍ୟ ନେଇଂ ତହିଂରେ ରଖିଲା ।୪୨।

ଦୂବ ଦଶକେରୀ ଯେ ତଣ୍ଡୁଳ ଦଶଗୋଟି ଘେନି ଚଣ୍ଡାଳୁଣୀ କହେ ହୋଇଣ ବିନୋତି ।୪୩।

ମୋହ ଛାର ଚଣ୍ଡାଳୁଣୀ କିଛି ନ ଜାଣଇଂ କିଂଚିତ ଭଗତି ମୋର ଘେନ ମହାମାଇଂ ।୪୪।

ପଦ୍ମଲୋଚନି ମା ଗୋ ପଦ୍ମଫୁଲେ ବାଈ ପଦ୍ମ ଦେଖି ଶରଧା ବଳିଲା ମହାମାଇଂ ।୪୫।

ବୋଇଲେ ଲୋ ଚଣ୍ଡାଳୁଣୀ ମାଗିଘେନ ବର ପ୍ରସନ ହୋଇଲି ନାଶ ଦୁଃଖ ଗଲା ତୋର ।୪୬।

ଚଣ୍ଡାଳୁଣୀ କହୁଅଛି ଶିରେ କରଦେଇଂ ଯେ ବର ମାଗିବି ବର ଦିଅ ମହାମାଇଂ ।୪୭।

ଗୁହାଳକୁ ଦେବୁ ମାଗୋ ଲକ୍ଷେଗଣ୍ଡା ଗାଈ ଗଙ୍ଗା ଯେ ଯମୁନା ଦେବୁ ୟେ ଧାନ ମରାଇ ।୪୮।

କୋଳକୁ ନନ୍ଦନ ଦେବୁ ହସ୍ତେ ସୁନାବାହି ଚାରିଯୁଗ ରହିବି ଅମରବର ପାଇଂ ।୪୯।

ଲକ୍ଷ୍ମୀ ଯେ ବୋଇଲେ ତୁ ଗୋ ହୋଇଲୁ କି ବାଈ ଦ୍ଵାରିକା ସମ୍ପଦଯାକ ଘେନିଲୁ ଛଡ଼ାଇ ।୫୦।

ସବୁ ବରଯାକ ମୁଂ ଦେଇଂ ଯେ ପାରଇଂ ଅମର ବର ହେଲେ ଦେଇଂ ନ ପାରଇଂ ।୫୧।

ଜୀବ ଥିବାଯାକ ତୁ ଲୋ କୈବଲ୍ୟ ଭୁଂଜିବୁ ଅନ୍ତକାଳେ ଅମର ବୈକୁଣ୍ଠରେ ବସିବୁ ।୫୨।

ମୋହ ବ୍ରତ କରି ତୁ ଲୋ ବଂଚୁଥିବୁ ଦିନ ମୋହର ବ୍ରତକୁ ତୁ ଲୋ ନ କରିବୁ ଆନ ।୫୩।

ଚଣ୍ଡାଳୁଣୀ ବୋଲୁଅଛି ଶିରେ କରଦେଇଂ ଯେଉଂ ଆଗ୍ୟାଂ ହେବ ମୋତେ ଠାକୁରାଣୀ ଆଇଂ ।୫୪।

ମହାଲକ୍ଷ୍ମୀ ବୋଇଲେ ଲୋ ଚଣ୍ଡାଳୁଣୀ ତୁହି ତୋହର ଆଗରେ ମୁଂ ଲୋ ଯାଉଅଛି କହି ।୫୫।

ଗୁରୁବାର ଯେଉଂ ସ୍ତିରୀ ଭୁଞ୍ଜଇ ଆଇଂସ ପ୍ରାଣେ ନ ମାରଇ ମୁଂ ବୁଲାଇ ଦେଶଦେଶ ।୫୬।

ଗୁରୁବାର ଯେଉଂ ସ୍ତିରୀ ନ କାଢଇ ପାଉଂଶ ତାହାର ବଂଶକୁ ମୁଂ କରଇ ପ୍ରାଣେ ନାଶ ।୫୭।

ହାଣ୍ଡି ଧୋଇଂ ଯେଉଂ ସ୍ତିରୀ ନ ଛଡ଼ାଇ କଳା ସବୁ ହତଶିରୀଯାକ ତାର ଘରେ ମେଳା ।୫୮।

ଶେଯ ପାଡ଼ି ଯେଉଂ ସ୍ତିରୀ କରୁଥାଇଂ ବାଂକ ସାତ ଜନ୍ମଯାଏ ସେହୁଂ ହୋଇଥାଏ କାଙ୍କ ।୫୯।

ଗୁରୁବାରେ ଯେଉଂ ସ୍ତିରୀ ଭାଂଜଇ ଯେ ଖଇ ତାହାର ବଂଶକୁ ମୁଂ ଯେ ବୁଲାଇଂ ଦେହିଂ ଦେହିଂ ।୬୦।

ମୋର ଗୁରୁବାର ଯେହୁଂ ଭାଂଜଇ ଚାଉଳ ତାହାର ବଂଶକୁ ମୁଂ କରଇ ନେହୁଳ ।୬୧।

ଗୁରୁବାରେ ଯେଉଂ ସ୍ତିରୀ ଘେନଇଂ ଅଏଂଳା ତାହାକୁ ସନ୍ତୋଷ ହ୍ଵନ୍ତି ଦେବୀ ଯେ କମଳା ।୬୨।

ସିନ୍ଦୂର କଜ୍ଵଳ ସେ ହଳଦୀ ଘେନଇ ତାହାକୁ ପ୍ରସନ ମୁହିଂ ସର୍ବଦା ହୁଅଇ ।୬୩।

ଗୁରୁବାରେ ନ ଯିବଟି ସ୍ଵାମୀଙ୍କର ପାଶ ୟେତେ ପରିଗ୍ରହ କଲେ ବୈକୁଣ୍ଠରେ ବାସ ।୬୪।

ବର ଦେଇଂକରି ଗଲେ ଦରିଦ୍ରଭଂଜନୀ ବିଜେକରି ଯାଉଂଛନ୍ତି ଦେବୀ କମଳିଣୀ ।୬୫।

ହରି ବଳରାମ ସେ ଯେ ମୃଗୟା ଯାଇଥିଲେ ଯୋଗବଳ କରି ବଳରାମେ ଯେ ଭେଟିଲେ ।୬୬।

ଦେଖ ଦେଖ କନାଇ ତୋ ଭାରିଜାର ଗୁଣ କେତେ ଯେ ଅନାଇଂଛନ୍ତି ଶୂଦ୍ର ଯେ ବ୍ରାହ୍ମଣ ।୬୭।

ହାଡ଼ିଦ୍ଵାରେ ଥିବ ଲକ୍ଷ୍ମୀ ପାଣଦ୍ଵାରେ ଥିବ ସ୍ରାହାନ ନ କରି ବଡ଼ଦେଉଳେ ପଶିବ ।୬୮।

ୟେମନ୍ତ କରିଣ ସେ ଯେ ପୁରକୁ ଆସିବ ଦୁଇଗୋଟି ଭାଇଙ୍କି ବିଟାଳ କରାଇବ ।୬୯।

ଦରିଦ୍ରଭଂଜନୀ ବୋଲି ନାମ ଅଛି ବହି ଦରିଦ୍ରମାନଙ୍କ ଦୁଖକଷ୍ଟ ନ ପାର‌ଇ ସହି ।୭୦।

ସୁଦଶା ବ୍ରତ ବୋଲିଣ ବ୍ରତେକ ତାହାର ଚଣ୍ଡାଳୁଣୀ ପ୍ରତିଦିନ ପୂଜେ ତା ପୟର ।୭୧।

ଏ ମୋହର ବୋଲକରି ଦିଅ ଘ‌ଉଡ଼ାଇଂ ଏ ଭାରିଜା ଥିଲେ ଭାଇ ଭଲ ଗତି ନାହିଂ ।୭୨।

ଗୋବିନ୍ଦ ବୋଇଲେ ଭାଇ ଘ‌ଉଂଡ଼ାଇ ଦେବ ଘରର ଘରଣୀ ଗଲେ ଶୋଭା କି ପାଇବ ।୭୩।

ବଳରାମେ ବୋଇଲେ ଯେବେ ଭାରିଯାରେ କାର୍ଯ୍ୟ ଚଣ୍ଡାଳ ସାହିରେ ଘର ତୋଳ ଦେବରାଜ ।୭୪।

ଚଣ୍ଡାଳ ସାହିରେ ତୁ ଯେ ଘରେକ ତୋଳିବୁ କୁକୁଡ଼ା ଶୂକର ଲୋଚାୟେ ପାଳିବୁ ।୭୫।

ମୋହ ବଡ଼ଦେଉଳକୁ ଆଉ ନ ଆସିବୁ ମାଇପକୁ ଘେନି ନଗ୍ର ବାହାରେ ତୁ ଥିବୁ ।୭୬।

ଜଗନାଥେ ବୋଇଲେ ହେ ବଳରାମ ଭାଇ ଲକ୍ଷ୍ମୀପରା ଭାରିଯାକୁ ପାଇବଇଂ କାହିଂ ।୭୭।

ପୁଣ୍ୟ କରିଥିଲେ ପାଇ ଏମନ୍ତ ଭାରିଯା ୟେ ଭାରିଜା ଛାଡ଼ିଲେ କୁଳକୁ ବଡ଼ ଲଜ୍ୟା ।୭୮।

ସ୍ତିରୀ ଅପରାଧ କଲେ କ୍ଷମା କରେ କାନ୍ତ ଭୃତ୍ୟ ଅପରାଧ କଲେ କ୍ଷମେ ଯେ ସାମନ୍ତ ।୭୯।

ନ ଜାଣିଣ ଦୋଷକଲା ସିନ୍ଧୁ ରାଜଜେମା ବାରେ ମାତ୍ର ଦୋଷ ଭାଇ ତୁମ୍ଭେ କର କ୍ଷମା ।୮୦।

ସ୍ଵର୍ଗର ଯେ ଦେବଦଣମାନ ଅଣାଇବା ରୋଷାଇଂ ଯେ ସଂଚାକରି ଜାଣି ଭୁଂଜାଇବା ।୮୧।

ୟେବାର ପ୍ରମଲକ୍ଷ୍ମୀ ଜାତିରେ ଭରିବା ଆଉବାରେ ଦୋଷକଲେ ଘ‌ଉଡ଼ାଇ ଦେବା ।୮୨।

ବଳରାମେ କହୁଛନ୍ତି ଶୁଣରେ କନାଇ କମଳିଣୀ ଥିଲେ ଭାଇ ଭଲଗତି ନାହିଂ ।୮୩।

ବେଗକରି ଲକ୍ଷ୍ମୀକି ହୋ ଦିଅ ଘ‌ଉଡ଼ାଇ ଲକ୍ଷ୍ମୀର ଗରବକୁ ଯେ ନ ପାରଇ ସହି ।୮୪।

ଜଗନାଥେ ବୋଇଲେ ହୋ ବଳରାମ ଭାଇ ଯେତେବେଳେ ସମୋଦ୍ର ମନ୍ଥିଲୁ ଗୋସାଇଂ ।୮୫।

ତାର ପିତା ବରୁଣ ଯେ ବର ବରିଥିଲା କନେକ ବେଦୀରେ ନେଇ ବିବାହ କରାଇଲା ।୮୬।

ବିଭା ଦେଲାବେଳେ ମୋତେ ବୋଲିଛି ବରୁଣ ଦଶଦୋଷ କ୍ଷମାକରିବ ଯେ ନାରୟଣ ।୮୭।

ଦଶଦୋଷୁ ୟେକଦୋଷ କ୍ଷମା ଯେ ନ କଲ କିଂଚିତ ଦୋଷକୁ ଘ‌ଉଡ଼ାଇ ଦେଲ ।୮୮।

ଗୋବିନ୍ଦେ ବୋଇଲେ ଶୁଣ ବଳରାମ ଭାଇ କେମନ୍ତେ ଛାଡ଼ିବା ଲକ୍ଷ୍ମୀ ପ୍ରଥମ ବିଭାଇ ।୮୯।

ବଳରାମେ ବୋଇଲେ ତୁ ଶୁଣ ହେ କନାଇ ମୋହର ବଚନ ଭାଇ ନ ଭାବରେ ତୁହି ।୯୦।

ଭାରିଯା ବୋଲିଣ ପାଦର ଯେ ପାଣ୍ଡୋଇ ଭାଇ ଥିଲେ ଭାରିଯା କୋଟିଏ ବିଭା ହୋଇ ।୯୧।

କୋଟି କୋଟି ରାଜକନ୍ୟା କରିବି ପ୍ରଦାନ ବିଭା କରାଇବି ୟେହା ସତ୍ୟ ମୋ ବଚନ ।୯୨।

କହୁଛନ୍ତି ଶଂକ୍ରିସେଣ ଶୁଣରେ କନାଇ ଭାଇ ବୋଲି ଯାହା କହିବା ଦକ୍ଷିଣ ଭୁଜ ସେହି ।୯୩।

ଏ କଥାକୁ ଶୋଚନା ତୁ ଯେ ନ କର କନାଇ ଏପରି ଭାରିଜା ଥିଲେ ବାବୁ ଭଲ ଗତି ନାହିଂ ।୯୪।

ଗୋବିନ୍ଦ ବୋଇଲେ ଭାଇ ଘ‌ଉଡ଼ାଇ ଦେବ ଘରର ଘରଣୀ ଗଲେ ଶୋଭା କି ପାଇବ ।୯୫।

ବଳରାମେ କହୁଛନ୍ତି ଶୁଣରେ କନାଇ ଜାତିହୀନ ଭାରିଜାକୁ ଛୁଇଂ ନ ଯୋଗାଇ ।୯୬।

ଭାଇ ଯେ କୁଟୁମ୍ବମାନେ କି ବୋଲି କହିବେ ତୋହ ଘରର ଅନ କେଭେ ନ ଛୁଇଂବେ ।୯୭।

ଧିକାର ବଚନ ପ୍ରଭୁ ସହି ନ ପାରିଲେ ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କହିଲେ ।୯୮।

ଏତେ ବୋଲି ଜଗନାଥେ ଦେଉଛନ୍ତି କହି ଏ ଛାର କଥାକୁ ନିକି ବାଦ ରଖିଛ‌ଇ ।୯୯।

ଯେତେବେଳେ ଲକ୍ଷ୍ମୀକୁ ଦେଖିଲେ ଚକ୍ରଧର ଜାଣିଲେ ପରମଲକ୍ଷ୍ମୀକୁ ଚଣ୍ଡାଳସାହିର ।୧୦୦।

ସନ୍ତୋଷେ ପରମଲକ୍ଷ୍ମୀ ତାକୁ ବର ଦେଇ ମୋହ ବ୍ରତ ବିଧିମତେ ଘେନିଥିବୁ ତୁହି ।୧୦୧।

ମୋହର ଚରଣେ ଚିତ ଥିବୁ ଖଟାଇ ମୋହର ଚରିତମାନ ଦେଉଥିବୁ କହି ।୧୦୨।

କୁଡ଼ିଆ ଖଣ୍ଡିକ ତାର ବୁଲରିର ବାସ ଲକ୍ଷ୍ମୀ ଦୟାକଲେ ତାକୁ ଜଗତି ବିଳାସ ।୧୦୩।

ଯେଉଂ ଚଣ୍ଡାଳୁଣୀ ଘରେ ନ ଥିଲାକ ଅର୍ଣ୍ଣ ଚତୃପାଦେ ଦେଲେ ମାଏ ଶୁଧ୍ୟ ସେ ସୁବର୍ଣ୍ଣ ।୧୦୪।

ଯେଉଂ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର ଲକ୍ଷ୍ମୀ ଦୟାକଲେ ତାକୁ ଦେଲେ ପାଂଚ ପୁତ୍ର ।୧୦୫।

ବରଦେଇ ପରମଲକ୍ଷ୍ମୀ ବିଜେ କରିଗଲେ ଧନ ପୁତ୍ରବନ୍ତୀ ହୁଅ ବୋଲିଣ କହିଲେ ।୧୦୬।

ଶିରରେ ପଣନ୍ତ ଦେଇ ତରତର ହୋଇ କବାଟ କଣରେ ମାଏ ବିଜେକଲେ ଯାଇଂ ।୧୦୭।

ବାଟଛାଡ଼ ମହାପ୍ରଭୁ ଭିତରକୁ ଯିବି ଦଶମି ଯୋଗାଡ଼ ମୁଂ ଯେ ମଣୋହିଂ ରନ୍ଧିବି ।୧୦୮।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲୁ କି ବାଈ ଚଣ୍ଡାଳ ଦୁଆରେ ତୁ ଯେ ଥିଲୁ କାହିଂ ପାଇଂ ।୧୦୯।

ଆମ୍ଭେ ନ ଦେଖିଲୁ ଯେ ଦେଖିଲେ ବଡ଼ଭାଇ ଆମ୍ଭେ ଦେଖିଥିଲେ ଅବା ଦିଅନ୍ତୁ ଘୋଡ଼ାଇ ।୧୧୦।

ଯାଅ ଗୋ ପରମଲକ୍ଷ୍ମୀ ତୁମ୍ଭରେ କାର୍ଯ୍ୟ ନାହିଂ ଏମନ୍ତ ବୋଲିଣ ଯେ ବୋଇଲେ ଭାବଗ୍ରାହୀ ।୧୧୧।

ହାଡ଼ିଘରେ ଥିବୁ ଲକ୍ଷ୍ମୀ ପାଣଘରେ ଥିବୁ ସ୍ରାହନ ନ କରି ବଡ଼ଦେଉଳେ ପଶିବୁ ।୧୧୨।

ଏମନ୍ତ କରିଣ ଯେ ଘରକୁ ଆସିବୁ ଦୁଇଗୋଟା ଭା‌ଇଙ୍କି ବିଟାଳ କରାଇବୁ ।୧୧୩।

ଦରିଦ୍ରଭଂଜନୀ ବୋଲି ନାମ ଅଛୁ ବହି ଦରିଦ୍ରଙ୍କ ଦୁଖକଷ୍ଟ ନ ପାରୁ ଯେ ସହି ।୧୧୪।

ତୋହ ପରି ପାପୀ ଲକ୍ଷ୍ମୀ ସଂସାରରେ ନାହିଂ ମୋହର ବଚନ ଏବେ ଶୁଣ ପ୍ରାଣସହି ।୧୧୫।

ଜଗତେ ବୋଲନ୍ତି ତୋତେ ବାଈ ଠାକୁରାଣୀ ବାଈ ପ୍ରାୟେ ବୁଲୁଥାଉ ମୋହର ଘରଣୀ ।୧୧୬।

ୟେକ ଘର କରାଉ ତୁ ସହସ୍ର ଘର ଭାଙ୍ଗି ସହସ୍ର ଘର କରାଉ ୟେକ ଘର ଭାଙ୍ଗି ।୧୧୭।

ଏମନ୍ତ ବୋଲିଣ ଲକ୍ଷ୍ମୀ ମହିମା ତୁମ୍ଭର ଆଜ ପରମଲକ୍ଷ୍ମୀ ତୁ ନ ଥା ଏ ଠାବର । ୧୧୮।

ପରମଲକ୍ଷ୍ମୀ କହୁଛନ୍ତି ଠାକୁରଙ୍କୁ ଚାହିଂ କେଉଂ ଅପରାଧେ ମୋତେ ଛାଡ଼ିଲ ଗୋସା‌ଇଂ ।୧୧୯।

ଲିପିଲାପୋଛିଲା ଠାରେ ଥିଲି ଉଭାହୋଇ ୟେଥକୁ ଚଣ୍ଡାଳୁଣୀ ହୋଇଲି ଗୋସାଇଂ ।୧୨୦।

ଗଲା ଯେ ହଜିଲା ପ୍ରଭୁ ଖୋଜିଲେ ନ ପାଇ ତୁମ୍ଭର ଅଟଇ ମୁଂ ଯେ ପ୍ରଥମ ବିଭାଇ ।୧୨୧।

ଛାଡ଼ପତ୍ର ଦେଇ ମତେ ଦିଅ ଘଉଡ଼ାଇ ଜଗନାଥେ କହୁଛନ୍ତି ଲକ୍ଷ୍ମୀକୁ ଅନାଇ ।୧୨୨।

ଆମ୍ଭର ବଂଶରେ ପୁଣ ଛାଡ଼ପତ୍ର ନାହିଂ ଛାଡ଼ିଲାର ଭାରିଜା ଗୋ ଦେଖି ନ ଯୋଗାଇଂ ।୧୨୩।

କୋଟି କୋଟି କରି କନ୍ୟା ଆମ୍ଭେ ଦାନଦେଇଂ ମହାଲକ୍ଷ୍ମୀ କହୁଛନ୍ତି ଶ୍ରୀମୁଖକୁ ଚାହିଂ।୧୨୪।

କେଉଂ ଅପରାଧେ ମୋତେ ଛାଡ଼ିଲ ଗୋସାଇଂ ଯେତେବେଳେ ସମୋଦ୍ର ମନ୍ଥିଲ ତୁମ୍ଭେ ଯାଇଂ ।୧୨୫।

ବେଦବର ପରସାଦେ ମୋତେ ଯେ ପାଇଲ ୟେତେବେଳେ ପ୍ରଭୁ ମନୁ ଦୟା ପାସୋରିଲ ।୧୨୬।

ମୋର ପିତା ବରୁଣ ଯେ ବର ବରିନେଲା କନେକ ବେଦିରେ ମୋତେ ବିଭା କରାଇଲା ।୧୨୭।

ଝିଅ ଦେଇ ତୁମ୍ଭଠାରେ ପଶିଲା ଶରଣ ଦଶଦୋଷ କ୍ଷମା ତୁମ୍ଭେ କରିବ ଆପଣ ।୧୨୮।

ଦଶଦୋଷୁ ୟେକଦୋଷ କ୍ଷମା ତ ନ କଲ କେଉଂ ଅପରାଧେ ତୁମ୍ଭେ ଘଉଡ଼ା‌ଇଂ ଦେଲ ।୧୨୯।

ଜଗନାଥେ କହୁଛନ୍ତି ଲକ୍ଷ୍ମୀଙ୍କି ଅନାଇଂ ବାପା ତୋ ଲୁଣିୟା ହୁଣ୍ଡା(ବୁଢ଼ା) ଗର୍ଜି ମରୁଥାଇ ।୧୩୦।

ଝିଅ କାଣୀ ଟେରୀ ଗୁଣ କହିଲେ ନ ସରଇ ଯେତେବେଳେ ଦେଉଳେ ରହିଲଇଂ ମୁହିଂ ।୧୩୧।

ବାପା ଗରଜନ ତୋର ନ ପାରିଲି ସହି ମେଘନାଦ ପାଚେରି ଯେ ଗୋଟିୟେ ବେଢାଇ ।୧୩୨।

ପରମଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇଂ ଆମ୍ଭ ଜାତି କୁଳ ତୁମ୍ଭେ ଭର୍ଛିଲ ଗୋସାଇଂ ।୧୩୩।

ପ୍ରଭୁପଣେ ସବୁ କହିପାର ହେ ଗୋସାଇଂ ତୁମ୍ଭ ଜାତି କୁଳ କେଡ଼େ କହିବଇଂ ମୁହିଂ ।୧୩୪।

ପାଣ୍ଡବେଙ୍କ ଛଳେ ପ୍ରଭୁ ଦୂତପଣେ ଗଲ ବିଦୁର କେବଣ ଜାତି ତା ଘରେ ଭୁଂଜିଲ ।୧୩୫।

ବିଶୁନୁପାତିଆ ଘରେ ଭୁଂଜିଲ ଗୋସାଇଂ ବିଶୁନୁପାତିଆ ବୋଲି ଯେ ବିଦୁରକୁ କହି ।୧୩୬।

ମାତା ଶୂଦ୍ରାୟେଣୀ ଯେ ବ୍ରାହ୍ମଣ ତାର ପିତା ତା ଘରେ ଭୁଂଜିଲ ପ୍ରଭୁ ଜଗତକରତା ।୧୩୭।

ରାମ ନାମେ କବୀର ଯେ ଜାତିରେ ଭୁଡୁକ ଭକ୍ତଭାବେ ତା ଘରେ ଭୁଂଜିଲ ଜଗନାଥ ।୧୩୮।

ବସୁ ନାମେ ଶବର ସେ ବନସ୍ତେ ତା ଘର କେନ୍ଦୁ ଯେ କପିଥ ଘେନି ପୂଜିଲା ପୟର ।୧୩୯।

ପିତା କଷା ଫଳମାନ ଶବର ଚାଖଇଂ ମଧୁର ଯେ ଫଳ ଲାଗେ ତୁମ୍ଭ ତୁଣ୍ଡେ ଦେଇ ।୧୪୦।

ନନ୍ଦଘରେ ରହିଲ ବେନିଗୋଟି ଭାଇ ତୁମ୍ଭ ଜାତି କୁଳ ଏମନ୍ତ ଅଟଇ ।୧୪୧।

ଜଗନାଥେ କହୁଛନ୍ତି ସବୁ କଥା ହେଉଂ ଯାଅ ଯା ବୋଲି ବୋଇଲେ ଲକ୍ଷ୍ମୀ କିଂପାଇ ନ ଯାଉ ।୧୪୨।

କମଳିନୀ ଦେବୀ ତହୁଂ ମନେ ବିଚାରିଲେ ଜଗନାଥ ମହାପ୍ରଭୁ ମୋତେ ନିଶ୍ଚୟ ଛାଡ଼ିଲେ ।୧୪୩।

ଜଗନାଥେ ବୋଇଲେ ଲକ୍ଷ୍ମୀ ଏମନ୍ତ କରିବି ଯାଚି ପଡ଼ି ବରତନ ଲେଖି ଯୋଖି କରି ଦେବି ।୧୪୪।

ଭାଇଙ୍କି ପ୍ରବୋଧି ଯେ ମୁଂ ଆଣିବି ସେହିକ୍ଷଣି ପରମଲକ୍ଷ୍ମୀ ବୋଇଲେ ପଡ଼ିରେ କାର୍ଯ୍ୟ ନାହିଂ ପୁଣି ।୧୪୫।

ରାଣ୍ଡ ନିଲକ୍ଷଣୀ ଝିଅ ନୋହଇ ଯେ ମୁହିଂ ଅନାସ୍ତ ଜନଙ୍କ ପ୍ରାୟ ଦେଲ ଘଉଡ଼ାଇ ।୧୪୬।

ପିତାଙ୍କ ଘରକୁ ମୁଂ ଯେ ଯିବଇଂ ବାହୁଡ଼ି ତୁମ୍ଭ ଅଳଙ୍କାର ନିଅ ଦେଉଅଛି କାଢ଼ି ।୧୪୭।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଈ ଅଳଙ୍କାର ତୋର ଆମ୍ଭେ ନେବୁ କାହିଂ ପାଇଂ । ୧୪୮।

ଯେଉଂପରି ଭାରିଯାର ଦେହେ ଅଳଙ୍କାର ଥାଇଂ ତାହାର ଗୁରସ୍ତ କି ରୂପେ ନିଅଇଂ ।୧୪୯।

ପରମଲକ୍ଷ୍ମୀ ବୋଇଲେ ହୋ ତାହା ତ ନୁହଇଂ ତୁମ୍ଭର ଅଟଇ ମୁଂ ଯେ ପ୍ରଥମ ବିଭାଇ ।୧୫୦।

ପଶ୍ଚାନ୍ତେ ବୋଲିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା ଲକ୍ଷେ ଟଙ୍କାର ଅଳଙ୍କାର ଆମ୍ଭର ସେ ନେଲା ।୧୫୧।

ୟେତେ ଅପକ୍ଷାତି ମୋର ନୋହୁଂ ନା ଗୋସାଇଂ ତୁମ୍ଭ ଅଳଙ୍କାର ତୁମ୍ଭେ ନିଅ ବାହୁଡ଼ାଇଂ ।୧୫୨।

ଚିରା ବସ୍ର ପିନ୍ଧି ପାଟ ପାଲଟି ଥୋଇଲେ ହସ୍ତରୁ ସୋବର୍ଣ୍ଣ ବାହି ଖୋଲି ପକାଇଲେ ।୧୫୩।

ଶିରରୁ କାଢ଼ିଲେ ମାଏ ମୁକୁତାର ଝାଲି ହୃଦରୁ କାଢ଼ିଲେ ଇନ୍ଦ୍ରଗୋବିନ୍ଦ କାଂଚୋଲି ।୧୫୪।

ଅଂଟାରୁ କାଢ଼ିଲେ ସେ ରତ୍ନ ଓଡ଼ିଆଣି ନାସାରୁ କାଢ଼ିଲେ ସେ କନେକ ବସଣି ।୧୫୫।

କାନରୁ କାଢ଼ିଲେ ମାୟେ ହୀରାର କୁଣ୍ଡଳ ଗଳାରୁ କାଢ଼ିଲେ ଯେ ଦୋସରି ଚିନାମାଳ ।୧୫୬।

ଅନ୍ୟ ଅଳଙ୍କାର କଥା କି କହିବା ଆଉ ରୁଣ୍ଡକଲେ ସମସ୍ତ ଦିଶନ୍ତି ଦାଉଦାଉ ।୧୫୭।

ଅଷ୍ଟ ଅଳଙ୍କାର ମାୟେ ଏକରୁଣ୍ଡ କଲେ ପ୍ରଭୁଙ୍କ ଛମୁରେ ସମର୍ପିଣ ଦିଲେ ।୧୫୮।

ଗୋବିନ୍ଦେ ବୋଲନ୍ତି କଥାୟେକ କହିବଇଂ ମୁହିଂ ଆମ୍ଭର ଯେ ଅଳଙ୍କାରେ ପ୍ରୟୋଜନ ନାହିଂ ।୧୫୯।

ଯେଉଂ ମାଇପକୁ ଯେଉଂ ଗୁରସ୍ତ ଛାଡ଼ଇଂ ଛ ମାସକୁ ଭାତଲୁଗା ଲେଖିଯୋଖି ଦେଇଂ ।୧୬୦।

ମୋହରି ପରାୟେକ ସ୍ତୀରିୟେ ଆଣିବ ୟେହି ଅଳଙ୍କାରମାନ ଆଭରଣ ଦେବ ।୧୬୧।

ମୁହିଂ ଯାଉଅଛି ରାଣ୍ଡ ନିଲକ୍ଷଣୀ ହୋଇଂ ୟେ ମୋହର ଶାପ୍ୟ ଘେନ ଦୁଇଭାଇ ।୧୬୨।

ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହେବେ ଆତଯାତ କଦାଶ୍ଚିତେ ଅର୍ଣ୍ଣ ନ ମିଳିବ ଜଗନାଥ ।୧୬୩।

ବାର ଯେ ବରଷ ତୁମ୍ଭେ ଦରିଦ୍ର ହୋଇବ ଅର୍ଣ୍ଣ ପାଣି ମାଗିଲେ ତୁମ୍ଭଙ୍କୁ ନ ମିଳିବ ।୧୬୪।

ବସ୍ର ହିଂ ମାଗିଲେ ବସନ ଦେବେ ନାହିଂ କେହିଂ ମହାଦୁଖ ପାଇବ ଯେ ଦୁଇଗୋଟି ଭାଇ ।୧୬୫।

ଅର୍ଣ୍ଣ ଯେ ନ ମିଳୁ ତୁମ୍ଭଙ୍କୁ ବାର ଯେ ବରଷ ବାହାର କରି ଦେବାର ପାଇବଟି ଦୋଷ ।୧୬୬।

ମୁହିଂ ଚଣ୍ଡାଳୁଣୀ ଯେବେ ରାନ୍ଧିଦେବି ଅନ୍ନ ତୁମ୍ଭେ ଯେ ଭୁଂଜିବ ପ୍ରଭୁ କାଳୀୟଗଞ୍ଜନ ।୧୬୭।

ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଈ ତୋହରି କହିଲେ କି ଦରିଦ୍ର ଆମ୍ଭେ ହୋଇ ।୧୬୮।

ବାଉନ କୋଟି ଭଣ୍ଡାର ଅଛି ନା ଆମ୍ଭର ତେତିଶ କୋଟି ଦେବତା ଖଟନ୍ତି ପୟର ।୧୬୯।

ୟେତେ ବୋଲି ପ୍ରମଲକ୍ଷ୍ମୀ ଶାପ୍ୟ ଦେଇଗଲେ ଦେଉଳୁଂ ବାହାର ହୋଇ ଖଣ୍ଡେ ଦୂର ଗଲେ ।୧୭୦।

ଏହିକାଳେ ଦାସୀ ଯାଇଂ ପ୍ରବେଶିଲେ ପାଶ ବୋଇଲେ ଗୋ ମାତ କାହିଂ ଯାଉଅଛ ଆସ ।୧୭୧।

ବଡ଼ ଦେଉଳକୁ ଲକ୍ଷ୍ମୀ ଲେଉଟି ଚାହିଂଲେ କିପାଇଂ ଗୋଡ଼ାଇଅଛ ଦାସୀଙ୍କି ବୋଇଲେ ।୧୭୨।

ମୁହିଂ ଯାଉଅଛି ରାଣ୍ଡ ନିଲକ୍ଷଣୀ ହୋଇ ମୋହର ସଙ୍ଗତେ କିମ୍ପା ଅଛ ଲୋ ଗୋଡ଼ାଇ ।୧୭୩।

ଲକ୍ଷ୍ମୀ ଠାକୁରାଣୀ ତୁମ୍ଭେ ଯାଉଅଛ କାହିଂ କାହାର ମୁଖକୁ ଆମ୍ଭେ ଚାହିଂବୁ ଗୋ ଆଇଂ ।୧୭୪।

ଛପନ କୋଟି ଜୀବଙ୍କୁ ଦେଉଅଛୁ ପଡ଼ି ଅନାସ୍ତ କରିଣ ୟେବେ କାହିଂ ଯିବ ଛାଡ଼ି ।୧୭୫।

ଏହା ଶୁଣି ପ୍ରମଲକ୍ଷ୍ମୀ ଚିତେ ଦୟାକଲେ ଆସ ଆସ ବୋଲି ମୁଖେ ଆଗ୍ୟାଂଦିଲେ ।୧୭୬।

ୟେତେ କହି ପ୍ରମଲକ୍ଷ୍ମୀ ପଳାଇଣ ଗଲେ ସିନ୍ଦୁତଟେ ଯାଇଣ ପ୍ରବେଶ ହୋଇଲେ ।୧୭୭।

ବାରାସ୍ଵତିପୁରରେ ବରୁଣ ରହିଥିଲା କମଳା ସୁମରନ୍ତେ ଯେ ସନିଧେ ପ୍ରବେଶ ହୋଇଲା ।୧୭୮।

ଦେଖିଲା ବରୁଣ ଯହୁଂ କମଳା ରୋଦନ ଶରଦ ଚନ୍ଦ୍ରମାମୁଖ ଯେ ହୋଇଛି ମଳିଣ ।୧୭୯।

କମଳା ବଚନ ଶୁଣି ବୋଲନ୍ତି ବରୁଣ ବାହାରି ଯିବାକୁ କିମ୍ପା ଆଗ୍ୟାଂ ଦିଲେ ନାରାୟଣ ।୧୮୦।

ପ୍ରମଲକ୍ଷ୍ମୀ ବୋଇଲେ ପିତା ଶୁଣ ମନଦେଇ ଚଣ୍ଡାଳ ଦୁଆରେ ମୁଂ ଯେ ଥିଲି ଉଭାହୋଇ ।୧୮୧।

ବଡ଼ଭାଇ ବଳରାମେ ସହି ନ ପାରିଲେ ଅନେକ ପ୍ରକାରେ କଟୁ ବଚନ କହିଲେ ।୧୮୨।

ମୋହର ଯେ ପ୍ରଭୁ ତାହା ନ ପାରିଲେ ସହି କୋପଭର ହୋଇ ମୋତେ ଦିଲେ ଘ‌ଉଡ଼ାଇଂ ।୧୮୩।

ବରୁଣ ବୋଇଲେ ଯେ କମଳା ମୁଖ ଚାହିଂ ଆମ୍ଭର ପୁରକୁ ମାଗୋ ଚାଲ ବେଗେ ତୁହି ।୧୮୪।

ପ୍ରମଲକ୍ଷ୍ମୀ ବୋଇଲେ ବରୁଣ ମୁଖ ଚାହିଂ ତୁମ୍ଭର ପୁରକୁ ପିତା ଯିବି କାହିଂପାଇଂ ।୧୮୫।

ଏହି ଯେ ଠାବରେ ମୁଂ ମୋର ଘର ତୋଳାଇବି ଖୁଂଟି ଯେ ବାଞ୍ଝ ପରି ଦିନ ମୁଂ ହରିବି ।୧୮୬।

ବରୁଣ ପୁରକୁ ଯେ ନ ଗଲେ ମହାମାଈ କୋବେରକୁ ସୁମରଣ କଲେ ଲକ୍ଷ୍ମୀଦେଈ ।୧୮୭।

ଭୋ ପିତା କୋବେର ତୋର ପରିମୁଣ୍ଡା ଯାଇ ଦିବ୍ୟକରି ଘର ମୋତେ ଦେବାକ ତୋଳାଇ ।୧୮୮।

କମଳା ବଚନ ଯହୁଂ କୋବେର ଶୁଣିଲେ ସର୍ଗ ବିଶକର୍ମାକୁ ସେ ରାଇ ଆଗ୍ୟାଂ ଦିଲେ ।୧୮୯।

ତୁମ୍ଭେ ହୋ ବିଶକର୍ମା ବେଗେ ଚଳିଯିବୁ କମଳାଙ୍କୁ ଦିବ୍ୟପୁର ତୋଳାଇଣ ଦେବୁ ।୧୯୦।

ବିଶକର୍ମା ବୋଇଲା ତୋ ଆଗ୍ୟାଂପାଇ ଯିବି କେବଣ ଠାବରେ ଘର ଗୋଟାୟେ ତୋଳିବି ।୧୯୧।

ଲକ୍ଷ୍ମୀ ବୋଇଲେ ସମୋଦ୍ର ପଶ୍ଚିମକୁ ଯିବୁ କୋଣାରଖ ପାରୁଶରେ ଘର ଗୋଟାୟେ ତୋଳିବୁ ।୧୯୨।

କୋବେର ବଚନେ ବିଶକର୍ମା ଚଳିଗଲା କମଳାଙ୍କୁ ଦିବ୍ୟପୁର ତୋଳାଇଣ ଦିଲେ ।୧୯୩।

ବୈଦୁର୍ଯ୍ୟର କାନ୍ଥ ଯେ ମାଣିକ୍ୟର ବତା ଗଣ୍ଠିକରେ ଲାଗିଅଛି ଛ ବୋଡ଼ି ମୁକୁତା ।୧୯୪।

ଗୋଟିଏ ଯେ ବାହିଂକୁ ଯେ ମୁକୁତା ଗୋଟିଏ କ୍ଷିଦ୍ର ମୋତି ଲାଗିଅଛି ପୋହଳା ଥୋଡ଼ାଏ ।୧୯୫।

ଚାରିଚାଳେ ହୋଇଅଛି ମୁକୁତା ବସଣି ପାଟସୂତା ଗଣ୍ଠିମାନ ଦେଇଛନ୍ତି ଟାଣି ।୧୯୬।

ଉପରେ ଯେ ସୋବର୍ଣ୍ଣ କଳସ ବସାଇଲେ ବିଚିତ୍ରକରିଣ ତହୁଂ ପୁର ମଣ୍ଡାଇଲେ ।୧୯୭।

ଦଶ ଅବତାର ଯାକ କାନ୍ଥରେ ଲେଖିଲେ ଦେଖିକରି କମଳା ଯେ ସାନନ୍ଦ ହୋଇଲେ ।୧୯୮।

ଦଶ ଅବତାର ଦେଖି ପାପକର କ୍ଷୟେ ଅନୁଗ୍ରହ କରିବେ ତ୍ର‌ଇଲୋକ୍ୟ ଦେବରାୟେ ।୧୯୯।

କେଉଂଠାରେ ଲେଖିଗଲେ ମଛ ଯେ ମୂରତି ଶଂଖାସୁର ମାରି ବ୍ରହ୍ମା ବେଦ ଉଧରନ୍ତି ।୨୦୦।

କେଉଂଠାରେ ଲେଖିଗଲେ କୃମ ରୂପ ଗୋଟି ସମୋଦ୍ର ମନ୍ଥନୁ ମେରୁ ଧରିଛନ୍ତି ପିଠି ।୨୦୧।

ବରାହୋ ରୂପେଣ ପୃଥ୍ଵୀ ଦନ୍ତାଗ୍ରରେ ଧରି ନରସିଂହ ରୂପରେ ଯେ ହିରଣ୍ୟ ବିଦାରି ।୨୦୨।

ବାମନ ରୂପେଣ ବଇଲୋଚନ ସଂହାରି ଏହି ରୂପେ ରହିଲେ ଲକ୍ଷ୍ମୀ ମହାଦେଈ ।୨୦୩।

ଦିବସ ଯାଇଣ ରାତ୍ର ପ୍ରବେଶ ହୁଅ‌ଇ ଜଗନାଥ ବୋଇଲେ ଶୁଣ ବଳରାମ ଭାଇ ।୨୦୪।

ସହସ୍ରେ ଚନ୍ଦ୍ର ଦିହୁଡ଼ି ଛାମୁରେ ଜଳ‌ଇ ସଂଚାଦି ଗଡ଼ାଇଲେ ଜଳ ନ ମିଳିଲା ଭାଇ ।୨୦୫।

ବଳରାମ ବୋଇଲେ ହରି ହୋଇଲୁ କି ବାଇ ଚଣ୍ଡାଳ ଦୁଆରେ ସେ ଯେ ବୁଲୁଥାଇ ଯାଇ ।୨୦୬।

କାଣୀ ଛାର ଭାରିଯାକୁ ଚିନ୍ତାକରୁ ଭାଇ ଏମନ୍ତ ବୋଲିଣ ଯେ ବଳରାମେ କହି ।୨୦୭।

ଯେବେ ଭାରିଯାକୁ ଶ୍ରଧା ଥିଲା ଯେ ତୋହର ଗୋଡ଼ାଇ ନ ଗଲୁ କିଂପା ତାହା ସଂଗତର ।୨୦୮।

ଜ୍ୟେଷ୍ଠଭାଇ ଅଛି ମୁଂ ଯେ ପିତାର ସମାନ କାଣୀ ଛାର ଭାରିଯାକୁ ଚିନ୍ତାକରୁ ପୁଣ ।୨୦୯।

ଭାଇ ବୋଲି ଯାହାକୁ ଡାହାଣ ଭୁଜ କହି ଭାରିଯା ମାତର ସିନା ଚରଣ ପାଣ୍ଡୋଇ ।୨୧୦।

ଏ ଛାର ଭାର୍ଯ୍ୟାକୁ ଭାଇ ବିଚାରୁୁଛୁ ତୁହି ସୁନ୍ଦର ସ୍ତିରୀ ଯେ ବିଭା କରାଇବି ମୁହିଂ ।୨୧୧।

ତାହା ଶୁଣି ହସିଲେ ଠାକୁର ନାରାୟେଣ ଆଉ ନିକି ବିଭା ଭାଇ ନ ହୋଇବି ପୁଣ ।୨୧୨।

ଏତେ ବୋଲି କୁହାକୁହି ହେଲେ ଦୁଇ ଭାଇ ବଳରାମେ ବୋଲୁଛନ୍ତି ଶୁଣରେ କନାଇ ।୨୧୩।

ଭିତର ପୁରକୁ ଯିବାରେ ଚଳାଇ ରତ୍ନଖଟ ଶେଜରେ ଶୋଇବା ବେନିଭାଇ ।୨୧୪।

ଭିତରକୁ ବିଜେ କଲେ ଦେବ ନାରାୟଣ ରତ୍ନଖଟ ସଜାଇଲେ ପ୍ରଭୁ ଯେ ଆପଣ ।୨୧୫।

ରତ୍ନଖଟ ଉପରେ ତୁଳାର ସେ ଯେ ଶେଯ ତଥିର ଉପରେ ପଡ଼ି କପୂରର ରଜ ।୨୧୬।

ତଥିର ଉପରେ ପଡ଼େ ପାଖୁଡ଼ା ସେବତି ତଥି ପରେ ବିଛାଇଲେ ପତନିର ଧୋତି ।୨୧୭।

ୟେ ରୂପେ ଉତାରୁ ପ୍ରଭୁ କବାଟ କିଳିଲେ ସୋଭଦ୍ରାକୁ ରାଇ ବଳରାମ ଆଗ୍ୟାଂଦିଲେ ।୨୧୮।

ୟେବେ ତୁ ସୋଭଦ୍ରା ମା ଗୋ ଏମନ୍ତ କରିବୁ ଭଣ୍ଡାର ଯେ ଘର ଜଗି ନିଶ୍ଚିନ୍ତେ ଶୋଇବୁ ।୨୧୯।

ଆଗ୍ୟାଂ ପରମାଣେ ଯେ ସୋଭଦ୍ରା ଚଳିଗଲା ଭଣ୍ଡାର ଯେ ଘର ଜଗି ନିଶ୍ଚିନ୍ତେ ଶୋଇଲା ।୨୨୦।

ୟମନ୍ତେଣ ରାତ୍ର ବେନି ଘଡ଼ି ବହିଗଲେ ନିଦ୍ରା ଯେ ବତୀକି ଦେବୀ ସୁମରଣା କଲେ ।୨୨୧।

ତୁହି ନିଦ୍ରାବତୀ ମାଏ ଏମନ୍ତ କରିବୁ ହରି ବଳରାମ ନେତ୍ରେ ନିଦ୍ରା ଯେ ଘାରିବୁ ।୨୨୨।

ଅଚେତନ ନିଦ୍ରା ଯିବେ ବେନିଗୋଟି ଭାଇ କୋଶେ ପରିଯନ୍ତ ନାକ ଗର୍ଜନ ଶୁଭ‌ଇ ।୨୨୩।

ଆଗ୍ୟାଂପାଇ ନିଦ୍ରାଦେବୀ ବେଗେ ଚଳିଗଲା ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲା ।୨୨୪।

ହନୁମନ୍ତ ଡାକି ଆଗ୍ୟାଂଦେଲେ ଲକ୍ଷ୍ମୀଦେଈ ରୈବତ ପର୍ବତେ ଯେ ହନୁମନ୍ତ ଥାଇ ।୨୨୫।

ଅଷ୍ଟ ବେନ୍ତାଳଙ୍କୁ ବାବୁ ସଙ୍ଗତରେ ଘେନି ଯିବୁ ଭଣ୍ଡାର ଯେ ଘରଯାକ ବୁହାଇ ଆଣିବୁ ।୨୨୬।

ଭଣ୍ଡାର ଘର ଜଗି ସୋଭଦ୍ରା ଯେ ଥିବ ଶୋଇ ସୋବର୍ଣ୍ଣରେ ବେନି ଚୁଡ଼ି ଆଣିବୁ ଫେଇ ।୨୨୭।

ହନୁ ଅଷ୍ଟବେନ୍ତାଳ ଯେ ଶ୍ରୀଚରଣେ ପଡ଼ିଲେ ଦେଖିକରି କମଳିଣୀ ସନ୍ତୋଷ ହୋଇଲେ ।୨୨୮।

ୟେତେ ବୋଲି ହନୁମନ୍ତ ବେଗେ ଚଳିଗଲା ଭଣ୍ଡାର ଘରେ ଯାଇଣ ପ୍ରବେଶ ହୋଇଲା ।୨୨୯।

ଅଚେତନ ହୋଇ ଯେ ସୋଭଦ୍ରା ଅଛି ଶୋଇ ସଧୀରେ ଆଣିଲା ଯେ ସୋବର୍ଣ୍ଣ ବାହି ଫେଇ ।୨୩୦।

ବେନି ଚୁଡ଼ି ବେନି ପିଢ଼ା ହନୁ ଘେନି ଗଲା କମଳାଙ୍କ ଛାମୁରେଣ ପ୍ରବେଶ ହୋଇଲା ।୨୩୧।

ଦେଖିଣ ପ୍ରମଲକ୍ଷ୍ମୀ ସାନନ୍ଦ ହୋଇଲେ ହନୁମନ୍ତ ମୁଖ ଚାହିଂ ବଚନ ବୋଇଲେ ।୨୩୨।

ପ୍ରମଲକ୍ଷ୍ମୀ ବୋଇଲେ ବାବୁ ଏମନ୍ତ କରିବୁ ରୋଷାଇଂଶାଳରେ ଯାଇଂ ପ୍ରବେଶ ହୋଇବୁ ।୨୩୩।

ଖାଦ୍ୟଦ୍ରବ୍ୟ ଯେତେ ଅଛି ସମସ୍ତ ଭୁଂଜିବୁ ଛାଂଚୁଣି କି କୁଲା କରି ସମସ୍ତ ଆଣିବୁ ।୨୩୪।

ଶୁଣିକରି ହନୁମନ୍ତ ସାନନ୍ଦ ହୋଇଲା ରୋଷାଇଂଶାଳରେ ଯାଇଂ ପ୍ରବେଶ ହୋଇଲା ।୨୩୫।

ଚ‌ଉରାଅଶୀ ତିଉଣ ଉତମ ଅର୍ଣ୍ଣ ଖା‌ଇଲା ସମସ୍ତରୁ ଭାଗେ ଭାଗେ ଅଷ୍ଟ ବେନ୍ତାଳଙ୍କୁ ଦିଲା ।୨୩୬।

ଗଙ୍ଗାବାଇ ପ‌ଇଡ଼ ପଣା ଯେ ପଂଚାମୃତ ଅମୃତ ପାଣିକଦଳୀ ଖାଇ ତୋଷ ଚିତ ।୨୩୭।

ପୁରି କାକରା ହିଂ ସର୍ବ ପଦାର୍ଥ ଖାଇଲା ହାଣ୍ଡିମାନ ନେଇ ଏକଠାବେ କଚାଡ଼ିଲା ।୨୩୮।

ଯେତେ ହାଣ୍ଡି ପିଠା ଥିଲା ସମସ୍ତ ଖାଇଲା ଥୋକାଏ ତହିଂରୁ ଅଷ୍ଟବେନ୍ତାଳଙ୍କୁ ଦିଲା ।୨୩୯।

କାଠ ଚଟୁ ବନକି ଯେ ସବୁକୁ ଆଣିଲା କଡ଼ାକର ଦ୍ରବ୍ୟ ତହିଂ କିଛି ନ ରଖିଲା ।୨୪୦।

କମଳାଙ୍କ ଛାମୁରେ ତୁରିତେ ନେଇ ଦିଲା ଥୋକାଏକ ଦ୍ରବ୍ୟ ତହୁଂ ଲାଂଜିରେ ବାନ୍ଧିଲା ।୨୪୧।

ଦେଖିକରି କମଳା ଯେ ସାନନ୍ଦ ହୋଇଲେ ହନୁମନ୍ତ ମୁଖ ଚାହିଂ ବଚନ ବୋଇଲେ ।୨୪୨।

ତୁହୋ ହନୁମନ୍ତ ବାବୁ ଏମନ୍ତ କରିବୁ ଗଙ୍ଗା ଯେ ଯମୁନା ଦୁଇ ମରାଇ ଆଣିବୁ ।୨୪୩।

ଶୁଣି କରି ହନୁମନ୍ତ ବୋଲଇ ବଚନ ମରାଇ ଦୁଇ ଯେ କୋଟି ପର୍ବତ ସମାନ ।୨୪୪।

ଶ୍ରୀରାମ ରାବଣର ଯୁଧ୍ୟ କାଳେ ମୁହିଂ କୋଟି କୋଟି ପର୍ବତ ଯେ ଆଣିଲଇଂ ବହି ।୨୪୫।

ଶତକୋଟି ପର୍ବତ ମୁଂ ବସାଇ ପିଠିର ସାତକୋଟି ପର୍ବତ ମୁଂ ବାନ୍ଧିଲି ଲାଂଜର ।୨୪୬।

ୟେକା ବେଳକରେ ସେତୁବନ୍ଧ ମୁଂ ବାନ୍ଧିଲି ବିଶ୍ଵରୂପ ଧରି ମୁଂ ଶ୍ରୀରାମ କାର୍ଯ୍ୟକଲି ।୨୪୭।

ୟେ ଛାର ମରାଇ ମତେ ତିରଣ ମାତର ୟେତେ ବୋଲି ମନେ ବିଚାରଇ ମହାବୀର ।୨୪୮।

ପ୍ରମଲକ୍ଷ୍ମୀଙ୍କୁ ହନୁ ସୁମରଣ କଲା ଦୁଇ ମରାଇକୁ ଶିରରେ ତୋଳିଲା ।୨୪୯।

ବିଜେ କରିଗଲା ହନୁ ପବନକୁମର ପ୍ରମଲକ୍ଷ୍ମୀ ସମ୍ମୁଖରେ ମିଳିଲା ସତ୍ଵର ।୨୫୦।

ଦେଖିକରି ପ୍ରମଲକ୍ଷ୍ମୀ ସାନନ୍ଦ ହୋଇଲେ ହନୁମନ୍ତକୁ ଚାହିଂଣ ବଚନ ବୋଇଲେ ।୨୫୧।

ଏବେ ହନୁମନ୍ତ ବାବୁ ଏମନ୍ତ କରିବୁ ଗନ୍ତାଘରେ ଯାଇ ତୁ ପ୍ରବେଶ ହୋଇବୁ ।୨୫୨।

ପାଟ ଯେ ପତନି ନେତ ବହି ତୁ ଆଣିବୁ ଗଙ୍ଗାଜଳ ଚାମର ହିଂ ପଦକ ଆଣିବୁ ।୨୫୩।

ଅଗରୁ ଚନ୍ଦନ ଯେତେ ପଦାର୍ଥ ସୁବାସ ଗନ୍ତାଘର ଯାକ ବୀର ସକଳ କଲା ଧଂସ ।୨୫୪।

କାଶୀବେତ ଗୌରୀନେତ ନିରଞ୍ଜନପାଟ ସମସ୍ତ ଘେନିଅଇଲା ପବନର ଚାଟ ।୨୫୫।

କମଳିଣୀ ଛାମୁରେ ତୁରିତେ ଦିଲା ନେଇ ଦେଖିକରି ପ୍ରମଲକ୍ଷ୍ମୀ ଆନନ୍ଦିତ ହୋଇ ।୨୫୬।

ପ୍ରମଲକ୍ଷ୍ମୀ ବୋଇଲେ ବାବୁ ଏବେ ଚଳିଯିବୁ ଶୋଇବାର ଘରେ ପ୍ରବେଶ ହୋଇବୁ ।୨୫୭।

ହରି ବଳରାମେ ଛନ୍ତି ରତ୍ନଖଟେ ଶୋଇ ଅଚେତନ ନିଦ୍ରା ଯାଇଛନ୍ତି ବେନିଭାଇ ।୨୫୮।

ଯେଉଂ ରତ୍ନଖଟେ ଶୋଇଛନ୍ତି ବେନିଭାଇ ଯେଉଂ ପାଟବସ୍ର ପିନ୍ଧିଛନ୍ତି ଭାବଗ୍ରାହୀ ।୨୫୯।

ଚିରାବସ୍ର ପିନ୍ଧାଇ ପାଟବସ୍ର ଘେନି ଆ‌ଇ ରତନଖଟ ଗୋଟିକୁ ଆଣିବୁ ଶିରେ ବହି ।୨୬୦।

ଏହା ଶୁଣି ହନୁମନ୍ତ ବେଗେ ଚଳିଗଲା ବଡ଼ ଦେଉଳରେ ଯାଇଂ ପ୍ରବେଶ ହୋଇଲା ।୨୬୧।

ଶୋଇଥିଲେ ହରି ବଳରାମ ରତ୍ନଖଟ ପର ଶୁଆଇଲା ନେଇ ଚଉଡ଼ିଆ ଖଟର ।୨୬୨।

ରତ୍ନଖଟ ବହିଆଣିଲା ପବନ ତନଇ ଚିରାବସ୍ର ପିନ୍ଧାଇ ପାଟ ଆଣିଲା ପାଲଟାଇ ।୨୬୩।

ଖଟ ପାଟବସ୍ର ଘେନି ହନୁ ଚଲିଗଲା ପ୍ରମଲକ୍ଷ୍ମୀ ଛାମୁରେଣ ନେଇ ଦିଲା ।୨୬୪।

ଦେଖିଣ ପ୍ରମଲକ୍ଷ୍ମୀ ସାନନ୍ଦ ହୋଇଲେ ହନୁମନ୍ତ ମୁଖ ଚାହିଂ ବଚନ ବୋଇଲେ ।୨୬୫।

ହନୁମନ୍ତ ବାବୁ ଏମନ୍ତ କରିବୁ ପୁତିଲାର ଧନରତ୍ନ ବହିଣ ଆଣିବୁ ।୨୬୬।

ହନୁମନ୍ତ ବୋଇଲେ ଲକ୍ଷ୍ମୀଙ୍କ ମୁଖ ଚାହିଂ ତୁମ୍ଭର ମୁଖରେ ମା ଗୋ କିଛି ଲଜ୍ୟା ନାହିଁ ।୨୬୭।

ଯେତେ ଧନରତ୍ନ ମୁଂ ଯେ ଆଣିଲଇଂ ବହି ଜଗନାଥେ ଜାଣିଲେ ଭଲର ଦଶା ନାହିଁ ।୨୬୮।

ତୁମ୍ଭକୁ ମାରିବେ ଗୋ ଆମ୍ଭକୁ ଗାଳିଦେବେ ଆଣିବାର ଧନରତ୍ନ ବୁହାଇଣ ନେବେ ।୨୬୯।

ହନୁର ବଚନ ଯହୁଂ କମଳା ଶୁଣିଲେ ବାସୁକୀକି ମାୟେ ସୁମରଣା କଲେ ।୨୭୦।

ଭୋ ପିତା ବାସୁକୀ ତୋତେ ପରିମୁଣ୍ଡା ଯାଇଂ ଯେତେ ଧନରତ୍ନ ଥିବ ଆଣିବ ବୁହାଇଂ।୨୭୧।

ଆଉଂ ଯେତେ ଧନରତ୍ନ ନ ପାରିବ ବହିଂ ପୁତିଲା ଧନରତ୍ନ ହରିନେବ ତହିଂ।୨୭୨।

ଆଗ୍ୟାଂପାଇ ଧନରତ୍ନ ବାସୁକୀ ହରିନେଲେ କଡ଼ାକର ପଦାର୍ଥ ଯେ ଦେଉଂଳେ ନ ରଖିଲେ ।୨୭୩।

ସରସ୍ଵତୀଙ୍କି ଯେ ମାଏ ସୁମରଣା କଲେ ସରସ୍ବତୀ ଆସିଣ ସେ ଛାମୁରେ ମିଳିଲେ ।୨୭୪।

ବୋଇଲେ ଲୋ ସରସ୍ବତୀ ଏମନ୍ତ କରିବୁ ରାଜ୍ୟେ ରାଜ୍ୟେ ଘରେ ଘରେ ଯାଇଂ ତୁ ବୁଲିବୁ ।୨୭୫।

ସବୁ ଦ୍ବାରେ ବୁଲୁଥିବେ ଜଗନାଥେ ଯାଇଂ ସବୁଙ୍କର କଣ୍ଠରେ ତୁ ବିଜେକର ମାଇଂ ।୨୭୬।

ଅର୍ଣ୍ଣ ଯେ ମାଗିଲେ ପାଣିଠାରୁ ନ ମିଳିବ ଏତେ ଶାସ୍ତି ପାଇଲେ ସେ ମତେ ସୁମରିବ ।୨୭୭।

ସେଦିନର ରାତ୍ର ଯେ ଶୁଭେ ଗଲା ପାହି ପ୍ରଭାତରୁ ଉଠିଲେ ପ୍ରଭୁ ତ୍ରୈଲୋକ୍ୟ ଗୋସାଇଂ ।୨୭୮।

ପିନ୍ଧିବା ବସ୍ରକୁ ବଳଦେବେ ଦିଲେ ଚାହିଂ ଦେଖିକରି ଚକିତ ହୋଇଲେ ଭାବଗ୍ରାହୀ ।୨୭୯।

ପିନ୍ଧିବା ବସ୍ରରେ ପ୍ରଭୁ ରୂପାମାଳ ଗୋଟି ପାଇ କଉଡ଼ି କଡ଼ାଏ ଆଣିବାକୁ ନାହିଂ ଭାଇ ।୨୮୦।

ଏହା ଦେଖି ଚକିତ ହୋଇଲେ ଦାଶରଥି ବୋଇଲେ ବିଧାତା ଆଣି ଏତେ ଦିଲା ଶାସ୍ତି ।୨୮୧।

ବଳଦେବ ବୋଇଲେ ଶୁଣ କାଳୀୟଗଂଜନ ତୋହର ଭାରିଯା ଲକ୍ଷ୍ମୀ କଲା ଏତେ ହୀନ ।୨୮୨।

ଭାରିଯା ତୋହର ଲକ୍ଷ୍ମୀ ଏତେ ହୀନକଲା ଚିରାବସ୍ର ଦେଇ ପାଟ ପାଲଟାଇ ନେଲା ।୨୮୩।

ଜଗନାଥେ ବୋଇଲେ ଶୁଣ ବଳରାମେ ଭାଇ ପରର ଝିଅକୁ ଦୋଷ ଦିଅ କାହିଂପାଇଂ ।୨୮୪।

ଯେତେବେଳେ ପ୍ରମଲକ୍ଷ୍ମୀ ଆମ୍ଭ ଘରୁ ଗଲା ଚିରାବସ୍ର ପିନ୍ଧି ପାଟବସ୍ର ଥୋଇଗଲା ।୨୮୫।

କେବଣ କରି ତୁମ୍ଭର ବସ୍ର ଘେନିଗଲା ଏତେ ହେଂ ସାହସ ତାର କେମନ୍ତେ ହୋଇଲା ।୨୮୬।

ଏତେ ବୋଲି ବିକଳ ହୋଇଲେ ବେନିଭାଇ ବଳରାମ ବୋଇଲେ ତୁ ଶୁଣରେ କନାଇ ।୨୮୭।

ବେଳ ଯେ ହୋଇଲା ଆସି ଅଢାଇ ପହର ବଡ଼ କ୍ଷୁଧା ଲାଗିଲା ଆମ୍ଭର ଶ୍ଵରୀର ।୨୮୮।

ବଳରାମ ବୋଇଲେ ଶୁଣ କାଳୀୟଗଂଜନ ରୋଷାଇଶାଳକୁ ଚାଲ କରିବା ଗମନ ।୨୮୯।

ଲକ୍ଷ୍ମୀର ରାନ୍ଧଣା ଏବେ ଥିବ କରିବା ଭୋଜନ ଏତେ ବୋଲି ବେନି ଭାଇ କରନ୍ତି ଗମନ ।୨୯୦।

ସେ ଠାବରୁ ଚଳିଗଲେ ଦୁଇଗୋଟି ଭାଇ ରୋଷେଇ ଘର ଦୁଆରେ ପହଂଚିଲେ ଯାଇ ।୨୯୧।

ବଳରାମେ ରହିଲେ ଯେ ଦୁଆର ମୁହଂରେ ଜଗନାଥେ ପଶିଲେ ସେ ରୋଷାଇ ଘର ଭିତରେ ।୨୯୨।

ଅଣ୍ଡାଳି କରିଣ ଅନ୍ନ ଖୋଜୁଛନ୍ତି ତହିଂ ରୁଣ୍ଡାଅନ୍ତେ କଳାଯାକ ମୁଖରେ ଲାଗିଲାହିଂ।୨୯୩।

ଦେହରେ ଲାଗିଲା କଳା ମୁହଂରେ ଲାଗିଲା କଳା ଯେ ଶ୍ରୀମୁଖ ଗୋଟିକ ଝଟକି ଦୁଶିଲା ।୨୯୪।

ବଳରାମେ ବୋଇଲେ ହେ ଶୁଣ ଜଗନାଥ ବଡ଼ଖିଆ ବୋଲି ତୋତେ ବୋଲନ୍ତି ଜଗତ ।୨୯୫।

ମୋତେ କିଛି ନ ଦେଇଣ ଖାଇଅଛୁ ତୁହି ଜଗନାଥ ବୋଇଲେ ହୋ ବଳରାମେ ଭାଇ ।୨୯୬।

ହାଣ୍ଡି ଠାରୁ ନାହିଂ ଯେ ଚୁଲି ଠାରୁ ନାହିଂ ଶୁଣିଣ ବିରସ ହୋଇଲେ ବ୍ରହ୍ମାଣ୍ଡ ଗୋସାଇଂ।୨୯୭।

କି ବୁଧି କରିବା ଯେ ଭାଳନ୍ତି ବେନିଭାଇ କ୍ଷୁଧାର ଆରତ ପ୍ରଭୁ ନ ପାରିଲେ ସହି ।୨୯୮।

କାନ୍ଦନ୍ତି କନାଇ ଗରୁଡ଼ ଖମ୍ବ ଧରି କେଣେ ଛାଡ଼ିଗଲୁ ତୁ ଯେ ସିନ୍ଧୁର କୁମାରୀ ।୨୯୯।

ବଳରାମେ ବୋଇଲେ ହରି କାନ୍ଦୁ କାହିଂପାଇଂ ପୋତିଲାର ଧନରତ୍ନ କେହୁ ନେଲା ବହି ।୩୦୦।

ଯେତେ ଧନରତ୍ନ ଆମ୍ଭର ଲକ୍ଷ୍ମୀ ଘେନିଗଲା ଏତେବେଳଯାଏ ଦେଖ ଅର୍ଣ୍ଣ ନ ମିଳିଲା ।୩୦୧।

ପୋତିବାର ଧନରତ୍ନ ଖୋଳିବା ବହନ ସୋବର୍ଣ୍ଣ ଭଂଜେଇ ପଛେ କରିବା ଭୋଜନ ।୩୦୨।

ଏତେ ବୋଲି ବେନି ଭାଇ ବେଗେ ଚଳିଗଲେ କପାଟ କଣରୁ କ୍ଷୁଦ୍ର ସୁବର୍ଣ୍ଣ ପାଇଲେ ।୨୦୩।

ଦିନା ଦଶ ଆଠକୁ ‌ୟେ ହୋଇବାକ ଅର୍ଣ୍ଣ ଏତେ ବୋଲି ବେନିଭାଇ କଲେକ ଗମନ ।୩୦୪।

ହସ୍ତ ପ୍ରସାରିଣ ହରି କହନ୍ତି ବଚନ ଦେଖଇ କେମନ୍ତ ସୁନା ଦିଅ ହେ ବହନ ।୩୦୫।

ବଳରାମ ପ୍ରଭୁ ଯେ ଏବଣ କୃତ୍ୟକଲେ ସେହି ସୁବର୍ଣ୍ଣକୁ ଜଗନାଥ ହସ୍ତ ଦିଲେ ।୩୦୬।

ଜଗନାଥ ବୋଇଲେ ଶୁଣ କାଳୀୟଗଂଜନ ବଣିୟା ଘରକୁ ଏବେ କରିବା ଗମନ ।୩୦୭।

ଏତେ ବୋଲି ବଣିୟା ଘରେ ପ୍ରବେଶିଲେ ବଣିୟା ବଣିୟା ବୋଲି ଡାକ ଚାରି ଦେଲେ ।୩୦୮।

ରାମଦତ ବୋଲିକରି ବଣିୟାର ନାମ ବଣିୟାର ନାମ ଧରି ଡାକନ୍ତି ବଳରାମ ।୩୦୯।

ଜାଣିକରି ବଣିୟା ଯେ ହରଷ ହୋଇଲା ନିକିତି ଆଣିଣ ଯେ ଘରୁ ବାହାର ହୋଇଲା ।୩୧୦।

ବାହାରେ ଯେ ଉଭା ହୋଇଛନ୍ତି ବେନିଭାଇ କି ବୋଲି ଗୋସାଇଂ ବଣିୟା ବୋଲଇ ।୩୧୧।

ସୁନା ନେଇ ଦେଉଛନ୍ତି ବ୍ରହ୍ମାଣ୍ଡଗୋସାଇଂ ଦେଖିଣ ବଣିୟା ଯେ ହରଷ ହୁଅଇ ।୩୧୨।

ବଳରାମ ହସ୍ତେ ଯେ ସୁବର୍ଣ୍ଣ ହୋଇଥିଲା ବଣିୟାର ହସ୍ତେ ବେଙ୍ଗି ପିତଳ ହୋଇଲା ।୩୧୩।

ବଣିୟା ବୋଲଇ ତୁମ୍ଭେ ଶୁଣ ବିପ୍ରବର ଭଲ ସୁନା ଆଣିଅଛ ମୋହର ମନ୍ଦିର ।୩୧୪।

ବାପ ଅଜା କାଳେ ତୁମ୍ଭେ ସୁନା ଦେଖି ନାହଂ ପିତଳ ଖଣ୍ଡ ତୁମ୍ଭେ ସୁନା ବୋଲି କହଂ ।୩୧୫।

ସୁନା ବୋଲି କହ ମୁଖେ ଲାଜ ନାହିଂ ତୁମ୍ଭର ପକାଇଣ ଦେଲା ସେ ଯାଅ ଯା ମୋର ଘର ।୩୧୬।

କି ବୁଧି କରିବା ବୋଲନ୍ତି ଚକ୍ରଧର ଆଜ ଦିନ ହୋଇଲା ଆସି ଦୁତୀୟ ପହର ।୩୧୭।

କ୍ଷୁଧାର ଆରତ ପ୍ରଭୁ ନ ପାରିଲେ ସହି କାହିଂ ଛାଡ଼ିଗଲୁ ଲକ୍ଷ୍ମୀ ସିନ୍ଧୁର ତନଈ ।୩୧୮।

ଯେତେ ଧନରତ୍ନ ଆମ୍ଭର ଲକ୍ଷ୍ମୀ ହରିନେଲା ୟେତେବେଳ ଯାଏ ଦେଖ ଅର୍ଣ୍ଣ ନ ମିଳିଲା ।୩୧୯।

ଜଗନାଥ ବୋଇଲେ ଭାଇ ଆମ୍ଭ ତହୁଂ ଶୁଣ ବାଉନ କୋଟି ଭଣ୍ଡାର ଆମ୍ଭର ଥିଲା ପୁଣ ।୩୨୦।

ଖଟ ପଲଙ୍କରେ ଯେ ଶୟନ କରୁଥିଲୁ ଦରିଦ୍ର ଅବସ୍ଥା ଆମ୍ଭେ ଭିକ୍ଷା ଯେ ମାଗିଲୁ ।୩୨୧।

ବଳରାମେ ବୋଇଲେ ହେ କାଳୀୟଗଂଜନ ବ୍ରାହ୍ମଣର ପୁଅ ଆମ୍ଭେ ଦୁଇଜଣ ।୩୨୨।

ବ୍ରହ୍ମା ଯେ ସ୍ରିଜିଲା ପୃଥୀ ଭିକ୍ଷା ସେ ଦେଇଣ ଏବେ କି କରିବା ଆମ୍ଭଠାରୁ ଶୁଣ ।୩୨୩।

ତୁମ୍ଭେ ପଛେ ଭିକ୍ଷା ହେ ନ ମାଗ ବାସୁଦେବ ଆମ୍ଭ ସଙ୍ଗତେ ତୁମ୍ଭେ ସାକ୍ଷ୍ୟ ହୋଇଥିବ ।୩୨୪।

ମୁହିଂ ପଛେ ଭିକ୍ଷା ମାଗିବି ଦାରୁବ୍ରହ୍ମ ଭିକ୍ଷା ମାଗିବାକୁ ଦୁହେଂ କରିବା ଗମନ ।୩୨୫।

ଯାଜପୁରେ ନଗ୍ରେ ଯାଇ ପ୍ରବେଶ ହୋଇଲେ ଦ୍ୱିଜ ହରି ପଣ୍ଡା ଦ୍ୱାରେ ବେଦଧୁନି କଲେ ।୩୨୬।

ହରି ପଣ୍ଡା ଭାରିଯା ଦାତବ୍ୟ ଅଟଇ କେବଣ ଦେଶୁ ପଣ୍ଡା ଆସିଲ ଚଲାଇ ।୩୨୭।

ବ୍ରାହ୍ମଣୀ ବଚନେ ଯେ ବୋଲନ୍ତି ଦାଶରଥି ନୀଳ କନ୍ଦରେ ଯେ ଆମ୍ଭର ଅଟେ ବାଡ଼ିବୃତି ।୩୨୮।

କ୍ଷୁଧାର ଆରତେ ଆମ୍ଭର ନ ଚଳଇ ଦେହିଂ ଅର୍ଣ୍ଣ ଖୁଡ଼ିଏକ ପାରିବ କି ଦେଇ ।୩୨୯।

ଶୁଣିଣ ବ୍ରାହ୍ମଣୀ ବଡ଼ ଆନନ୍ଦ ହୋଇଲା ଅଶ୍ଵମେଧ ଯଗ୍ୟଂ ମୋର ଏଠାରୁ ହୋଇଲା ।୩୩୦।

ଏତେ ବୋଲି ବ୍ରାହ୍ମଣୀ ଯେ ବେଗ ହୋଇ ଗଲା ବଇତରଣୀ ନଦୀରେ ପଶି ସିନାନ ସାରିଲା ।୩୩୧।

ସୋବର୍ଣ୍ଣର ଥାଳିଗୋଟି ବହନ ଆଣିଲା ରୋଷାଇଂଶାଳରେ ଯାଇଂ ପ୍ରବେଶ ହୋଇଲା ।୩୩୨।

ହାଣ୍ଡିରୁ ଢାଙ୍କୁଣି ଗୋଟି କାଢିଲାକ ତହିଂ ଦେଖିଲା ହାଣ୍ଡିରେ ତହିଂ କିଛି ଅର୍ଣ୍ଣ ନାହିଂ ।୩୩୩।

ଏକ ହାଣ୍ଡି ମୋ ଅର୍ଣ୍ଣ ପୂର୍ଣ୍ଣ ହୋଇଥିଲା ପଣ୍ଡା ଦୁଇଭାଇ ଦ୍ୟନ୍ତେ ଉଭାଇଣ ଗଲା ।୩୩୪।

ବୋଇଲେ ଲକ୍ଷ୍ମୀ ଦୋରିହା ଅଟନ୍ତି ବେନିଭାଇ ନୋହିଲେ ଅର୍ଣ୍ଣ ମୋହର ଗଲା ଅବା କାହିଂ ।୩୩୫।

କି ବୋଲି କହିବା ଆମ୍ଭେ ବ୍ରାହ୍ମଣକୁ ଯାଇଂ ଦେଉଥିବା ଅର୍ଣ୍ଣ ଯେ ହାଣ୍ଡିରୁ ଗଲା କାହିଂ ।୩୩୬।

ଏତେ ଭାଳି ବ୍ରାହ୍ମଣୀ ଯେ କୋପ କରିଗଲା ବ୍ରାହ୍ମଣଙ୍କ ମୁଖ ଚାହିଂ ବଚନ ବୋଇଲା ।୩୩୭।

ଲକ୍ଷ୍ମୀର ଦୋରିହା ତୁମ୍ଭେ ଅଟ ବେନିଜଣ ଏମନ୍ତ ବୋଲି ବ୍ରାହ୍ମଣୀ ବୋଲଇ ବଚନ ।୩୩୮।

ଅର୍ଦ୍ଧହାଣ୍ଡି ମୋହର ପୂର୍ଣ୍ଣ ହୋଇଥିଲା ତୁମ୍ଭଙ୍କୁ ଦିଅନ୍ତେ ମୋର ଅର୍ଣ୍ଣ ମିଳାଇଲା ।୩୩୯।

ଶୁଣିକରି ଠାକୁରଙ୍କ ବାକ୍ୟ ନ ଫୁରଇ କି ବୁଧି କରିବା ବିଚାରନ୍ତି ବେନିଭାଇ ।୩୪୦।

ଅର୍ଣ୍ଣ ନ ପାଇ ବେନିଭାଇ ତୁରିତେ ଚଳିଲେ ବସୁଦେବ ପଣ୍ଡା ଘରେ ପ୍ରବେଶ ହୋଇଲେ ।୩୪୧।

ବସୁଦେବ ପଣ୍ଡା ବ୍ରାହ୍ମଣ ବଡ଼ ଦୟାଳୁ ଅଟଇ ତଣ୍ଡୁଳ ସେ କୁଂଚା ଚାରି ଦିଲାକ ଯେ ନେଇ ।୩୪୨।

ବୋଇଲା ରୋଷାଇ ତୁମ୍ଭେ କର ଏହି ଠାଇଂ ଶୁଣିଣ ସାନନ୍ଦ ଯେ ବ୍ରହ୍ମାଣ୍ଡଗୋସାଇଂ ।୩୪୩।

ବଳରାମେ ବୋଇଲେ ଶୁଣ କାଳୀୟଗଂଜନ ଏବେ ଚାଲ ଭାଇ କରିବା ରନ୍ଧନ ।୩୪୪।

ଏତେ ବୋଲି ବିଜେକଲେ ଦେବ ହୃଷୀକେଶ ରୋଷାଇଂଘରେ ଯାଇ ହୋଇଲେ ପରବେଶ ।୩୪୫।

ଦିହୁଡ଼ି ଗୋଟିଏ ଖୋଳିଲେ ଦେବ ଯେ ଶ୍ରୀହରି ଧ୍ୟାନରେ ଜାଣିଲେ ତାହା ସିନ୍ଧୁର କୁମାରୀ।୩୪୬।

ପବନ ଦେବତାଙ୍କୁ ଦେବୀ ସୁମରଣା କଲେ ଆଗ୍ୟାଂ ପରମାଣେ ଆସି ପବନ ମିଳିଲେ ।୩୪୭।

ଭୋ ପିତା ପବନ ତୋର ପରିମୁଣ୍ଡା ଯାଇ ରାନ୍ଧିବାକୁ ଯାଉଛନ୍ତି ବ୍ରାହ୍ମଣ ଗୋସାଇଂ ।୩୪୮।

ଅଣଂଚାଶ ପବନ ଯେ ସେଠାରେ ବହିବୁ ଖାଇବାର ତଣ୍ଡୁଳ ଉଡ଼ାଇ ସର୍ବ ନେବୁ ।୩୪୯।

ଆଗ୍ୟାଂ ପରମାଣେ ତହୁଂ ପବନ ଚଳିଗଲା ହରି ବଳରାମ ତୁଲେ ପ୍ରବେଶ ହୋଇଲା ।୩୫୦।

ଅଣଚାଶ ହୋଇ ପବନ ସେଠାରେ ବହିଲେ ଚିରା ଧୋତି ସହିତେଣ ସେ ଉଡ଼ାଇଣ ନେଲେ ।୩୫୧।

ବଳରାମ ବୋଇଲେ ଶୁଣ କାଳୀୟଗଂଜନ ପବନ ଭଗାରି ଆମର ହୋଇଲାକ ପୁଣ ।୩୫୨।

ଚିରାଲୁଗା ଆମର ସେ ଉଡ଼ାଇଣ ନେଲା ବିଧାତା ପୁରୁଷ ଆଣି ଏଡ଼େ ଯୋଗ କଲା ।୩୫୩।

କି ବୁଧି କରିବା ଭାଳନ୍ତି ବେନିଭାଇ କ୍ଷୁଧାର ଆରତ ପ୍ରଭୁ ନ ପାରନ୍ତି ସହି ।୩୫୪।

ବଳରାମେ ବୋଇଲେ ଶୁଣ କାଳୀୟଗଂଜନ ଏଥେଂ ଯେବେ ଭାଇ ଆରେ ନ ମିଳିଲା ଅର୍ଣ୍ଣ ।୩୫୫।

ଯେଉଂ ଚଣ୍ଡାଳୁଣୀ ଦ୍ୱାରେ ଲକ୍ଷ୍ମୀ ଥିଲେ ରହି ସେହି ଚଣ୍ଡାଳୁଣୀ ଦ୍ୱାରେ ମାଗିବାକ ଯାଇଂ ।୩୫୬।

ଜଗନାଥେ ବୋଇଲେ ତୁମ୍ଭ ମୁଖେ ଲାଜ ନାହିଂ ଚଣ୍ଡାଲୁଣୀ ଦ୍ୱାରେ ଅର୍ଣ୍ଣ ମାଗିବା କିପାଇଂ ।୩୫୭।

ସେହି ଚଣ୍ଡାଳୁଣୀ ଦ୍ୱାରେ ଲକ୍ଷ୍ମୀ ଥିଲା ରହିଂ ତହିଂକି ନିମନ୍ତେ ତାକୁ ଦେଲ ଘଉଡ଼ାଇ ।୩୫୮।

ପ୍ରାଣ ଯିବାବେଳେ ଚଣ୍ଡାଳୀ ଦ୍ୱାରେ ତହିଂ ଅର୍ଣ୍ଣ ଖାଇବାର ଦୋଷ କିଛି ତହିଂ ନାହିଂ ।୩୫୯।

ଏତେ ବୋଲି ବେନିଭାଇ ବେଗେ ଚଳିଗଲେ ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୩୬୦।

ବେଦଧୁନି କଲେ ତହିଂ ପ୍ରଭୁ ଚକ୍ରଧର ଗହଗହ ବେଦଧ୍ୱନି ଶୁଭେ ତିନିପୁର ।୩୬୧।

ସୋବର୍ଣ୍ଣ ପଲଙ୍କେ ଚଣ୍ଡାଳୁଣୀ ବସିଥିଲା ଗୋବିନ୍ଦଙ୍କ ବେଦ ଶୁଣି ଦ୍ୱାରେ ସେ ମିଳିଲା ।୩୬୨।

ବଳରାମେ ବୋଇଲେ ମାଗୋ ଶୁଣକିନା ତୁହିଂ ଅର୍ଣ୍ଣଦାନ ପୁଡ଼ାଏ ଗୋ ପାରିବୁ କି ଦେଇଂ ।୩୬୩।

କ୍ଷୁଧା ଯେ ହୋଇଣ ଅଛୁ ଆମ୍ଭର ନ ଚଳେ ଶ୍ୱରୀର ଶୁଣିକରି ଚାଣ୍ଡାଳୁଣୀ କରଇ ବିଚାର ।୩୬୪।

ପ୍ରତକ୍ଷରେ ବେନିଜଣ ଅଟନ୍ତି ବ୍ରାହ୍ମଣ ଚଣ୍ଡାଳ ହୋଇ କେମନ୍ତେ ମୁଂ ଦେବି ଅର୍ଣ୍ଣଦାନ ।୩୬୫।

ଏମନ୍ତ ବୋଲିଣ ଯହୁଂ କଲାକ ବିଚାର ବ୍ରାହ୍ମଣ ମୁଖଂକୁ ଚାହିଂ ବୋଲଇ ଉତର ।୩୬୬।

ଜନ୍ମହୁଂ ଚଣ୍ଡାଳ ଦେଖ ଅଟଇ ଯେ ମୁହିଂ ଶୂକର ମାଏଂସ ଘେନି ଭୋଜନ କରଇଂ ।୩୬୭।

ସୁବେଦୀ ବ୍ରାହ୍ମଣ ତୁମ୍ଭେ ଅଟ ବେନିଭାଇ କେମନ୍ତେ ମୁଂ ଅର୍ଣ୍ଣଦାନ ଦେବଇଂ ଗୋସାଇଂ ।୩୬୮।

ବେଦ ପାଠକଲେ ଯହୁଂ ଜଗତ୍ରମୋହନ ଅର୍ଣ୍ଣଦାନ ଦେଇ ମାଗୋ ରଖ ହେ ଜୀବନ ।୩୬୯।

ଶ୍ରୀୟା ଚାଣ୍ଡାଳୁଣୀ ଗୋ ଏମନ୍ତ କୃତ୍ୟ କଲା ବଡ଼ କରି ଠେଙ୍ଗା ରୋଳ ଗୋଟିଏ ଆଣିଲା ।୩୭୦।

କାହିଂର ବ୍ରାହ୍ମଣ ଏ ଅଟଇ ବେନିଜନ ମୋହ ଦ୍ଵାରେ ଆସିକରି ମାଗୁଛନ୍ତି ଅର୍ଣ୍ଣ ।୩୭୧।

ତାହାର ବଚନ ଯହୁଂ ଶ୍ରବଣେ ଶୁଣିଲେ ଖରତର ହୋଇ ତହୁଂ ବେଗେ ପଳାଇଲେ ।୩୭୨।

ଦୁଇ ଗୋଟି ଭାଇ ତହୁଂ ପଳାଇଣ ଗଲେ କବିର ମଠରେ ଯାଇଂ ପ୍ରବେଶ ହୋଇଲେ ।୩୭୩।

କ୍ଷୁଧାର୍ଥୀ ବ୍ରାହ୍ମଣ ବୋଲି କବିର ଜାଣିଲା ଖଇ ମାଣ ଚାରି ଆଣି ଖାଇବାକୁ ଦିଲା ।୩୭୪।

ଅନ୍ତର୍ଗତେ ଜାଣିଲେ ତା ଦେବୀ କମଳିଣୀ ପବନକୁ ରାଇ ଆଗ୍ୟାଂ ଦିଲେ ଠାକୁରାଣୀ ।୩୭୫।

ଆରେ ଆରେ ପବନ ତୁ ବେଗ ହୋଇଯିବୁ ଖଇ ଚାରିମାଣ ଯାକ ଉଡ଼ାଇଣ ନେବୁ ।୩୭୬।

ଆଗ୍ୟାଂ ମାତ୍ରେ ପବନ ଯେ ବେଗେ ଚଳିଗଲା ଖାଉଥିବା ଖଇ ପ୍ରଭୁ ଉଡ଼ାଇଣ ନେଲା ।୩୭୭।

ବଳରାମେ କହୁଛନ୍ତି ଶୁଣରେ କନାଇ କି ବୁଧି କରିବା ଏବେ ବୁଧି ଦିଶୁନାହିଂ ।୩୭୮।

ପଦ୍ମ ପୋଖରୀକୁ ଚାଲ ଯିବା ବେନି ଭାଇ ପଦ୍ମଫଳ ଫୁଲ ଖାଇ ପ୍ରାଣ ରଖିବାକ ତହିଂ ।୩୭୯।

ଫୁଲ ଫଳ କରି ତହୁଂ ଗୁଡ଼ାଏ ଆଣିମା ଅଧିକ ମିଳିଲେ ତହିଂ ସକଳ ବାନ୍ଧିମା ।୩୮୦।

ଏମନ୍ତ ବିଚାରି ତହୁଂ ଦୁଇଭାଇ ଗଲେ ପଦ୍ମ ପୋଖରୀରେ ଯାଇଂ ପ୍ରବେଶ ହୋଇଲେ ।୩୮୧।

ପଦ୍ମ ପୋଖରୀରେ ସାତତାଳ ପାଣି ଥିଲା ଲକ୍ଷ୍ମୀ ଆଗ୍ୟାଂ ଦିଲେ ତହିଂ ପଙ୍କ ପାଲଟିଲା ।୩୮୨।

ଜଗନାଥେ କହୁଛନ୍ତି କି ବୁଧି କରିବା ଜଳ ଯେଉଂଠାରେ ନାହିଂ ଫଳ କି ପାଇବା ।୩୮୩।

କି ବୁଧି କରିବା ଯେ ଭାଳନ୍ତି ହୃଦେଣ ବଳରାମେ ବୋଇଲେ ହରି ତୁମ୍ଭେ ତହୁଂ ଶୁଣ ।୩୮୪।

ଏଥେ ଯେବେ ଅର୍ଣ୍ଣ ଆମ୍ଭକୁ ନ ମିଳଇ କପିଳାଶ ଭୁବନକୁ ଯିବା ଯେ ପଳାଇ ।୩୮୫।

ମଛଦେଶ ଅଙ୍ଗଦେଶ ବୁଲିକରି ଗଲେ କପିଳାଶ ପୁରେ ଯାଇଂ ପ୍ରବେଶ ହୋଇଲେ ।୩୮୬।

କପିଳାଶ ପୁରେ ଶମ୍ଭୁ ଛନ୍ତି ରହି ସେଠାର ମିଳିଲେ ଯାଇଂ ବ୍ରହ୍ମାଣ୍ଡ ଗୋସାଇଂ ।୩୮୭।

ଈଶ୍ୱରଙ୍କୁ ଦେଖିକରି ନମସ୍କାର କଲେ ପ୍ରଳମ୍ବ କରିଣ ହରି ବଚନ ବୋଇଲେ ।୩୮୮।

ଦରିଦ୍ର ଅବସ୍ଥା ହେ ହୋଇଲ ବେନିଭାଇ ଅକାରଣେ ଛାମୁରେଣ ଅଇଲ କିଂପାଇଂ ।୩୮୯।

ଦେବତା ତେତ୍ରିଶକୋଟି ଚରଣେ ଖଟନ୍ତି ତୁ କେମନ୍ତେ ଲକ୍ଷ୍ମୀକୁଂ ତେଜିଲୁ ଦାଶରଥି ।୩୯୦।

ତୁମ୍ଭ ଚରଣରେ କି ଅପ୍ରାଧ କଲା ସେହି ଭାରିଯା ଛାଡ଼ିବା ଏକା ଉଚିତ ନୋହଇ ।୩୯୧।

ଏକା ଭାରିଜାକୁ କିମ୍ପା ଛାଡ଼ିଲ ଜଗନାଥ ଜଗନାଥ ବୋଇଲେ ତୁମ୍ଭେ ଶୁଣ ବିଶ୍ୱନାଥ ।୩୯୨।

ଚଣ୍ଡାଳ ଦ୍ଵାରରେ ଉଭା ହୋଇଥିଲା ମାଏ ସ୍ରାହାନ ନକରି ବଡ଼ ଦେଉଳକୁ ଯାଏ ।୩୯୩।

ଭାଇ ବଳରାମ ତାହା ସହି ନ ପାରିଲେ ଲକ୍ଷ୍ମୀଙ୍କର କଥା ମୋତେ ବୁଝାଇ କହିଲେ ।୩୯୪।

ଯିବାବେଳେ ପ୍ରମଲକ୍ଷ୍ମୀ ଶାପ୍ୟ ଦେଇଗଲା ସକଳ ସପଂଦ ଆମ୍ଭ ଅଦଭୁତେ ଗଲା ।୩୯୫।

ବିଶ୍ବନାଥେ ବୋଇଲେ ହରି ମନ୍ଦକୃତ୍ୟ କଲୁ କିଂଚିତ ଦୋଷରେ ଲକ୍ଷ୍ମୀ କିପାଇଂ ଛାଡ଼ିଲୁ ।୩୯୬।

ଦରିଦ୍ରଭଂଜନୀ ବୋଲି ନାମେ ଅଛି ପାଇ ତାର ଆଗ୍ୟାଂଦିଲେ କେହୁଟି ନ ପାରଇ ନେଇ ।୩୯୭।

ସାହୁ ଯେ ଲୋକଙ୍କୁ ଲକ୍ଷ୍ମୀ ଦରିଦ୍ର କରଇ ଦରିଦ୍ର ଲୋକଙ୍କୁ ଲକ୍ଷ୍ମୀ ସାହୁ ଯେ କରଇ ।୩୯୮।

ଯେବଣ ପୁରକୁ ଆମ୍ଭେ ବିଜେ କରିଯାଇ ହୈମବନ୍ତୀ ଦୁର୍ଗାକୁ ସଙ୍ଗତେ ଘେନିଯାଇ ।୩୯୯।

ଘରର ଘରଣୀ ବାବୁ ବିଲର ହରିଣୀ ତୁ କିମ୍ପାଇଂ ଲକ୍ଷ୍ମୀଙ୍କୁ ତେଜିଲୁ ଚକ୍ରପାଣି।୪୦୦।

ଜଗନାଥେ ବୋଇଲେ ତୁମେ ଶୁଣ ତ୍ରିଲୋଚନ କ୍ଷୁଧାର୍ତ ହୋଇଣ ଆମ୍ଭର ଦହୁଚି ଜୀବନ।୪୦୧।

ଏହି କଥାମାନ ତୁମର ସତ ହୋଉଂ ଅର୍ଣ୍ଣ ପୁଡ଼ାଏକ ଦିଅ ଜୀବନ ଆମ୍ଭ ରହୁ ।୪୦୨।

ଶୁଣିକରି ବିଶ୍ବନାଥ ଚକିତ ହୋଇଲେ ସୋବର୍ଣ୍ଣ ଥାଳିରେ ଦୁର୍ଗେ ଅର୍ଣ୍ଣ ଆଣ ଗୋ ବୋଇଲେ ।୪୦୩।

କିସ ରଖିଅଛ ଘରେ ଦିଅ ବେଗେ ନେଇ ଶୀଘ୍ରକରି ଦିଅ ଗୋ ଭୁଂଜନ୍ତୁ ବେନିଭାଇ ।୪୦୪।

ଏହା ଶୁଣି ପାର୍ବତୀ ଯେ ବେଗେ ଚଳିଗଲେ ରୋଷାଇଂଶାଳରେ ଯାଇଂ ପ୍ରବେଶ ହୋଇଲେ ।୪୦୫।

ସୋବର୍ଣ୍ଣ ହାଣ୍ଡିରୁ ଦୁର୍ଗେ ଢାଙ୍କୁଣି ଖୋଲିଲେ ଅର୍ଣ୍ଣ ନ ଦେଖିଣ ମାଏ ବିରସ ହୋଇଲେ ।୪୦୬।

ଅଛିଦ୍ର ହାଣ୍ଡିରେ ଅର୍ଣ୍ଣ ପୂର୍ଣ୍ଣ ରହିଥିଲା ହରି ବଳରାମେ ଦ୍ୟନ୍ତେ ଅର୍ଣ୍ଣ ଉଭାଇଲା ।୪୦୭।

ଦେଖିକରି ହୃଦେ ଦେବୀ ଚକିତ ହୋଇଲେ ଏତେ ବୋଲି ଦୁର୍ଗେଦେବୀ ବିଜେ କରିଗଲେ ।୪୦୮।

ମହାଲକ୍ଷ୍ମୀକୁଂ ମାଏ ସୁମରଣା କଲେ ଲକ୍ଷ୍ମୀଦ୍ରୋହୀ ବୋଲିକରି ହୃଦରେ ଜାଣିଲେ ।୪୦୯।

ତୋହରେଣ ଦୁର୍ଗତ ହୋଇଲେ ବେନିଭାଇ ଦରିଦ୍ର ଅବସ୍ଥା କଲୁ ସିନ୍ଧୁର ତନଈ ।୪୧୦।

ତତକ୍ଷଣେ ଦୁର୍ଗେ ଦେବୀ ବିଜେ କରିଗଲେ ବିଶ୍ବନାଥ ସନିଧରେ ପ୍ରବେଶ ହୋଇଲେ ।୪୧୧।

ସବୁ କଥାମାନ ବିଶ୍ବନାଥଙ୍କୁ କହିଲେ ହରି ବଳରାମେ ତହିଂ ଅର୍ଣ୍ଣ ନ ପାଇଲେ ।୪୧୨।

ଧ୍ୟାନରେ ଜାଣିଲେ ତାହା ଦେବ ତ୍ରିଲୋଚନ ଏଥେ ଅର୍ଣ୍ଣ ନ ମିଳିବ କାଳୀୟଗଂଜନ ।୪୧୩।

ସମୋଦ୍ର ତୀରକୁ ହରି ପାରିବୁ କି ଯାଇ ମନ ଭରିକରି ଜଣେ ଅର୍ଣ୍ଣ ଦେଇ ସେ ପାରଇ ।୪୧୪।

ଶ୍ରୀହରି ବୋଇଲେ ସେ ହୋଇବ କେତେ ଦୂର ବିଶ୍ଵନାଥ ବୋଲେ ସେ କୋଶେ ବେନିଚାର ।୪୧୫।

କୋଣାରଖଠାକୁ ହରି ପାରିବୁ କି ଯାଇଂ ସମୁଦ୍ର ତଟରେ ଯେ ସେ କନ୍ୟାଏ ଅଛି ତହିଂ ।୪୧୬।

ସେ ଅର୍ଣ୍ଣ ନ ଦେଲେ ଯେ ଦେବାକୁ କେହି ନାହିଂ କ୍ଷୁଧାର୍ତ ହୋଇଣ ଆମର ନ ଚଳଇ ଦେହି ।୪୧୭।

ଏତେ ବୋଲି ଆଜ୍ଞା ସେ ଦିଲେ ତ୍ରିଲୋଚନ କୋଣାରଖଠାକୁ ପ୍ରଭୁ କରନ୍ତି ଗମନ ।୪୧୮।

ହଟି କମଳିଣୀ ତହିଂ ମନରେ ଜାଣିଲେ ସୂର୍ଯ୍ୟଙ୍କୁ ରାଇଣ ତହୁଂ ବେଗେ ଆଗ୍ୟାଂଦିଲେ ।୪୧୯।

ତତକାଳେ ଆଂଟ ଖରା କର ବେଗେ ଯାଇଂ ବାଲି ମାଟି ତାତୁ ତହିଂ ଟହଟହ ହୋଇ ।୪୨୦।

ବଢ଼ିଗଲା ଖରା ଯେ ତାତି ଗଲା ବାଲି ଭୋକରେ ବିକଳ ହୋଇ ନ ପାରନ୍ତି ଚାଲି ।୪୨୧।

ବଳରାମ କହୁଛନ୍ତି ଶୁଣରେ କନାଇ ତତକାଳ ହୋଇ ଯିବା ଦୁଇଗୋଟି ଭାଇ ।୪୨୨।

ରହୁ ସେ ଖରା ତେଜ ନ ପାରଇ ଯାଇ ବେଗବେଗ ହୋଇ ତୁମ୍ଭେ ଯାଅ ଜ୍ୟେଷ୍ଠଭାଇ ।୪୨୩।

ଜଗନାଥଙ୍କୁ ରୁହାଇ ବଳରାମେ ଗଲେ ଲକ୍ଷ୍ମୀ ସିଘଂଦ୍ଵାରେ ଯାଇଣ ପ୍ରବେଶ ହୋଇଲେ ।୪୨୪।

ପ୍ରଥମ ଦୁଆର ଖୋଲି ପଶିଲେ ଭିତର ଭିତର ପୁରକୁ ବିଜେକଲେ ଖରତର ।୪୨୫।

ଧାଈ ମୁଦୁସୁଲୀ ଯେ ଭିତରୁ ଆସୁଥିଲେ ବଳଦେବଙ୍କୁ ସେ ଯେ ନୟନେ ଦେଖିଲେ ।୪୨୬।

ଏହି ରୂପ ହୋଇଣ ଗୋଟାୟେକ ଥିଲା ଆମ୍ଭ ସାଆନ୍ତାଣୀଙ୍କୁ ଯେ ଘଉଡ଼ାଇ ଦେଲା ।୪୨୭।

ଏମନ୍ତ ଯେ ଦାସୀମାନେ ବିଚାର ସେ କଲେ ଗଳାରେ ହସ୍ତ ଦେଇଣ ଦାଣ୍ଡରେ ଛାଡ଼ିଲେ ।୪୨୮।

ଏମନ୍ତେଣ ବଳରାମେ ବାହୁଡ଼ିଣ ଗଲେ ଫେରିଆସି ଜଗନାଥେ ବାଟରେ ଭେଟିଲେ ।୪୨୯।

ବଳରାମ କହୁଛନ୍ତି ଶୁଣରେ କନାଇ ଦାସୀ ଦୁଇଗୋଟା ମୋତେ ଦିଲେ ଘଉଡ଼ାଇ ।୪୩୦।

ଏବେ ଚାଲ ଦୁଇ ଭାଇ ଯିବାଇଂ ଚଳାଇଂ ଲକ୍ଷ୍ମୀ ସିଘଂଦ୍ଵାରେ ପ୍ରଭୁ ବିଜେକଲେ ଯାଇଂ ।୪୩୧।

କାହାର ପୁର ବାବୁ କାହାର ଏ ଘର ବଡ଼ ଯତ୍ନ ଦିଶୁଅଛି ଅତ୍ୟନ୍ତ ସୁନ୍ଦର ।୪୩୨।

ଜଗନାଥ କହୁଛନ୍ତି ଶୁଣ ଆହେ ଭାଇ ମେଲା ଯେ ଦୁଆର ଅଛି କିସ ନେବା ବହି ।୪୩୩।

ଆପଣାର କରି ଏଥୁ ଥୋକାଏକ ନେବା ଭୋକରେ ପଡ଼ିଲେ ପୁଣି କାହାକୁ ମାଗିବା ।୪୩୪।

ବଳରାମ କହୁଛନ୍ତି ଶୁଣରେ କନାଇ ପଂଚମ ସ୍ଵରରେ ଏବେ ବେଦ ପଢ଼ ତୁହି ।୪୩୫।

ସାମବେଦ ହୁଂକାରିଲେ ପ୍ରଭୁ ଭଗବାନ ସ୍ୱର୍ଗ ମଂଚ ପାତାଳ କି ପୂରିଲା ଘନଘନ ।୪୩୬।

ଗହଗହ ବେଦଧ୍ୱନି ବ୍ରହ୍ମାଣ୍ଡେ ପୂରିଲା ମଲାବୃକ୍ଷ ତରୁଲତା ପଲ୍ଲବି ଉଠିଲା ।୪୩୭।

ପଲଙ୍କ ଉପରେ ଯେ କମଳା ଶୋଇଥିଲେ ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ।୪୩୮।

ଜଳାକବାଟିରେ ଥାଇଂ ଲକ୍ଷ୍ମୀ ଚାହିଂଦିଲେ ଚନ୍ଦ୍ରମାବଦନ ପ୍ରଭୁ ମଳିନ ଦେଖିଲେ ।୪୩୯।

ତୁଳସୀର ପତ୍ର ପ୍ରାୟ ମୁଖ ଦିଶୁଛଇ ଦେଖିକରି କମଳିଣୀ ବିଚଳିତ ହୋଇ ।୪୪୦।

ପଂଚୁମନେ ବିଚାର କରନ୍ତି କମଳିଣୀ ମୋତେ ଛାଡ଼ିଲାରୁ ଦୁଖୀ ହେଲେ ଚକ୍ରପାଣି ।୪୪୧।

ଏତେ ବୋଲି ପରମଲକ୍ଷ୍ମୀ ବିଜେ କରିଗଲେ ଅନ୍ତପୁର ଭିତରେ ଯାଇ ପ୍ରବେଶ ହୋଇଲେ ।୪୪୨।

କରୁଣା ଦାସୀକୁ ଚାହିଂ ବଚନ ବୋଇଲେ କେବଣ ଠାବରୁ ଦୁଇ ବ୍ରାହ୍ମଣ ଅଇଲେ ।୪୪୩।

ତୁହି ଯେ କରୁଣା ଆଗୋ ଏମନ୍ତ କରିବୁ ସିଘଂଦ୍ୱାରେ ଯାଇ ତୁ ଗୋ ପ୍ରବେଶ ହୋଇବୁ ।୪୪୪।

କି ଦାନ ମାଗନ୍ତି ସେ ବ୍ରାହ୍ମଣ ବେନିଭାଇ ଏ କଥାକୁ ଭଲକରି ପଚାର ତୁ ଯାଇ ।୪୪୫।

ବିଭା ନୋହିଥିଲେ ତାଙ୍କୁ ବିଭା କରାଇବା ଧନରତ୍ନ ମାଗିଲେ ଯେ ଧନରତ୍ନ ଦେବା ।୪୪୬।

ଅର୍ଣ୍ଣଦାନ ମାଗିଲେ ଯେ ଅର୍ଣ୍ଣଦାନ ଦେବା ତୋଟା ବାସ୍ତୁ ମାଗିଲେ ଯେ ତୋଟା ବାସ୍ତୁ ଦେବା ।୪୪୭।

ଏହା ଶୁଣି କରୁଣା ତୁରିତେ ଚଲିଗଲା ବ୍ରାହ୍ମଣଙ୍କ ମୁଖ ଚାହିଂ ବଚନ ବୋଇଲା ।୪୪୮।

କି ଦାନ ମାଗୁଂଅଛ ହେ ସୁବେଦୀ ଗୋସାଇଂ ଆମ ସାଆନ୍ତାଣୀ ମୋତେ ଦିଲେ ପଠିଆଇ ।୪୪୯।

ବଳରାମେ ବୋଇଲେ କରୁଣା ମୁଖ ଚାହିଂ ସାମନ୍ତାଣୀ ଅନ୍ତପୁରେ କହ ତୁଗୋ ଯାଇଂ ।୪୫୦।

ଅର୍ଣ୍ଣଦାନ ପୁଞ୍ଜାଏକ ପାରିବେ କି ଦେଇ କ୍ଷୁଧାର୍ତ ହୋଇଣ ଆମ୍ଭର ନ ଚଳଇ ଦେହି ।୪୫୧।

ଏମନ୍ତ ବଚନ ଶୁଣି ଯେ କରୁଣା ଚଳିଗଲା କମଳିଣୀ ପାଦପଦ୍ମେ ଯାଇ ଜଣାଇଲା ।୪୫୨।

କରପତ୍ର ଯୋଡ଼ି ଦାସୀ ଦେଉଂଅଛି କହିଂ ସିଘଂଦ୍ୱାରେ ବ୍ରାହ୍ମଣ ଗୋ ମାଗୁଛନ୍ତି ରହିଂ ।୪୫୩।

ଅର୍ଣ୍ଣଦାନ ମାଗୁଛନ୍ତି ସୁବେଦୀ ଗୋସାଇଂ ଦିଅ ବେଗକରି କହିଲେ ଗୋସାଇଂ ।୪୫୪।

ଶୁଣିକରି କମଳିଣୀ ସାନନ୍ଦ ହୋଇଲେ କରୁଣାର ମୁଖ ଚାହିଂ ବଚନ ବୋଇଲେ ।୪୫୫।

ଏବେ ତୁ କରୁଣା ମାଗୋ ଏମନ୍ତ କରିବୁ ଜଳ ରତ୍ନଝରି ବେଗେ ଘେନିଯିବୁ ।୪୫୬।

ନବତନ ହାଣ୍ଡିରେ ଯେ ତଣ୍ଡୁଳ ଘେନିଯିବୁ ବେନି ଯେ ବ୍ରାହ୍ମଣଙ୍କୁ ସେ ପାକ କରାଇବୁ ।୪୫୭।

ବଚନ ବୋଲିବୁ ବ୍ରାହ୍ମଣଙ୍କ ମୁଖ ଚାହିଂ ଚଣ୍ଡାଳୁଣୀ ଘର ୟେ ଅଟଇ ଗୋସାଇଂ ।୪୫୮।

ବ୍ରାହ୍ମଣର କୁଳ ବୁଡ଼ାଇବ କାହିଂ ପାଇଂ ଏମନ୍ତ ବଚନ ତାଙ୍କୁ ବେଗେ କହ ଯାଇଂ ।୪୫୯।

ତହୁଂକରି କରୁଣା ଯେ ବେଗେ ଚଳିଗଲା ଚୁଲି ଗୋଟିଏକ ତହିଂ ବନାଇଲା ।୪୬୦।

ପାଣିଦ୍ରବ ସର୍ବ ତହିଂ ସଜାଇଣ ଦିଲା ରନ୍ଧନ କର ହୋ ବିପ୍ର ବୋଲିଣ ବୋଇଲା ।୪୬୧।

ଦେଖିକରି ସାନନ୍ଦ ଯେ ପ୍ରଭୁ ନାରାୟଣ ରନ୍ଧନକୁ ବିଜେକଲେ କମଳଲୋଚନ ।୪୬୨।

ଚୁଲିର ଉପରେ ହାଣ୍ଡି ଆଣି ବସାଇଲେ ଚାଉଳ ଯେ ଆଣି ପ୍ରଭୁ ଏକାବେଳେ ଦିଲେ ।୪୬୩।

କାଷ୍ଠ ଯେ ଭରିଣ ଚୁଲି ଲଗାଇଲେ ତେତେବେଳେ ପ୍ରମଲକ୍ଷ୍ମୀ କେବଣ ଚିନ୍ତାକଲେ ।୪୬୪।

ରାନ୍ଧିଣ ଭୁଂଜିବେ ଯେବେ ଦୁଇଗୋଟି ଭାଇ ସ୍ତରୀକି ପୁରୁଷ ଆଉ ଲୋଡ଼ିବେ କିମ୍ପାଇଂ ।୪୬୫।

ଅଗ୍ନି ଯେ ଦେବତାଙ୍କୁ ମାଏ ସୁମରଣା କଲେ ବ୍ରାହ୍ମଣ ସେ ବେନିଭାଇ ରନ୍ଧନକୁ ଗଲେ ।୪୬୬।

ଭୋ ଅଗ୍ନି ଦେବତା ମୁଂ ଯେ ତୋହରେ ଶରଣ ରନ୍ଧନକୁ ଯାଇଛନ୍ତି ଶ୍ରୀମଧୁସୋଦନ ।୪୬୭।

ହାଣ୍ଡି ନ ତାତିବ ତଳ କଳା ନ ପଡ଼ିବ ଏକାବେଳେ କାଷ୍ଠଯାକ ଜଳିକରି ଯିବ ।୪୬୮।

ଫୁଙ୍କିଫୁଙ୍କି ପ୍ରଭୁର ଦେହ ହେବ ଖିନ ଲେଉଟିୟନ୍ତି ଖାଇବେ ମୋହରି ହସ୍ତେଣ ।୪୬୯।

ପ୍ରମଲକ୍ଷ୍ମୀ ବଚନେ ଅଗ୍ନି ନ ଜଳିଲା ଏକାବେଳେ କାଷ୍ଠଯାକ ପାଉଂଶ ହୋଇଲା ।୪୭୦।

ତଇଳକ ପାତ୍ର ଘେନି କରୁଣା ଅଇଲେ ଅର୍ଣ୍ଣ ହୋଇଲାକି ନାହିଂ ବଚନ ବୋଇଲେ ।୪୭୧।

ସ୍ରାହାନ କରିବ କି ଦେବ ରେଷାଇଂ ହୋଇଲା ଜଗନାଥ ବୋଇଲେ ଭାଇ ପାଣି ନ ତାତିଲା ।୪୭୨।

ତୁମ୍ଭେ ଆଡ଼ ହୁଅ ଏବେ ରାନ୍ଧିବି ଯେ ମୁହିଂ ଅର୍ଣ୍ଣ ରାନ୍ଧିବାକୁ ଗଲେ ବଳରାମ ଭାଇ ।୪୭୩।

ଫୁଙ୍କି ଫୁଙ୍କି ବଳରାମ ଚିଟା ଯେ ପାଇଲେ ହାଣ୍ଡିକୁଣ୍ଢେଇ ଏକଠାବେ କଚାଡ଼ିଲେ ।୪୭୪।

ଖଣ୍ଡ ଖଣ୍ଡ କରି ହାଣ୍ଡି ଭାଙ୍ଗି ପକାଇଲେ ପାଚେରୀ ଡିଆଇଂ ସବୁ ପକାଇଣ ଦିଲେ ।୪୭୫।

କ୍ଷୁଧାରେଣ ଦୁଇଭାଇ ଆକୁଳ ହୋଇଲେ କି ବୁଧି କରିବା ଜଗନାଥଙ୍କୁ ବୋଇଲେ ।୪୭୬।

ବଳରାମେ ବୋଇଲେ ଶୁଣ ଜଗନାଥ ଭାଇ ହୋଇଲେ ଚଣ୍ଡାଳ ହୋଉଂ ଆମ୍ଭେ ଅର୍ଣ୍ଣ ଖାଇଂ ।୪୭୭।

ଅର୍ଣ୍ଣଦାନ ତାହାଙ୍କୁ ମାଗିବା ଆରେ ଭାଇ ଏତେ ବୋଲି ବିଜେ କଲେ ପ୍ରଭୁ ଭାବଗ୍ରାହୀ ।୪୭୮।

ପ୍ରମଲକ୍ଷ୍ମୀ ସିଘଂଦ୍ବାରେ ପ୍ରବେଶିଲେ ବେନିଭାଇ ବେଦଧ୍ବନି ହୁଙ୍କାରିଲେ ତ୍ରଇଲୋକ୍ୟ ଗୋସାଇଂ ।୪୭୯।

ବେଦଧ୍ୱନି କଲେ ତହିଂ କାଳାୟଗଂଜନ ଗହଗହ ବେଦଧୁନି ପୂରେ ତ୍ରିଭୁବନ ।୪୮୦।

ଗୋବିନ୍ଦଙ୍କ ବେଦ ଯହୁଂ କମଳା ଶୁଣିଲେ କରୁଣା ଦାସୀକୁ ଚାହିଂ ବଚନ ବୋଇଲେ ।୪୮୧।

ଏବେ ତୁ କରୁଣା ଆଗୋ ବେଗେ ଚଳିଯିବୁ ସିଘଂଦ୍ୱାରେ ଯାଇଂ ତୁ ପ୍ରବେଶ ହୋଇବୁ ।୪୮୨।

ପଚାରିବୁ କିବା ବିପ୍ର ସକ୍ରୋଧେ କହିଲେ କଲ୍ୟାଣ ନିମନ୍ତେ ଅବା ବେଦଧୁନି କଲେ ।୪୮୩।

ଯେତେବେଳେ ବ୍ରାହ୍ମଣ ଯେ ଭୋଜନ କରନ୍ତି ଭୋଜନ ଶେଷରେ କଲ୍ୟାଣ ଦିଅନ୍ତି ।୪୮୪।

ଦକ୍ଷିଣା ନିମନ୍ତେ ଅବା କଲେ ବେଦଧୁନି ସକଳ ବାରତା ତୁ ଲୋ ଦିଅ ମତେ ଆଣି ।୪୮୫।

ଏହା ଶୁଣି କରୁଣା ବିଜେ କରିଗଲା ସିଘଂଦ୍ଵାରେ ଯାଇଂ ବେଗେ ପ୍ରବେଶ ହୋଇଲା ।୪୮୬।

ବଳରାମେ ବୋଇଲେ ମାଗୋ ଶୁଣ କି ନା ତୁହି ରାନ୍ଧି ନ ପାରିଲେ ଗୋ ଆମର ସାନଭାଇ ।୪୮୭।

ସାଆନ୍ତାଣୀ ଆଗେ ତୁ ଗୋ କହ ବେଗେ ଯାଇଂ ଅର୍ଣ୍ଣଦାନ ଦେଇକରି ରଖ ଆମ୍ଭ ଦେହିଂ ।୪୮୮।

ବ୍ରାହ୍ମଣ ବେନିଜଣକୁ ଦେବ ଅର୍ଣ୍ଣଦାନ ଅନ୍ତକାଳେ ପାଇବଟି ବୈକୁଣ୍ଠ ଭୁବନ ।୪୮୯।

ଏହା ଶୁଣି ଦାସୀ ତହୁଂ ବେଗେ ଚଳିଗଲା କମଳିଣୀ ଛାମୁରେଣ ପ୍ରବେଶ ହୋଇଲା ।୪୯୦।

କରପତ୍ର ଯୋଡ଼ି ଦାସୀ ଦେଉଂଅଛି କହି ସାବଧାନ ହୋଇ ଶୁଣ ସିନ୍ଧୁର ତନଈ ।୪୯୧।

ଯେବଣ ବ୍ରାହ୍ମଣକୁ ଗୋ ସଂଚା ଦିଲୁ ନେଇ ରାନ୍ଧି ନ ପାରିଲେ ତାହାଙ୍କ ସାନଭାଇ ।୪୯୨।

ଅର୍ଣ୍ଣଦାନ ମାଗୁଛନ୍ତି ସୁବେଦୀ ଗୋସାଇଂ ହୋଇଲେ ଚଣ୍ଡାଳ ହୋଉଂ ଅଟେ ପୁଣ୍ୟଦେହିଂ ।୪୯୩।

ଅର୍ଣ୍ଣଦାନ ଦେଇକରି ରଖୁ ଆମ୍ଭ ପ୍ରାଣ ଏମନ୍ତ ବଚନ ମା ଗୋ ବୋଇଲେ ସେ ବ୍ରାହ୍ମଣ ।୪୯୪।

ଶୁଣିକରି ପରମଲକ୍ଷ୍ମୀ ଚିତେ ଦୟାକଲେ କେତେ ଦୁଖ ଦୁଇ ଭାଇ ପୁଣ ଯେ ପାଇଲେ ।୪୯୫।

ପ୍ରମଲକ୍ଷ୍ମୀ ମାଏ ସେ ନିବସ୍ର ହୋଇଥିଲେ ସୋବର୍ଣ୍ଣର ବେନି ବାହି ହସ୍ତରେ ଖଂଜିଲେ ।୪୯୬।

କଣ୍ଠରେ ଘେନିଲେ ମାଏ ସୋବର୍ଣ୍ଣର ମାଳି ତାର ପରେ ଶୋଭା ଦିଶେ ହାର ଗଙ୍ଗାଜଳି ।୪୯୭।

କର୍ଣ୍ଣରେ ଖଂଜିଲେ ଦେବୀ ପଂଚସରି କାପ ହାର ଲମ୍ବିଅଛି ତହିଂ ମୁକୁତାର ଥୋପ ।୪୯୮।

ହୃଦପରେ ଶୋଭାକରେ ମୁକୁତାର ହାର ସୋବର୍ଣ୍ଣ ଓଳମା ମାଏ ଘେନିଲେ ନାସାର ।୪୯୯।

ପୟରକୁ ଶୋଭାଦିଲା ବାଜେଣି ନେପୁର ଚାଲନ୍ତେଣ ଶବଦ କରନ୍ତି ସେ ମଧୁର ।୫୦୦।

ନୟନରେ ଶୋଭାକଲେ ମୁହନ କଜଳ ସୀମନ୍ଥା ଦେଇଂଣ ତହିଂ ବାନ୍ଧିଲେକ ବାଳ ।୫୦୧।

ସୁରଙ୍ଗ ପତନି ଝୀନ କାଛେଣି ପିନ୍ଧିଲେ ରଙ୍ଗବସ୍ର ଖଣ୍ଡେ ମାଏ ଉପୁରାଣ ଦିଲେ ।୫୦୨।

ମହୁଂ ଯେ ଦଧିରେ ମାଏ ସ୍ରାହାନ ସାରିଲେ ଶୁଚୀବନ୍ତ ହୋଇ ଦେବୀ କମଳା ଅଇଲେ ।୫୦୩।

ସୋବର୍ଣ୍ଣର ଚଟୁ ମାଏ ଧଇଲେ ହସ୍ତର ରାନ୍ଧିଣ ବସିଲେ ମାଏ ରୋଷାଇଂଶାଳର ।୫୦୪।

ନାନାବିଧି କଲେ ତହିଂ ସିନ୍ଧୁର ନନ୍ଦନୀ କ୍ଷଣକ ଭିତରେ ପାକ ସମ୍ଭାରିଲେ ଆଣି ।୫୦୫।

ନାଡ଼ି ଲୁଳି କଲେ ତହିଂ କଦଳୀର ଭଜା ଖଣ୍ଡପନିର ମିଶାଇ କଲେ ଖଣ୍ଡଖଜା ।୫୦୬।

ଦାନ୍ତିଆ ସଙ୍ଗତେ ମାଏ କାନ୍ତିଆ ମିଶାଇ ମରିଚ ଭୁଲି ବୋଲି ପିଠାର ନାମ ଦେଇ ।୫୦୭।

ହଂସିକେଳୀ ଡାଳିମ୍ବ ପିଠା ରାନ୍ଧିଲେଣ ଲଡ଼ୁ ଯେ ମୁଖୁଡ଼ି ମାଏ କଲେ ଯେ ଭିୟାଣ ।୫୦୮।

ଦୁଧପନି କଲେ ତହିଂ ଘୃତପନି କଲେ ଦଧିପୁଳି କାକରା ଯେ ସବୁ ତିଆରିଲେ ।୫୦୯।

ସରପୁଳି ବୋଲି ଯେ ପିଠାର ଦିଲେ ନାମ ଚିତଇ ନବାତ ମାଏ କଲେ ଯେ ଭିଆଣ ।୫୧୦।

ଚକୋଳି ଇଣ୍ଡୋରି ମାଏ କଲେକ ନିର୍ବାଣ ବଡ଼ି ମହୁରିକୁ ଘେନି ଅନେକ ତିଉଣ।୫୧୧।

କ୍ରପୂର ମରିଚ ଦେଇ ପଣା ସଜାଡ଼ିଲେ ଜାଇଫଳ ବାସକୁ ସୁବାସ ତାହା ସଜକଲେ ।୫୧୨।

ପଇଡ଼ ସହିତ ଦହି କଦଳୀର ପଣା ଅଦା ମିଶାଇଣ ଯେ ନବାତ ଖଣ୍ଡଛେନା ।୫୧୩।

ଖଣ୍ଡିଏ ଖଣ୍ଡିଏ କରି ଯତନେ ସମ୍ପାଦିଲେ ଭୋଜନ ଶେଷକୁ ପୋଡ଼ାପିଠାଏ ପୋଡ଼ିଲେ ।୫୧୪।

ଯେଉଂ ପୋଡ଼ାପିଠା ମୂଲ ଷାଠିଏ କାହାଣ ତାହା ଦିଲେ ଭୋଜନ କରନ୍ତି ନାରାୟଣ ।୫୧୫।

କୁଡ଼ିଆ ଷାଠିଏ ଗୋଟି ରାନ୍ଧି ମହାମାଈ ବଗଡ଼ା ଭାତର କଥା କଳଣା ନ ଯାଇ ।୫୧୬।

ପାକ ସଂଚାଇଣ ଲକ୍ଷ୍ମୀ ନିର୍ବାଣ ସେ କଲେ ମଣୋହିଂ ଠାବର ମାଝେ ମଣ୍ଡିଣ ଲାଗିଲେ ।୫୧୭।

ଚନ୍ଦନ କ୍ରପୂର ଛଡ଼ା ମାଏ ପକାଇଲେ ମୁକୁତା ଚୂରିଣ ମାଏ ମୁରୁଜ ଲେଖିଲେ ।୫୧୮।

ଶତଦଳ ପଦ୍ମମାନ ତହିଂରେ ଲେଖିଲେ ଇନ୍ଦ୍ର ଗୋବିନ୍ଦ ଚିତ୍ର ତହିଂ ଉପରେ ଆଙ୍କିଲେ ।୫୧୯।

ସୋବର୍ଣ୍ଣ ଚାମର ଚାରି ଦିଗରେ ଖଂଜିଲେ ବିଚିତ୍ର କରିଣ ତହିଂ ପୁରେକ ମଣ୍ଡିଲେ ।୫୨୦।

ହାତଧୁଆ ପାଦଧୁଆ ପ୍ରତିପ୍ରତି କରି ସୁବର୍ଣ୍ଣ ଥାଳି କଟରା ସୁବର୍ଣ୍ଣର ଝରି ।୫୨୧।

କରୁଣା ଦାସୀକି ରାଇ ବୋଇଲେ ବଚନ ବ୍ରାହ୍ମଣକୁ ଘେନି ଆସ ଯାଇ ତୁ ବହନ ।୫୨୨।

ଏବେ ତୁ କରୁଣା ଆଗୋ ଶୀଘ୍ର ହୋଇଯିବୁ ବ୍ରାହ୍ମଣଙ୍କ ମୁଖ ଚାହିଂ ବଚନ ବୋଲିବୁ ।୫୨୩।

ପାକ ସଂଚା ଯୁଗତେଣ ହୋଇଲା ନିର୍ବାଣ ସନ୍ଧ୍ୟା ସ୍ରାହାନ କରନ୍ତୁ ଯେ ତୁମ୍ଭେ ଦୁଇଜଣ ।୫୨୪।

ପ୍ରମଲକ୍ଷ୍ମୀ ଆଗ୍ୟାଂପାଇଂ କରୁଣା ଯେ ବେଗେ ଚଳିଗଲା ସିଘଂଦ୍ୱାରେ ଯାଇଣ ସେ ପ୍ରବେଶ ହୋଇଲା ।୫୨୫।

କରପତ୍ର ଯୋଡ଼ି ଦାସୀ କହୁଅଛି ତହିଂ ୟେବେ ଅର୍ଣ୍ଣ ଭୁଂଜିବ ହେ ସୁବେଦୀ ଗୋସାଇଂ ।୫୨୬।

ତେତେବେଳେ କମଳିଣୀ କେଉଂ କୃତ୍ୟ କଲେ ବରୁଣ ଦେବତାଙ୍କୁ ଲକ୍ଷ୍ମୀ ସୁମରଣା କଲେ ।୫୨୭।

ଭୋ ପିତା ବରୁଣ ତୋର ପରିମୁଣ୍ଡା ଯାଇଂ ସ୍ରାହାନକୁ ଯାଉଂଛନ୍ତି ସୁବେଦୀ ଗୋସାଇଂ ।୫୨୮।

ସପତ ଯେ ସିନ୍ଧୁଜଳ ଶୁଖି କରି ଯିବୁ ଚଳେକ ଜଳ ଯେ ତହିଂରେ ନ ରଖିବୁ ।୫୨୯।

କହୁ କହୁ ସିନ୍ଧୁରାଜା ଚଳିଣ ଯେ ଗଲା ଦଶ ଯେ ଯୋଜନ ଅନ୍ତେ ଜୁଆର ଛାଡ଼ିଲା ।୫୩୦।

ଚଳେକ ଜଳ ଅନ୍ତେ ତହିଂରେ ନ ରଖିଲା ଶୁଖିଲା ଭୂମିର ପ୍ରାଏ ହୋଇଣ ରହିଲା ।୫୩୧।

ସ୍ରାହାନକୁ ବିଜେ କଲେ ପ୍ରଭୁ ହୃଷୀକେଶ ସମୋଦ୍ର ତୀରରେ ପ୍ରଭୁ ହୋଇଲେ ପ୍ରବେଶ ।୫୩୨।

ଦେଖିକରି ଜଗନାଥେ ବିରସ ହୋଇଲେ ବଳରାମ ମୁଖ ଚାହିଂ ବଚନ ବୋଇଲେ ।୫୩୩।

ତେତେବେଳେ ଜଳ ଯେ ସମ୍ପୂର୍ଣ୍ଣ ହୋଇଥିଲା ଆମ୍ଭେ ଆସିବାରୁ ଜଳ ଉଭାଇଣ ଗଲା ।୫୩୪।

ୟେତେ ବୋଲି ଆକୁଳ ହୋଇଲେ ବେନି ଭାଇ ସ୍ରାହାନ ଠାରୁ ଖଣ୍ଡିଲା ସିନ୍ଧୁର ତନଈ ।୫୩୫।

ଭୋଜନ ଠାବରେ ନିକି ହରିନିଏ ସେହି ଏତେ ବୋଲି ଆକୁଳ ହୋଇଲେ ବେନି ଭାଇ ।୫୩୬।

ବଳରାମେ ବୋଇଲେ ଶୁଣ ନାରାୟଣ ସ୍ନାନ ସନ୍ଧ୍ୟା କଲୁ ଯେ ବୋଲିବାକ ପୁଣ ।୫୩୭।

ଜଳ ଯାଇ ତାଙ୍କୁ ନ ମାଗିବାକ ହେ ପୁଣ ଶିରରେ ସିଂଚିବା ବାମନ ସୁମରିଣ ।୫୩୮।

ଏତେ ବୋଲି ଚଳିଗଲେ ବେନିଗୋଟି ଭାଇ କମଳିଣୀ ଦ୍ୱାରେ ପ୍ରବେଶିଲେ ଯାଇ ।୫୩୯।

କରୁଣା ବୋଲଇ ତୁମ୍ଭେ ଶୁଣ ବିପ୍ରବର ଶୀଘ୍ରେ ସ୍ନାନକରି କି ଅଇଲ ତତପର ।୫୪୦।

ସ୍ନାନ ସନ୍ଧ୍ୟା କଲୁ ଯେ ବୋଲନ୍ତି ବେନିଭାଇ ଅନ୍ତର୍ଗତେ ଜାଣିଲେ ତା ସିନ୍ଧୁର ତନଈ ।୫୪୧।

ସଂସାର ନିମନ୍ତେ ସୃଷ୍ଟି କରିଛନ୍ତି ସେହି ମୋହ ଛାରପାଇଂ କଷ୍ଟ ପାଇଲେ ବେନି ଭାଇ ।୫୪୨।

ଶୁଣ ଆଗୋ କରୁଣା ତୁ ଏମନ୍ତ କରିବୁ ସୋବର୍ଣ୍ଣ ଝରିରେ ନିର ଘେନିକରି ଯିବୁ ।୫୪୩।

ବେନିଜଣ ବ୍ରାହ୍ମଣଙ୍କୁ ସ୍ରାହାନ କରାଇବୁ ପାଟ ଯେ ହଡ଼ପଲାଗି ଘରୁ ନେଇ ଦେବୁ ।୫୪୪।

ଏହି ଯେ ସନ୍ଧ୍ୟା ବସନ ପିନ୍ଧି ଭୋଜନ କରିବେ ଯିବାବେଳେ ପାଟଯଥା ପାଲଟି ଥୋଇବେ ।୫୪୫।

ଏହା ଶୁଣି ଦାସୀ ହରଷ ହୋଇ ଗଲା କମଳି ବିମଳି ଆଳି ସଙ୍ଗେ ଘେନି ଗଲା ।୫୪୬।

ସେ ଦୁଇ ଭାଇଙ୍କି ଯେ ମର୍ଦ୍ଦନ ବେଗେ କଲେ ସୁବାସିତ ଜଳରେ ସ୍ରାହାନ କରାଇଲେ ।୫୪୭।

ମଥା ପୋଛି ପିନ୍ଧାଇ ଦିଲେ ପାଟଧୋତି କାନ୍ଧରେ ଉତରୀ ଗୋଟିଏ ପକାଇଲେ ଧାତି ।୫୪୮।

ଗନ୍ଧ ଯେ ଚନ୍ଦନ ଆଣି ଦେହରେ ବୋଳିଲେ ମଣୋହିଂକୁ ବିଜେକର ବୋଲିଣ ବୋଇଲେ ।୫୪୯।

ପୟରକୁ ଦିଲେ ତହୁଂ ସୋବର୍ଣ୍ଣ କଠାଉଂ ହୀରା ନିଳା ମାଣିକ୍ୟ ଦିଶଇଂ ଦାଉଂ ଦାଉଂ ।୫୫୦।

କରୁଣା ବିଜୟ କଲେ ଭିତର ପୁରକୁ ଆସ ଆସ ବିପ୍ରବର ମଣୋହିଂ ଠାବକୁ ।୫୫୧।

ଆଗେ ଆଗେ ଚାଲୁଛନ୍ତି ପ୍ରଭୁ ବଳରାମ ପଛରେ ଚଳିଲେ ତହିଂ କାଳୀୟଗଂଜନ ।୫୫୨।

ଜଗନାଥେ ବୋଇଲେ ଭାଇ ଆମ୍ଭ ତହୁଂ ଶୁଣ ପ୍ରତକ୍ଷରେ ସ୍ତିରୀ ଲୋକ ଅଟଇ ୟେ ପୁଣ ।୫୫୩।

ପୁରୁଷ ଯେ ଜଣେ ହେଂ ଏଠାବରେ କେହି ନାହିଂ ଅନ୍ତେପୁର ଦ୍ଵାରକୁ ଯେ ଯିବାର ଉଚିତ ନୋହଇଂ ।୫୫୪।

ୟେହି ଠାବରେ ଆମ୍ଭେ ଭୋଜନ କରିବୁ ଆଂଚେବନ କରିଣ ଯେ ଆମ୍ଭେ ଚଳିଯିବୁ ।୫୫୫।

ବଳରାମେ ବୋଇଲେ ଶୁଣ କାଳୀୟଗଂଜନ ୟେହା ଯେବେ ଭାଇ ଆରେ ବିଚାରୁଛୁ ମନ ।୫୫୬।

ଆଜକର ମାନ ଆମ୍ଭେ ଗୃହସ୍ଥ ଖାଇବା ଶ୍ଵରୀର ସୁଖରେ ଆମ୍ଭେ ଅର୍ଣ୍ଣ ଯେ ଭୁଂଜିବା ।୫୫୭।

ଏତେବୋଲି ବିଜେ କଲେ ଦେବେ ନାରାୟଣ ମଣୋଇ ଠାବରେ ବିଜେ କଲେକ ଆପଣ ।୫୫୮।

ପୁର ଦେଖି ସାନନ୍ଦ ହୋଇଲେ ନାରାୟଣ ଏମନ୍ତ ସୁନ୍ଦର ପୁର କେ କଲା ନିର୍ବାଣ ।୫୫୯।

ପୂର୍ବେ ପ୍ରମଲକ୍ଷ୍ମୀ ଯେମନ୍ତ ପୁର ମଣ୍ଡିଥିଲା ସେହିମତି ପୁର ଆମ୍ଭଙ୍କୁ ସୁନ୍ଦର ଲାଗିଲା ।୫୬୦।

ବଳରାମକଇ ରତ୍ନପିଢ଼ା ଦିଲା ନେଇ ପିଢ଼ା ଦେଖି ଚିହ୍ନିଲେ ଠାକୁର ଭାବଗ୍ରାହୀ ।୫୬୧।

ଜଗନାଥେ ବୋଇଲେ ଶୁଣ ବଳରାମ ଭାଇ ବଡ଼ ସୁନ୍ଦର ଏହା ଦେଖିଲଇଂ ମୁଇଂ ।୫୬୨।

ଯେତେବେଳେ ବରୁଣ ଲକ୍ଷ୍ମୀଙ୍କୁ ଦିଲା ଦାନ ଏଇ ସେ ସୋବର୍ଣ୍ଣ ପିଢ଼ା ଦିଲେକ ଆପଣ ।୫୬୩।

ଏହାର ପୁରକୁ ଅଇଲା କିସପାଇଂ ନିଶ୍ଚଏ ପରମଲକ୍ଷ୍ମୀ ଏଠାରେ ଅଛଇଂ ।୫୬୪।

ଭୋଜନ ସରିଲେ ଏହା ନେବାକ ବେଉଂସି ୟେତେ ବୋଲି ଭୋଜନେ ବସିଲେ ହୃଷୀକେଶୀ ।୫୬୫।

ଏମନ୍ତ ପରମଲକ୍ଷ୍ମୀ କେଉଂ କୃତ୍ୟ କଲେ ବ୍ରାହ୍ମଣୀ ଗୋଟିକୁ ମାଏ ପାଶକୁ ରାଇଲେ ।୫୬୬।

ଦେଢ଼ଶୁର ହୁଅନ୍ତି ଯେ ପ୍ରଭୁ ବଳରାମ ମୋହ ଅର୍ଣ୍ଣ ଦେବାକୁ ଯେ ନ ଯୋଗାଇ ପୁଣ ।୫୬୭।

ମୋହ ମାନିଲେଣ ସିନା ମାନିବେ ଧରତ୍ରୀ ଏତେବୋଲି ମନେ ବିଚାରିଲେ ସିନ୍ଧୁପୁତ୍ରୀ ।୫୬୮।

ବ୍ରାହ୍ମଣୀ ଗୋଟିକି ମାଏ ସୁବେଶ କରାଇ ବଳରାମ ଠାକୁରଙ୍କୁ ଅର୍ଣ୍ଣ ଦିଲେ ନେଇ ।୫୬୯ ।

ବିଶ୍ୱେଦେବା ପୂଜାବିଧି କଲେ ନାରାୟଣ ଅର୍ଣ୍ଣ ଜଳ ଘେନିଣ ସେ ପ୍ରଭୁ ଯେ ଆପଣ ।୫୭୦।

ଖଣ୍ଡିଏକ ଥାଳି ଘେନି ବ୍ରାହ୍ମଣୀ ଅଇଲା ବଡ଼ସାନ ବୋଲି କିଏ ଜାଣି ନ ପାରିଲା ।୫୭୧।

ବଳରାମେ ବୋଇଲେ ତୁ ହୋଇଲୁକି କାଣୀ ବଡ଼ସାନ ବୋଲି କିଏ ଚିହ୍ନି ପାରୁ ନାହିଂ ।୫୭୨।

ଆମ୍ଭେ ବଡ଼ ପ୍ରଥମେ ଦିଅ ବେଲିଣ ଯେ କହି ବ୍ରାହ୍ମଣୀ ବୋଇଲେ କୋପ ନ କର ଗୋସାଇଂ ।୫୭୩।

ପ୍ରଥମ ଥାଳିରେ ଅର୍ଣ୍ଣ ବଳରାମେ ଦିଲା ଦୁତୀୟରେ ପୁଣି ଅର୍ଣ୍ଣ ଆଣିବାକୁ ଗଲା ।୫୭୪।

ଅର୍ଣ୍ଣ ନ ଦେଖିଣ ତହୁଂ ସେ ଚକିତ ହୋଇଲା ଏ ବ୍ରାହ୍ମଣଙ୍କ ଅର୍ଣ୍ଣ ନେଲା କେ ବୋଇଲା ।୫୭୫।

ବଳରାମେ ବୋଇଲେ ହୋ କ୍ଷୁଧା ହୋଇଥିଲି ଏଣୁକରି ଅର୍ଣ୍ଣ ଚାରି ଗ୍ରାସେ ମୁଂ ଖାଇଲି ।୫୭୬।

ହସିଣ ବ୍ରାହ୍ମଣୀ କୁହେ ତୁମ୍ଭର କି କେହି ନାହିଂ କୁଟୁମ୍ବଗଡ଼ାକୀ ତୁମ୍ଭେ ଅଟ ବେନିଭାଇ ।୫୭୭।

କ୍ଷୁଧାରେଣ ଭୋଜନ କରନ୍ତି ଦାରୁବ୍ରହ୍ମ ଲକ୍ଷ୍ମୀ ଦେଉଛନ୍ତି ପୁଣ ଭିତରେ ଥାଇଂଣ ।୫୭୮।

ଦିବ୍ୟ ପିଠାମାନ ଲକ୍ଷ୍ମୀ ଦେଉଛନ୍ତି ନେଇଂ ଖଣ୍ଡି ସେ ଶାକର ଛେନା ଗୋଟିକା ମିଶାଇ ।୫୭୯।

ମନୋହର ପିଠାମାନ ଦେଉଛନ୍ତି ନେଇ ହସିଖେଳି ଦେଉଛନ୍ତି ସିନ୍ଧୁର ତନଈ ।୫୮୦।

ସନ୍ତୋଷ ହୃଦେଣ ଦେବ କରନ୍ତି ଭୋଜନ ବଳାଇ ବଳାଇ ମାଏ ଦିଲେ ଦ୍ରବ୍ୟମାନ ।୫୮୧।

ସରପୁଳି କାକରା ଯା ଆରିସା ଦିଲେ ନେଇ କ୍ଷୁଧାରେଣ ଭୋଜନ କରନ୍ତି ଭାବଗ୍ରାହୀ ।୫୮୨।

ଗୋଟିକା ଅଧାମ ଘୋଟି ଦିଲେ ମହାମାଈ ବଗଡ଼ା ଭାତର କଥା କହି ତ ନ ଯୋଗାଇ ।୫୮୩।

ଅଙ୍ଗବାସ ପଣାକୁ ଦିଲେ ମହାମାଈ ଭୋଜନରେ ହରଷ ହୋଇଲେ ଭାବଗ୍ରାହୀ ।୫୮୪।

ଭୋଜନ ଶେଷକୁ ପୋଡ଼ପିଠା ଦିଲେ ନେଇ ଖାଇକରି ସନ୍ତୋଷ ହୋଇଲେ ଭାବଗ୍ରାହୀ ।୫୮୫।

ପୂର୍ବେ ମହାଲକ୍ଷ୍ମୀ ଯେ ମନ୍ତ୍ରପାକ କରିଥିଲେ ସେହିମତି ଅମୃତ ମଣୋହି ସଂପାଦିଲେ ।୫୮୬।

ପୂର୍ବ ଜନ୍ମେ ଆମ୍ଭେ ପୁଣ୍ୟ କରିଥିଲୁ ତେଣୁକରି ଅନ୍ନ ଆମ୍ଭେ ଏଠାରେ ପାଇଲୁ ।୫୮୭।

ଆଂଚେବନ ସାରିଣ ଯେ ପ୍ରଭୁ ଭଗବାନ ଭିତର ପୁରକୁ କଲେକ ଗମନ ।୫୮୮।

ଯେଉଂ ରତ୍ନଖଟ ହନୁମନ୍ତ ନେଇଥିଲା ସେହି ରତ୍ନଖଟ ଗୋଟି ବିଛାଇଣ ଦିଲା ।୫୮୯।

ସେହି ରତ୍ନଖଟେ ବସିଲେ ନାରାୟଣ କ୍ରପୂର ତାମ୍ବୋଳମାନ କରନ୍ତି ଭୋଜନ ।୫୯୦।

ପଂଚୁମନେ ବିଚାର କରନ୍ତି ସିନ୍ଧୁର ନନ୍ଦନୀ ମୋତେ ଚିହ୍ନି ନ ପାରିଲେ ସେହି ଭାଇ ବେନି ।୫୯୧।

ଚନ୍ଦନ ଲେପନକଲେ ଦୁଇଗୋଟି ଭାଇ ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ।୫୯୨।

ପଚାର ପଚାର ଦାସୀ ପଚାର ଲୋ ଯାଇ ବିଭା ହୋଇଛନ୍ତି ସେ କି ଦୁଇଗୋଟି ଭାଇ ।୫୯୩।

କାହିଂ ତୁମ୍ଭ ବାଡ଼ି ବୃତି କେଉଂଠାରେ ଘର କେଉଂଠାରେ ଗୁଆବାଡ଼ି ଶାସନ ତୁମ୍ଭର ।୫୯୪।

ଜଗନାଥ ବୋଲୁଛନ୍ତି ଶୁଣ ଦାସୀ ତୁହି ଲକ୍ଷ୍ମୀର ପରା ଭାରିଯା ଛାଡ଼ିଅଛି ମୁହିଂ ।୫୯୫।

ଅଦୃଷ୍ଟ କରମ ଦୋଷେ ଭୁଂଜୁ ଦୁଖୀ ଥାଇ ଲକ୍ଷ୍ମୀର ଦୋରେହା ହୋଇ ଏତେ ଭୋଗିଲଇଂ ।୫୯୬।

ଦାସୀ ବୋଇଲେ ତୁମ୍ଭେ ହୋଇଲ କି ବାଇ ମାଇପଛଡ଼ା ପୁରୁଷ ଦରିଦ୍ର କି ହୋଇ ।୫୯୭।

ଗୋବିନ୍ଦ ବୋଇଲେ ତୁହୁଂ କହୁଂ ଶୁଣ ତୁହି କେଉଂ ସ୍ତିରୀ ଥିଲେ ବାସି ପେଜ ନ ମିଳଇ ।୫୯୮।

କେଉଂ ସ୍ତିରୀ ଥିଲେ ହାଦେ ମୁଣ୍ଡକାଟ ହୋଇ କେଉଂ ସ୍ତିରୀ ଥିଲେ ବଂଶ ପବିତ୍ର ହୁଅଇ ।୫୯୯।

କେଉଂ ସ୍ତିରୀ ଥିଲେ ଖାଢ଼ୀ ସୁନାବଳା ପାଇଂ କେଉଂ ସ୍ତିରୀ ଥିଲେ ଐଶ୍ଵର୍ଯ୍ୟ ଭୋଗ ହୋଇ ।୬୦୦।

କେଉଁ ସ୍ତିରୀ ଥିଲେ ଅନ୍ତେ ସ୍ୱର୍ଗେ ବସେ ଯାଇ ଏମନ୍ତ ହୋଇଣ ସ୍ତିରୀ ଚରିତ୍ର ଅଟଇ ।୬୦୧।

ତୁମ୍ଭ ସାଆନ୍ତାଣୀ କି ଗୋ କହ ବେଗେ ଯାଇଂ ବଡ଼ପଣ୍ଡାଙ୍କ ଭାଇ ଯାହା କହିଲଇଂ ।୬୦୨।

କ୍ଷୁଧା ଲାଗୁଥିଲା ଅର୍ଣ୍ଣ ମାଗିଣ ଖାଇଲ ଆମ୍ଭ ସାଆନ୍ତାଣୀଙ୍କି ଗୋ ଏମନ୍ତ କହିଲ ।୬୦୩।

ଏଡ଼େ କି ଭରଷା ତୁମ୍ଭେ କାହୁଂ ହେ ପାଇଲ ଏଡ଼େ ବଡ଼ କଥା ତୁମ୍ଭେ ମୁଖେ ଉଚାରିଲ ।୬୦୪।

ବଳରାମ ବୋଇଲେକ ଆମ୍ଭ ପିଲା ଭାଇ ବଡ଼ ଖେଉଡ଼ର ମତି କିଛି ନ ଜାଣଇଂ ।୬୦୫।

ତୁମ୍ଭ ସାଆନ୍ତାଣୀଙ୍କି କି ଗୋ ବେଗେ କହ ଯାଇଂ ୟେ ଭାଇ ଗୋଟାକୁ ଆମ୍ଭ ନୃସିଂହ ଝାଙ୍କଇ ।୬୦୬।

ଜଗନାଥେ ବୋଇଲେ ହୋ ଡର କାହିଂପାଇଂ କିଛି ନ ବିଚାର ତୁମ୍ଭେ ବଳରାମ ଭାଇ ।୬୦୭।

ଲକ୍ଷ୍ମୀଙ୍କର ଘର ସିନା ଏହି ଯେ ଅଟଇଂ ଏ କଥାକୁ ଭୟେ କିମ୍ପା କରୁଅଛ ଭାଇ ।୬୦୮।

ବଳରାମେ ବୋଇଲେ ହୋ ଶୁଣ ଚକ୍ରଧର ତୁମ୍ଭେ ଯାଇ ହସ୍ତଧର ପରମଲକ୍ଷ୍ମୀଙ୍କର ।୬୦୯।

ଆମ୍ଭେ ଦୋଷକଲୁ ବୋଲି ବୋଲ ଜଗନାଥ ଅପରାଧକୁ ଆଉଂ ନ ଧରନ୍ତୁ ଚିତ ।୬୧୦।

ହାଡ଼ି ଦ୍ବାରେ ଥାଉଂ ଲକ୍ଷ୍ମୀ ପାଣ ଦ୍ବାରେ ଥାଉଂ ସ୍ରାହାନ ନ କରି ବଡ଼ ଦେଉଳକୁ ଯାଉଂ ।୬୧୧।

ଆମ୍ଭେ ବୋଲୁଅଛୁ ବୋଲି ତୁମ୍ଭେ କୁହ ଯାଇଂ ଲକ୍ଷ୍ମୀ ବଡ଼ଲୋକ ବୋଲି ଜଗତ୍ର ଜାଣିଲଇଂ ।୬୧୨।

ତାହାଙ୍କର ମନକୁ ଗୋ ଯେମନ୍ତ ଆସଇଂ ଯହିଂ ଇଚ୍ଛା ତହିଂ ଯାଉ କମଳିଣୀ ।୬୧୩।

ଯେତେବେଳେ ବଳରାମ ଏମନ୍ତ କହିଲେ ଭିତରପୁରକୁ ଜଗନାଥ ବିଜେକଲେ ।୬୧୪।

ସଧୀରେଣ ଧୀରେ ଚଳିଗଲେ ଜଗନାଥ ପ୍ରବେଶ ହୋଇଲେ ଯାଇଂ କମଳାଙ୍କ ପାଶ ।୬୧୫।

ପଂଚୁମନେ କମଳିଣୀ କଲେକ ବିଚାର କେତେ ଦୁଖ ଦେବି ଆଉଂ ପ୍ରଭୁ ଦାମୋଦର ।୬୧୬।

ଏତେ ବୋଲି କମଳିଣୀ ମନେ ବିଚାରିଲେ ନିଜ ଯେ ମୂରତି ଲକ୍ଷ୍ମୀ ଆପଣେ ଧଇଲେ ।୬୧୭।

ପାଣିଝରିଏକ ଘେନି ଲକ୍ଷ୍ମୀ ଯେ ଆସିଲେ ଦୀନବନ୍ଧୁ ବେନିପାଦ ବେଗେ ଧୋଇଦେଲେ ।୬୧୮।

ଦେହରୁ ଅଂଚଳ କାଢ଼ି ପାଦ ପୋଛିଦେଲେ ଥୋକାଏକ ଜଳ ନେଇ ଗର୍ଭକୁ ଖେପିଲେ ।୬୧୯।

ଆଖି ଥନଥନ କରି କିଂଚିତେ ବସିଲେ କ୍ରୋଧେ ଗଦଗଦ ହୋଇ ମାଏ ବଚନ ବୋଇଲେ ।୬୨୦।

ଚଣ୍ଡାଳୁଣୀ ବୋଲି ମତେ ଦେଲ ଘଉଡ଼ାଇ ମୋହର ବିହୁନେ ତୁମ୍ଭେ ବୁଲ ଦେହି ଦେହି ।୬୨୧।

ସେହି ଚଣ୍ଡାଲୁଣୀ ଦ୍ଵାରେ ଭିକ୍ଷା ଯେ ମାଗିଲ ମୋହର ବିହୁନେ କାହିଂ ଅର୍ଣ୍ଣ ନ ପାଇଲ ।୬୨୨।

ଯେବେ ମୋହଠାରେ ତୁମ୍ଭ ଦରକାର ନାହିଂ ବଡ଼ ଭାଇଙ୍କୁ ଘେନିଣ ତୁମ୍ଭେ ଯହିଂ ଯାଅ ତହିଂ ।୬୨୩।

ଜଗନାଥେ ବୋଇଲେ ଲକ୍ଷ୍ମୀ ଆନନ୍ଦରେ ଥିଲୁ ତୁମ୍ଭେ ଅଇଲାରୁ ଆମ୍ଭେ ଦରିଦ୍ର ହୋଇଲୁ ।୬୨୪।

ତୁମ୍ଭେ ଏଡ଼େ ମାୟାକଲ ବୋଲିଣ ବୋଇଲେ ଆମ୍ଭେ ଭିକ୍ଷା ମାଗିବାର ଜଗତେ ଜାଣିଲେ ।୬୨୫।

ତୁମ୍ଭର କୀରତି ଯେ ପୃଥୀରେ ରହିଲା ତୁମ୍ଭ ଅର୍ଣ୍ଣ ଦେବାର ଯେ ଜଗତେ ଶୁଭିଲା ।୬୨୬।

ଉଠ ବୋଲି ଗୋବିନ୍ଦ ଯେ ଧଇଲେ ଯାଇଂ ହସ୍ତ ଲକ୍ଷ୍ମୀ ଯେ ବୋଇଲେ ଦୀନବନ୍ଧୁ କର ସତ୍ୟ ।୬୨୭।

ଚଣ୍ଡାଳ ହସ୍ତରୁ ଅର୍ଣ୍ଣ ବ୍ରାହ୍ମଣେ ଖାଇବେ କୈବଲ୍ୟ ଖାଇଣ ହସ୍ତ ଶିରରେ ପୋଛିବେ ।୬୨୮।

ଅର୍ଣ୍ଣ ଖାଇ ହସ୍ତ ଯେବେ ଶିରରେ ପୋଛିବ ଏହି କ୍ରିତି ମୋହର ଯେ ଯୁଗେ ଯୁଗେ ଥିବ ।୬୨୯।

ସେହି କଥାମାନ ଯେବେ କର ସ୍ଥିତ ତେବେ ବଡ଼ ଦେଉଳକୁ ଯିବି ଜଗନାଥ ।୬୩୦।

ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ ଯୁଗେ ଯୁଗେ ଲକ୍ଷ୍ମୀ ତୋହର କୀରତି ଥାଉ ।୬୩୧।

ଶୁଣିକରି କମଳିଣୀ ଆନନ୍ଦ ହୋଇଲେ ଜଗନାଥେ ମୁଖ ଚାହିଂ ବଚନ ବୋଇଲେ ।୬୩୨।

ୟେବେ ଆମ୍ଭ ପୁରକୁ ହିଂ କରିବା ଗମନ ଗରୁଡ଼କୁ ସୁମରଣା କଲେ ତତକ୍ଷଣ ।୬୩୩।

ରମ୍ୟକ ଦୀପରେ ସେ ଗରୁଡ଼ ଚରୁଥିଲା ଭୁଂଜିବା ଆହାର ତାକୁ ପିତା ଯେ ଲାଗିଲା ।୬୩୪।

ଭାରିଯାର ମୁଖ ଚାହିଂ ବଚନ ବୋଇଲା କେବଣ ଦେବତା ମୋତେ ସୁମରଣା କଲା ।୬୩୫।

ବାସୁକୀ ଦେବତାର ମୁଂ ଯେ ସେବକ ନୋହଇଂ ଇନ୍ଦ୍ର ଯେ ଦେବତା ମୋତେ ସାରିଖ୍ୟ ନାହିଂ ଯାଇଂ ।୬୩୬।

ଧ୍ୟାନରେ ଜାଣିଲେ ତାହା ବିନତାନନ୍ଦନ ମୋତେ ସୁମରଣା କଲେ ଠାକୁର ନାରାୟଣ । ୬୩୭।

କୋଣାରେଖ ନଦୀଠାରେ ପ୍ରବେଶ ହୋଇଲା ଜଗନାଥ ପାଦପଦ୍ମେ ଯାଇଂଣ ମିଳିଲା ।୬୩୮।

କରପତ୍ର ଯୋଡ଼ିଣ ଛାମୁରେ ଉଭାହୋଇ କି ନିମନ୍ତେ ସୁମରିଲେ ବ୍ରହ୍ମାଣ୍ଡ ଗୋସାଇଂ ।୬୩୯।

ସ୍ୱର୍ଗ ମଂଚ ପାତାଳ ମୁଂ ତିନିପୁର ଯିବିଂ ପରରାଷ୍ଟ୍ର ପଡ଼ିଲେ କ୍ଷଣକେ ସଘାଂରିବି ।୬୪୦।

ଜଗନାଥେ ବୋଇଲେ ଶୁଣ ବାବୁ ତୁହି ମଂଚ ସ୍ୱର୍ଗେ ଆମ୍ଭର କିଛି କାର୍ଯ୍ୟ ନାହିଂ ।୬୪୧।

ଗରୁଡ଼ ବୋଇଲା ଦ୍ୱାରିକାକୁ ଯିବି ନେଇ ଶୁଣିଣ ସାନନ୍ଦ ହୋଇଲେ ପ୍ରଭୁ ଭାବଗ୍ରାହୀ ।୬୪୨।

ବଳରାମେ କହୁଛନ୍ତି ଶୁଣରେ କନାଇ ଘରର ଘରଣୀ ଏବେ ସୁନ୍ଦର ଦିଶଇ ।୬୪୩।

ଯେତେବେଳେ ଦାଣ୍ଡେ ଯାଉଥିଲେ ଦୁଇଭାଇ ଚୋର ଖଂଟ ବୋଲି ହାଦେ ସମସ୍ତେ ଯେ କହି ।୬୪୪।

ଜଗନାଥେ କହୁଛନ୍ତି ବଳରାମେ ଭାଇ ଲକ୍ଷ୍ମୀ ଯେ ୟେଡ଼େକ ଜଣ ଏବେ ଜାଣିଲଇଂ ।୬୪୫।

ତାଳଧ୍ୱଜ ରଥରେ ଯେ ବିଜୟେ ହଳପାଣି ପ୍ରବେଶ ହୋଇଲେ ବଡ଼ ଦେଉଳରେ ପୁଣି ।୬୪୬।

ବିଜୟା ରଥରେ ଯେ ସୋଭଦ୍ରା ବିଜେକଲେ ଗରୁଡ଼ ପୃଷ୍ଠରେ ଜଗନାଥ କମଳାକୁ ନେଲେ ।୬୪୭।

ଆହେ ଅଷ୍ଟବେତାଳ ତୁମ୍ଭେ ଏହିକ୍ଷଣି ଯିବ ବାଉନକୋଟି ଭଣ୍ଡାର ବହିଣ ଆଣିବ ।୬୪୮।

ସମସ୍ତ ସରଘରେ ଯେ ନେଇଂଣ ପୂରୋଇବ ଟିକାଏ ଟିକାଏ ଦ୍ରବ୍ୟ ଏଥି ନ ରଖିବ ।୬୪୯।

ବଡ଼ଦେଉଳକୁ ପ୍ରମଲକ୍ଷ୍ମୀ ବିଜେକଲେ ତେତ୍ରିଶକୋଟି ଦେବତା ସଙ୍ଗରେ ଯେ ଗଲେ ।୬୫୦।

ଢୋଲ ଦମାଲ ଯେ ବାଜଇ ଅପାର ଭେରୀ ମହୁରୀ କଂସାଳ ତାଳ ବୀଣା ତୂର ।୬୫୧।

ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା ଦୁଖ ଯେ ନାଶନ ପ୍ରଭୁ ଗୁହାଣି ଶୁଣିମା ।୬୫୨।

ବରୁଣ କୁବେର ଯେ ହସ୍ତରେ ବେତ ଧରି ନୃତ୍ୟ କରୁଛନ୍ତି ତହିଂ ସ୍ୱର୍ଗ ଅପଛରୀ ।୬୫୩।

ରମ୍ଭା ଯେ ମେନକା ଆବର ତହିଂ ଚିତ୍ରରେଖା ତିଳୋତମା ତୁଲେ ଯେ ଆବର ମଦନିକା ।୬୫୪।

ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ ସଂସାରର ଲୋକମାନେ ହୋ ହୋଇଲେ ସାନନ୍ଦ ।୬୫୫।

ଇନ୍ଦ୍ରଙ୍କ ଆଗରେ ଏହା କହିଲେ ନାରଦ ଗୁରୁ ଯେ ପଂଚମୀ ବ୍ରତ କର ହେ ଅସନ୍ଦ ।୬୫୬।

ଲକ୍ଷ୍ମୀ ଅନୁଗ୍ରହ ତୋତେ କରି ସର୍ବକାଳେ ସୁଖେ ଯାଇ ବସ ତୁମ୍ଭେ ସ୍ୱର୍ଗଦେବ ଆଳେ ।୬୫୭।

ନାରଦଙ୍କ ଠାରୁ ଇନ୍ଦ୍ର ଦୀକ୍ଷା ଯେ ପାଇଲେ ଗୁରୁ ଯେ ପଂଚମୀ ବ୍ରତ ଇନ୍ଦ୍ର ଭିଆଇଲେ ।୬୫୮।

ପୁଣି ଇନ୍ଦ୍ର ଆସନେ ବସିଲା ସୁଖେ ଯାଇଂ ସଚୀ ଦେବୀ ଯାଇ ସନିଧେ ଅଟଇଂ ।୬୫୯।

ଏ ପୁରାଣ ଯେତେ ଯେତେ କଥା ସିଧ ହେଉ ହରି ହରି ବୋଲ ପାତକେ କ୍ଷୟ ଯାଉ ।୬୬୦।

ଦଶମୀ ଯେ ଗୁରୁବାର ସୁଦଶାର ବ୍ରତ ଏହା କଲେ ଧନଜନ ହୋଇବ ପ୍ରାପତ ।୬୬୧।

ଗୁରୁବାରେ ଯେଉଂ ଜନ ଏହାକୁ ପଢଇ ଜନ୍ମ ଜନ୍ମାନ୍ତର ତା’ର ଦୁରିତ ହରଇ ।୬୬୨।

ଲକ୍ଷ୍ମୀ ଯେ ପୁରାଣ ପୋଥି ସଂପୂର୍ଣ୍ଣ ହୋଇଲା ବଳରାମ ଦାସ ଏହା ଗୀତରେ ଗାଇଲା ।୬୬୩।