ମାଣବସା ଲକ୍ଷ୍ମୀପୁରାଣ
Manabasa Laxmipurana — Traditional Ritualistic Version
ନମସ୍ତେ କମଳା ମାଗୋ ସାଗର ଦୁଲଣୀ । ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।୧।
ନମସ୍ତେ କମଳା ମାଗୋ ଅତି ଦୟାବତୀ । ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।
ତୋର ଦୟାବଳେ ମାଗୋ ଦରିଦ୍ର ଜନର । ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ । ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।୪।
ତୋହର ଚରିତ ମନ ଦେଇ ଯେ ଶୁଣଇ । କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।
ତାହାର ଦରିଦ୍ର ପଣ ଯାଏ ଦୂର ହୋଇ । ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାଈ ।୬।
ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ । କରୁଛି ପୁରାଅ ବାରେ ମୋର ମନସ୍କାମ ।୭।
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ । ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।
ଦିନକେ ନାରଦ ପରାଶର ମୁନି ଦୁଇ । ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ।୯।
ସେହିଦିନ ମାର୍ଗଶୀର ମାସ ଗୁରୁବାର । ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ।୧୦।
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ । ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ।୧୧।
ନାରୀମାନେ ସ୍ନାନ ସାରି ପିନ୍ଧି ଝୀନବାସ । ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।୧୨।
ବ୍ରାହ୍ମଣଙ୍କଠାରୁ ଯେ ଚଣ୍ଡାଳ ପରିଯନ୍ତେ । ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ।୧୩।
ହୁଳ ହୁଳୀ ଶବଦରେ ପୁରିଛି ଗଗନ । ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ।୧୪।
ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ । କହ କହ ତପୀବର ଏ କିସ ଚରିତ ।୧୫।
ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ । କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ।୧୬।
କେଉଁ ବ୍ରତ କି ଉପାସ ଅଟେ ଏହା ନାମ । କାହାକୁ କରନ୍ତି ପୂଜା ତାର କି ନିୟମ ।୧୭।
ଏହା ଶୁଣି ପରାଶର ହୋଇ ହସ ହସ । କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ।୧୮।
ଏ ଧାନ ମାଣିକା ଗୁରୁବାର ଯେ ଅଟଇ । ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ।୧୯।
ସବୁ ମାସ ମାନଙ୍କରେ ମାର୍ଗଶିର ସାର । ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।୨୦।
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ । ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।୨୧।
ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର । ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ।୨୨।
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ । ଏହା କହି ପରାଶର ହେଲେ ମୌନବ୍ରତ ।୨୩।
ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର । ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ କେଉଁ ନର ।୨୪।
ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି । ଲକ୍ଷ୍ମୀ ଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।୨୫।
ଏହା ସବୁ ମୋ ଆଗରେ କହ ତପୀସାଇଁ । ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।୨୬।
ନାରଦ ବଚନ ଶୁଣି ପରାଶର ମୁନି । କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ।୨୭।
ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର । ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ।୨୮।
କହୁଅଛି ପୁରାତନ କଥା ଅଛି ଯାହା । ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ।୨୯।
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ । କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ।୩୦।
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ । ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ।୩୧।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ । ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ।୩୨।
ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ । ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ।୩୩।
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ । ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ।୩୪।
କରରେ ବାହୁଟି ରମ୍ୟ ବଳୟ କଙ୍କଣ । ସୁନା ସୁତା ମାଣିକ୍ୟ ପଦକ ଆଭରଣ ।୩୫।
ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ । ଏପରି ନାନା ଭୂଷଣେ ସୁବେଶ ହୋଇଲେ ।୩୬।
ଯେବଣ ମାତାଙ୍କ ଅଧିକାର ତିନିପୁର । ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ।୩୭।
ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ । ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ।୩୮।
ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ । ସାଧବାଣୀ ଉଭା ହୋଇଥିଲା ସେହିଠାରେ ।୩୯।
ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ । ଶୁଣ ଶୁଣ ସାଧବାଣି ହୋଇ ସ୍ଥିରମନ ।୪୦।
ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର । ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ।୪୧।
ସାଧବାଣୀ ଏହା ଶୁଣି ବୋଲଇ ସେକ୍ଷଣି । କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ।୪୨।
ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ । ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ ।୪୩।
ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ । ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ।୪୪।
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର । ସେଦିନ ଉଷାରୁ ଶେଯ ଛାଡ଼ି ତତ୍ ପର ।୪୫।
ଗୋମୟ ଜଳରେ ଘର ଦୁଆର ଲିପିବ । ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ।୪୬।
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ । ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ।୪୭।
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର । ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ।୪୮।
ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ । ଚଉକି ବା ଖଟୁଲିଏ ଆଣିବ ତ୍ୱରିତ ।୪୯।
ତାକୁ ଧୋଇ ତା ଉପରେ ଦେବେ ନୂଆଧାନ । ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ।୫୦।
ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ । ଧାନମାଣ ଯେ ପୁରାଇ ରଖିବ ତାପରେ ।୫୧।
ସେ ଧାନ ମାଣ ଉପରେ ଗୁଆ ତିନିଗୋଟି । ହଳଦୀ ପାଣିରେ ତାହା ଧୋଇ ଥୋଇବଟି ।୫୨।
ଶୁକଳ ଧାନର ଶିଖା ରଖି ବେଣ୍ଟି କରି । ମାଣ ଉପରେ ତାହାକୁ ଥୋଇବ ବିଚାରି ।୫୩।
ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ । ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ।୫୪।
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ । ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ।୫୫।
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି । ଏପରି କରିବ ତିନି ଧୂପକୁ ସଜାଡ଼ି ।୫୬।
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି । ସୁଦଶା ବୋଲି ତା ନାମ ପ୍ରକଟିଛି ।୫୭।
ଶୁକଳଦଶମୀ ହେଲେ ଗୁରୁବାର ଦିନ । ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ ।୫୮।
ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର । ଝୋଟି ଆଦି ଚିତା ଦେବ ପୂର୍ବ ପରକାର ।୫୯।
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ । ତହିଁପରେ ଧୋଇ ଏକ ଖଟୁଲି ରଖିବ ।୬୦।
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ । ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ।୬୧।
ଦଶଖିଅ ସୂତାରେ ଯେ ବ୍ରତେକ କରିବ । ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ।୬୨।
ଦଶକେରା ଦୂବରେ ସେ ବ୍ରତ ଗୁଡ଼ାଇବ । ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ ।୬୩।
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ । ବ୍ରତଡୋର ଆଣି ତହିଁ ଥୋଇବ ବହନ ।୬୪।
ପ୍ରଥମରେ ବାଳଧୂପ ନଇବେଦ୍ୟ କରି । ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ।୬୫।
ଅରୁଆ ଚାଉଳ ଏକମାଣ ତିନ୍ତାଇବ । ତାକୁ କୁଟି ଚୂନା କରି ଯତନେ ରଖିବ ।୬୬।
କଦଳୀ ନଡ଼ିଆ ଛେନା ଆଦି ଦଶପୁର । ଦେଇ ଦଶଗୋଟି ମଣ୍ଡା କରିବ ସତ୍ୱର ।୬୭।
ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ । ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ।୬୮।
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ । ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ।୬୯।
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ । ଗୁରୁବାର ଦିନ ଯେଉଁ କଥା ନିବାରଣ ।୭୦।
ସେ କଥା କହୁଛି ଏବେ ସାଧବାଣୀ ଶୁଣ । କେବେ ନ ଭାଜିବ ଖଇ ଗୁରୁବାର ଦିନ ।୭୧।
ଯେଉଁ ନାରୀ ଗୁରୁବାର ଦିନରେ ଆମିଷ । ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ।୭୨।
ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ । ମହାଲକ୍ଷୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ।୭୩।
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ । ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ।୭୪।
ଖଟର ଛାୟାରେ ଯେହୁ କରଇ ଶୟନ । ରାତ୍ରକାଳେ ଦଧିଅନ୍ନ ଯେ କରେ ଭୋଜନ ।୭୫।
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ । ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ।୭୬।
ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ । ଏତେ କର୍ମ କରେ ଯିଏ ଲକ୍ଷ୍ମୀଙ୍କୁ ନ ପାଏ ।୭୭।
ଗୁରୁବାର ଦିନ ସକାଳରୁ ଗୋମୟରେ । ଦୁଆର ଯେ ନ ଲିପଇ ଅଳସ ପଣରେ ।୭୮।
ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ । ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ।୭୯।
ଧନ ଜନ ସବୁ ତାର ହରଣ କରନ୍ତି । ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।୮୦।
ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା । ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ।୮୧।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ । କିବା ପାକହାଣ୍ଡି ଧୋଇ କଳା ନ ଛାଡ଼ଇ ।୮୨।
ସନ୍ଧ୍ୟା ଗଡ଼ିଗଲେ ଯିଏ ଦିଏ ସନ୍ଧ୍ୟାବତୀ । ପୁତ୍ରଧନ ହାନୀ ହୁଏ ସଦା ବହୁ କ୍ଷତି ।୮୩।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ । ଶୋଇବାରେ ଶଯ୍ୟ ବଙ୍କା କରିଣ ବିଛାଏ ।୮୪।
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ । ଉଲଗ୍ନ ହୋଇ ଶଯନ କରେ ଯେଉଁ ପ୍ରାଣୀ ।୮୫।
ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ । ଏହି ଦିନମାନଙ୍କରେ ଘେନଇ ତଇଳ ।୮୬।
ସଭାମାନଙ୍କରେ ବସି ମିଛ ଯେ କହଇ । ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜି ବସଇ ।୮୭।
କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ । ଋତୁମତୀ ନାରୀକୁ ଯେ ରମଣ କରଇ ।୮୮।
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ । କଥା କହୁ କହୁ ସବୁବେଳେ ଯେ ହସଇ ।୮୯।
ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ । ଆୟୁ, ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ ।୯୦।
ଗୁରୁବାର ସଙ୍କରାନ୍ତି ଅମାବାସ୍ୟା ଦିନ । ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ।୯୧।
କିବା ଏହି ତିନି ଦିନ ଯେଉଁ ନାରୀ ମୋହେ । ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ ।୯୨।
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ । ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁଁ ନ ମିଳଇ ।୯୩।
ଏହି ତିନି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି । ଅନ୍ତଃ କାଳେ ଯମଦ୍ୱାରେ ବହୁ କଷ୍ଟ ପାନ୍ତି ।୯୪।
ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ । ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ।୯୫।
କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ । ବଢଇ ତାହା ଧନ ଜନ ଆୟୁ ଯଶ ।୯୬।
ସକାଳୁ ଶେଯରୁ ଉଠି ଯେ ମୁଖ ନ ଧୁଏ । ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ।୯୭।
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ । ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ ।୯୮।
ଆସନ ବିନା ଯେ ଭୂମିପରେ ବସି ଖାଏ । କିବା ଯେ କୁମାରୀ ସଙ୍ଗତରେ କାମମୋହେ ।୯୯।
ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ । ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ।୧୦୦।
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ । କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ।୧୦୧।
ଭୋଜନ କରି ଯେ ମୁଖ ଶୋଧନ ନ କରେ । ଭୋଜନ କରଇ ଯେହୁ ଅନ୍ଧକାର ଘରେ ।୧୦୨।
ଯେଉଁ ନାରୀ ନିଜ ପତିଠାରେ ରୋଷ ବହେ । ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ।୧୦୩।
ପର ପୁରୁଷରେ ଯେହୁ ହୋଇଥାଏ ରତ । ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ।୧୦୪।
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି । କାଙ୍ଗାଳିନୀ ପରି ବାରଦ୍ୱାରେ ସେ ବୁଲନ୍ତି ।୧୦୫।
କଳହୀ ଅଳସୀ ଅତି ଅପ୍ରିୟା ସାହସୀ । ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ।୧୦୬।
ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ । ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ ।୧୦୭।
ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକି ନ ସେବେ । ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ।୧୦୮।
ଯେଉଁ ନାରୀ ସ୍ୱାମୀକୁ ଯେ ଦେବ ସମ ମଣି । ସେବାକରି ତୋଷୁଥାଏ ତାର ମତ ଚିହ୍ନି ।୧୦୯।
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ । ସାନ ବଡ଼ ସମସ୍ତଙ୍କୁ ସମଭାବେ ଚାହେଁ ।୧୧୦।
ପରଷିବା ବେଳେ ପକ୍ଷପାତ ଯେ ନ କରେ । ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ।୧୧୧।
ପତିର ଆଜ୍ଞାକୁ କେବେ ନ ପକାଏ ତଳେ । ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ।୧୧୨।
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି । ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।୧୧୩।
ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ । ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟ ସୁଖ ପାଏ ।୧୧୪।
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ । ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ।୧୧୫।
ସଧବା ନାରୀର ପତି ବିନା ନାହିଁଁ ଗତି । ତପ ଜପ ଦେବ ପୂଜା ତାହାର ଅନୀତି ।୧୧୬।
ପତି ସେବ ଛାଡ଼ି ବୃଥା ବ୍ରତ ଯେ କରଇ । ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ।୧୧୭।
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ । ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ।୧୧୮।
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ । ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ ।୧୧୯।
ସଦାବେଳେ କରନ୍ତି ଉତ୍ତମ ଆଚରଣ । ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତକ୍ଷଣ ।୧୨୦।
ପତି ସେବା ବିନା ନାହିଁଁ ନାରୀଙ୍କର ଗତି । ପତିପ୍ରାଣା ନାରୀ କରେ ଦେବଲୋକ ଗତି ।୧୨୧।
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା । ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ।୧୨୨।
ପତି ସେବା ବରଜି ଯେ ମାତ ଗରବରେ । ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ।୧୨୩।
ତାହାର ନୁହଇ ଭଲ ଜନମେ ଜନମେ । ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।୧୨୪।
ଏମନ୍ତ ତିଆରି ସାଧବାଣୀକି ବୋଇଲେ । ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ।୧୨୫।
ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ । ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ।୧୨୬।
ଶୁଣ ହେ ନାରଦ ଠାକୁରାଣୀ ଏହା କହି । ସେଠାବରୁ କେତେଦୂର ପଥ ଗଲେ ବାହି ।୧୨୭।
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ । କାହାରି ଦୁଆରେ ସେହି ଶୁଚି ନ ଦେଖିଲେ ।୧୨୮।
କେବଣ ଯୁବତୀ ନିଦେ ହୋଇ ଅଚେତନ । କାହର ଫିଟିଯାଇଛି ପିନ୍ଧିଲା ବସନ ।୧୨୯।
କାହାର ଶିରରେ କେଶ ମୁକୁଳିତ ହୋଇ । ଭୂମିପରେ ପଡ଼ିଅଛି କେରି କେରି ହୋଇ ।୧୩୦।
ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ । ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୧୩୧ ।
ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର । ତାହାର ମହିମା ଦେବଙ୍କୁ ଯେ ଅଗୋଚର ।୧୩୨।
ପ୍ରତିଦିନ ଖରକଇ ଗୁଣ୍ଡିଚା ନଗର । ବିଷ୍ଣୁ ଭକତିରେ ସେ ଯେ ଅତି ତତପର ।୧୩୩।
ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା । ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ।୧୩୪।
ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା । ଛଡ଼ାପାଣି ମନ୍ଦାଏ ଦୁଆରେ ପକାଇଲା ।୧୩୫।
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା । ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ।୧୩୬।
ଦଶମୁଖୀ ଦୀପାବଳୀ ମଣ୍ଡଳେ ଥୋଇଲା । ଦଶବର୍ଣ୍ଣ ଫଳମୂଳ ମଣ୍ଡଳେ ବାଢ଼ିଲା ।୧୩୭।
ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା । ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା ।୧୩୮।
ଅରୁଆ ଚାଉଳ ଆଉ ଦୁବ ଦଶକେରା । ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ।୧୩୯।
ଧୂପଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା । ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା ।୧୪୦।
ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ । ମୁହିଁଁ ଛାର ହୀନଜାତି ନ ଜାଣଇ ପୁଣି ।୧୪୧।
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ । କିଞ୍ଚିତେ ଭକତି ମୋର ଘେନ କମଳିନୀ ।୧୪୨।
ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ । ସହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ।୧୪୩।
ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା । ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ।୧୪୪।
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା । ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ।୧୪୫।
ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର । ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ।୧୪୬।
ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ । କି ବର ମାଗିବି ମାଗୋ ମାଗି ନ ଜାଣଇ ।୧୪୭।
ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ । କୁବେର ସମାନ ଧନ ଦେବୁ ମାଗୋ ତୁହି ।୧୪୮।
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି । ଚାରିଯୁଗେ ବସିବି ଅମର ବର ପାଇ ।୧୪୯।
ଲକ୍ଷ୍ମୀ ଶୁଣି ହୋଇଲେ ତୁ ହୋଇଛୁ କି ବାଇ । ଏ ସମସ୍ତ ବର ତୋତେ ଦେଇ ତ ପାରଇ ।୧୫୦।
ଅମର ବର ଦେବାକୁ ଶକ୍ତି ନାହିଁଁ ମୋର । ଏ ବର ମାଗିଲୁ ତୁ କେମନ୍ତ ପ୍ରକାର ।୧୫୧।
ଯେତେ ଦିନ ଯିଇଁଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ । ଅନ୍ତକାଳେ ଯାଇ ବଷ୍ଣୁ ପଞ୍ଜରେ ପଶିବୁ ।୧୫୨।
ମୋହର ଏ ବ୍ରତ କରୁଥିବୁ ସବୁଦିନ । ଲକ୍ଷ୍ମୀ-ନାରାୟଣ ପାଦେ ଥିବ ତୋର ମନ ।୧୫୩।
ଶୁଣ ହେ ନାରଦ ଏଣେ ହରି ବଳରାମ । ମୃଗୟା ବିନୋଦେ ଯାଇଥିଲେ ଘୋରବନ ।୧୫୪।
ଯୋଗବଳେ ବଳରାମ ଏ କଥା ଜାଣିଲେ । ଡାକିକରି ଶ୍ରୀହରିଙ୍କୁ ଏମନ୍ତ କହିଲେ ।୧୫୫।
ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର । ଉଭା ହୋଇ ଅଛନ୍ତି ଯେ ଚଣ୍ଡାଳୁଣୀ ଘର ।୧୫୬।
ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ । ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।୧୫୭।
ଏହି ରୁପେ ସବୁଦିନେ ଦେଉଳେ ପଶୁଛି । ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।୧୫୮।
ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବହି । ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସହି ।୧୫୯।
ସୁଦଶା ନାମକ ଏକ ବ୍ରତ ଯେ ତାହାର । ଏହି ବ୍ରତେ ଚଣ୍ଡାଳୁଣୀ ପୁଜଇ ପୟର ।୧୬୦।
ଭାରିଜାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ । ଚଣ୍ଡାଳ ସାହିରେ ନଗ୍ର ତୋଳ ବେଗେ ଯାଇ ।୧୬୧।
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ । ଏପରି ଘରଣି ଥିଲେ ଭଲ ଗତି ନାହିଁଁ ।୧୬୨।
ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା । ଲକ୍ଷ୍ମୀ ପରା ଭାରିଜାକୁ ଆଉ ନ ପାଇବା ।୧୬୩।
ସେ ଦୋଷ କରିଛି ଯେବେ ଏମନ୍ତ କରିବା । ସ୍ୱର୍ଗ ପୁର ଲୋକଙ୍କୁ ଡକାଇ ଅଣାଇବା ।୧୬୪।
ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା । ଆଉ ବେଳେ ତାର ଯଦି ଅନୀତି ଦେଖିବା ।୧୬୫।
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ । ଏ କଥା ପ୍ରମାଣ ତମେ ଶୁଣ ଜ୍ୟେଷ୍ଠ ଭାଇ ।୧୬୬।
ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜଜେମା । ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ।୧୬୭।
ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ । ତୋର ଲକ୍ଷ୍ମୀ ଥିଲେ ମୁହିଁଁ ରହିବଇ ନାହିଁଁ ।୧୬୮।
ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ । ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।୧୬୯।
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କହ୍ନାଇ । ଚଣ୍ଡାଳ ସାହିରେ ତୁ ନବର ତୋଳ ଯାଇ ।୧୭୦।
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ । ମାଇପକୁ ନେଇ ଦାଣ୍ଡ ବାହାରେ ରହିବୁ ।୧୭୧।
ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ । ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କହିଲେ ।୧୭୨।
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ। ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ ।୧୭୩।
ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ । ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ।୧୭୪।
ତାହାର ପୂଜାରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ । ଯାଚିଣ ଅନେକ ବର ପ୍ରଦାନ କରିଲେ ।୧୭୫।
କୁଟୀର ଖଣ୍ଡିକ ଥିଲା ବଲୁରିର ଦାସ । ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ ।୧୭୬।
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର । ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ସୁତ ।୧୭୭।
ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ । ବରଦେଇ ସେ ଠାବରୁ ବିଜେ କରିଗଲେ ।୧୭୮।
ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲେ ଭାଗ୍ୟବତୀ । ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ।୧୭୯।
ସିଂହଦ୍ୱାରେ ବିଜୟ ଲକ୍ଷ୍ମୀ ଯେ ମହାମାୟୀ । ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ।୧୮୦।
ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି । ଦଶମୀ ଯୋଗାଡ଼ ମୁହିଁଁ ମଣୋହୀ ରାନ୍ଧିବି ।୧୮୧।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ । ଚଣ୍ଡାଳ ସାହିକି ଯାଇଥିଲ କାହିଁଁ ପାଇଁ ।୧୮୨।
ଆମ୍ଭେ ନ ଦେଖୁଣୁ ଦେଖିଲେ ଯେ ବଡ଼ଭାଇ । ଆମ୍ଭେ ଦେଖୁଥିଲେ ସିନା ଦିଅନ୍ତୁ ଘୋଡ଼ାଇ ।୧୮୩।
ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁଁ । ଧିକ୍କାର ବହୁତ ମୋତେ କଲେ ବଡ଼ ଭାଇ ।୧୮୪।
ହାଡ଼ି ଘରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ । ସ୍ନାନ ନ କରି ପଶୁଛି ଦେଉଳ ଭିତରେ ।୧୮୫।
ତାଠାରୁ ପାପିନୀ ଆଉ ସଂସାରରେ ନାହିଁଁ । ମୋହର ବଚନ ଏବେ ଶୁଣ ପ୍ରାଣସହୀ ।୧୮୬।
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ । ବାଇ ପ୍ରାୟେ ବୁଲୁଥାଉ ହୋଇ ମୋ ଘରଣୀ ।୧୮୭।
ଏକ ଘର କରାଉ ସହସ୍ର ଘର ଭାଙ୍ଗି । ସହସ୍ର ଘର କରାଉ ଏକ ଘର ଭାଙ୍ଗି ।୧୮୮।
ଏମନ୍ତ ପ୍ରକାର ଲକ୍ଷ୍ମୀ ମହିମା ତୋହର । ଯାଅ ଲକ୍ଷ୍ମୀ ବାହାରି ଗୋ ନ ରହ ମୋ ପୁର ।୧୮୯।
ତୋହଠାରେ କୋପ କରିଛନ୍ତି ବଡ଼ ଭାଇ । ଲକ୍ଷ୍ମୀଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁଁ ।୧୯୦।
ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ । ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁଁ ।୧୯୧।
ଆମ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁଁ । ଛାଡ଼ିବା ଭାରିଜା ମୁଖ ଚାହିଁଁ ନ ଯୋଗାଇ ।୧୯୨।
ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁଁ । ଯେତେବେଳେ ସାଗର ମନ୍ଥିଲେ ଦେବେ ଯାଇଁ ।୧୯୩।
ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ । ସେତେବେଳ କଥା ତୁମେ ପାଶୋରି ଯେ ଦେଲ ।୧୯୪।
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ । କନକ ବେଦୀରେ ନେଇ ବିଭା କରାଇଲେ ।୧୯୫।
ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇଁ । ଦଶଦୋଷ ମୋର କ୍ଷମା କରିବାର ପାଇଁ ।୧୯୬।
ଦଶଗୋଟି ଦୋଷରୁ ଗୋଟିଏ ନ ସହିଲ । ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ।୧୯୭।
ବିଭା ବାସୀ ଦିନ ଜୁଆ ଖେଳିବାର ବେଳେ । ସାତକଡ଼ା କଉଡ଼ି ଯେ ପାତିଲଇଁ ତଳେ ।୧୯୮।
ତୁମ୍ଭେ ଢ଼ାଳିଦିଅ ନାଥ ମୋହରି ହସ୍ତରେ । ସୁବର୍ଣ୍ଣ କଉଡ଼ି ମୁହିଁଁ ଜାକିଲଇଁ କରେ ।୧୯୯।
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର । ମୋତେ ବୋଇଲ ଯା' ଇଚ୍ଛା ମାଗି ଘେନ ବର ।୨୦୦।
ଯାହା ମନ ବାଞ୍ଛା ଗୋ କରିବୁ ବଇଦେହୀ । ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସହୀ ।୨୦୧।
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର । ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ।୨୦୨।
ଅଷ୍ଟଦିନେ ପଡ଼ିବ ମୋହର ଗୁରୁବାର । ପଡ଼ି ଚରଚିବି ମୁହିଁଁ ସଭିଙ୍କର ଘର ।୨୦୩।
ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ । ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ।୨୦୪।
ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ । ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ।୨୦୫।
ଜଗନ୍ନାଥ କହୁଛନ୍ତି କୋପଭର ହୋଇ । ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ ।୨୦୬।
ଝିଅ ଟେରୀ ତୋ ଦୁର୍ଗୁଣ କହିଲେ ନ ସରେ । ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ।୨୦୭।
ଚାରିପାଖେ ମେଘନାଦ ପାଚେରୀ ତୋଳାଇ । ବଡ଼ ଦେଉଳରେ ରହିଅଛ ଦୁଇ ଭାଇ ।୨୦୮।
ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁଁ । ଅଛବର ଘରେ ଦଣ୍ଡେ ଥିଲି ଉଭାହୋଇ ।୨୦୯।
ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ । ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ।୨୧୦।
ପ୍ରଭୁ ହେତୁ ଯାଉଛନ୍ତି ସବୁ ଗୋପ୍ୟ ହୋଇ । ତୁମ ଜାତି କୂଳର ତ ଠିକଣା ନ ଥାଇ ।୨୧୧।
ତୁମ୍ଭ ଜାତି କୂଳ ଯେ କହିଲେ ନ ସରଇ । ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ।୨୧୨।
ନିମା ନାମେ ସିପୁଟି ଯେ ଜାତିରେ ଗୋଲକ । ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ।୨୧୩।
ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ । ବିଦୁର ଘରେ ଯେ ପୁଣି କରିଲ ଭୋଜନ ।୨୧୪।
ଜାରା ନାମେ ଶବର ଯେ ଅରଣ୍ୟରେ ଘର । ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ।୨୧୫।
ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ । ବସିଣ ପ୍ରଥମେ ଭଲମନ୍ଦ ସେ ଚାଖଇ ।୨୧୬।
ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ । ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ।୨୧୭।
ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ । ଏ କଥା କି ତୁମ୍ଭ ମନୁ ଗଲା ଭୁଲି ହୋଇ ।୨୧୮।
ଆପଣେ ପାତକୀ କିମ୍ପା ପର ନିନ୍ଦା କର । ପାପ ପୂଣ୍ୟ ଦୁଇ କଥା ବିଚାର ନ କର ।୨୧୯।
ଭାରିଜା ଯେ ଦୋଷ କଲେ ପତି ତା ସହଇ । ଏକ ଅପରାଧେ ପ୍ରଭୁ ଭୃତ୍ୟେ କି ତେଜଇ ।୨୨୦।
କିମ୍ପା ନ କର ପ୍ରଭୁ ଏମନ୍ତ ବିଚାର । ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ।୨୨୧।
ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା । ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବା ।୨୨୨।
ଭାଇକୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ । ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ ।୨୨୩।
ଲକ୍ଷ୍ମୀଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁଁ । ଅନାଥ ଅରକ୍ଷ ପ୍ରାୟେ ଯାଉଅଛି ମୁହିଁଁ ।୨୨୪।
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁଁ ଯେ ନୁହଁଇ । ପିତାର ଘରକୁ ମୁଁ ଯେ ବାହାରି ଯିବଇ ।୨୨୫।
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ିନିଅ । ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ।୨୨୬।
ଗୋବିନ୍ଦ ବୋଲନ୍ତି ଲକ୍ଷ୍ମୀ ହୋଇଲ କି ବାଈ । ଅଙ୍ଗ ଅଳଙ୍କାର ଆମ୍ଭେ ନେବୁ କାହିଁଁ ପାଇଁ ।୨୨୭।
ଭାରିଜା ଦେହରେ ଯେଉଁ ଅଳଙ୍କାର ଥାଏ । ସ୍ୱାମୀ ହୋଇ ତାହାଠାରୁ କାଢ଼ି କିଏ ନିଏ ।୨୨୮।
ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ । ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ୨୨୯।
ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା । ସହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ।୨୩୦।
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ । ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ।୨୩୧।
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି । ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି ।୨୩୨।
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ । ନାସିକାରୁ କାଢ଼ିଲେ ଯେ ମୁକୁତା ବସଣୀ ।୨୩୩।
କର୍ଣ୍ଣଦ୍ୱୟରୁ କାଢିଲେ ହୀରାର କୁଣ୍ଡଳ । ଗଳାରୁ କାଢ଼ିଲେ ଯେ ଦୋଷରୀ ଚିନାମାଳ ।୨୩୪।
ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୁପୂର । ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ତ୍ୱର ।୨୩୫।
ଅନ୍ୟ ଅଳଙ୍କାରମାନ କି କହିବି ଆଉ । ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ।୨୩୬।
ସବୁ ଅଳଙ୍କାରମାନ ଏକଠାବ କଲେ । ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ ।୨୩୭।
ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ । ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁଁ ।୨୩୮।
ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ । ଛ' ମାସକୁ ଭାତ ଲୁଗା ଲେଖିଣ ଦିଅଇ ।୨୩୯।
ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ । ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ ।୨୪୦।
ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁଁ । ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ।୨୪୧।
ମୋର ତୁଲେ ଆଉ ଯେଉଁ ଭାରିଜା ଆଣିବ । ଏହିସବୁ ଅଳଙ୍କାର ତାହାଙ୍କୁ ଯେ ଦେବ ।୨୪୨।
ମୁହିଁଁ ଯାଉଅଛି ହୀନ ଅରକ୍ଷିତ ହୋଇ । ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ।୨୪୩।
ସତେ ଯଦି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ । ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।୨୪୪।
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ । ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ।୨୪୫।
ମୁହିଁଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ । ଭୋଜନ କରିବ ତେବେ କାଳୀୟ ଗଞ୍ଜନ ।୨୪୬।
ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ । ଦେଉଳୁ ବାହାର ହୋଇ କେତେଦୂର ଗଲେ ।୨୪୭।
ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି । ଦାସୀଙ୍କୁ ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ।୨୪୮।
ମୁହିଁଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ । ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ।୨୪୯।
ଏହି ପରି ହୋଇ ଯେବେ ପିତାଘର ଯିବି । ଚାରିଦିନ ମାତ୍ର ତହିଁଁ ରହି ନ ପାରିବି ।୨୫୦।
ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ । ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ।୨୫୧।
ଶାପ ଦେବା ଫଳ ମୋର ହେବ ଅକାରଣ । ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ।୨୫୨।
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ । ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ ।୨୫୩।
ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲା । ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲା ।୨୫୪।
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ । ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁଁ ।୨୫୫।
ଚଣ୍ଡାଳୁଣୀ କହି ପ୍ରଭୁ ଦେଲେ ଘଉଡ଼ାଇ । ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ ।୨୫୬।
ଆଜ୍ଞାମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ । ତିନି କୋଶ ପ୍ରମାଣେ ଉଆସ ତୋଳାଇଲେ ।୨୫୭।
ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ । ହୀରା ନୀଳା ମାଣିକ୍ୟାଦି ତହିଁଁ ଖଞ୍ଜାଇଲେ ।୨୫୮।
ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ । ପ୍ରବାଳର ସ୍ତମ୍ଭମାନ ତହିଁଁରେ ରଚିଲେ ।୨୫୯।
ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ । ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ ।୨୬୦।
ବୈକୁଣ୍ଠ ପୁରକୁ ବିଶ୍ୱକର୍ମା ଚଳିଗଲେ । ଅଷ୍ଟ ବେତାଳକୁ ଡାକି ଦେବୀ ଆଜ୍ଞା ଦେଲେ ।୨୬୧।
ଅଷ୍ଟ ବେତାଳରେ ତୁମ୍ଭେ ଏମନ୍ତ କରିବ । ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ ।୨୬୨।
ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତହିଁଁ । ତେର ପୌଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ।୨୬୩।
ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ । ଆମ୍ବିଳ ଖାଇବ ଖଣ୍ଡ ଶାକର ମିଶାଇ ।୨୬୪।
ଅମୃତ ମଣୋହିମାନ ଭୋଜନ କରିବ । ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ ।୨୬୫।
ତହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ । ବାଉନ କୋଟି ଭଣ୍ଡାର ବୋହିଣ ଆଣିବ ।୨୬୬।
କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ । ସବୁ ବୋହି ଆଣି ମୋର ପାଶେ ସମର୍ପିବ ।୨୬୭।
ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁଁ । କେମନ୍ତ କରିଣ ତହୁଁ ଆଣିବୁ ବୁହାଇ ।୨୬୮।
ଜଗନ୍ନାଥ ମହାପ୍ରଭୁ ତହିଁଁ ଚାହିଁଁ ଥିବେ । ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ।୨୬୯।
ଶୁଣି କମଳିନୀ ନିଦ୍ରାବତୀକି ରାଇଲେ । ବହନ ମୋ ବୋଲକର ବୋଲିଣ ବୋଇଲେ ।୨୭୦।
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ । କାଲି ବେଳ ଦୁଇ ଘଡ଼ିଯାଏ ନ ଛାଡ଼ିବୁ ।୨୭୧।
ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ । ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ।୨୭୨।
ପାକଶାଳାରେ ବେତାଳ ପ୍ରବେଶ ହୋଇଲେ । ତହିଁଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ ।୨୭୩।
ହାଣ୍ଡିମାନ ସବୁ ଏକ ସ୍ଥାନେ କଚାଡ଼ିଲେ । ଭଣ୍ଡାର ଘରରେ ଅଷ୍ଟ ବେତାଳ ପଶିଲେ ।୨୭୪।
ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁଁ । ବାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ।୨୭୫।
ରାତ୍ର ଷୋଳ ଘଡ଼ିଯାକ ବେତାଳ ଯେ ତହିଁଁ । କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି ।୨୭୬।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ । ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ।୨୭୭।
ପ୍ରଶଂସା କରିଣ ମାଏ ବଚନ ଯେ କହି । ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ ନାହିଁଁ ।୨୭୮।
ପାଞ୍ଚ ଲକ୍ଷ ମୂଲ୍ୟ ସେହି ଖଟ ତ ଅଟଇ । ଯାଅରେ ବେତାଳ ସେହି ଖଟ ଆଣ ବୋହି ।୨୭୯।
ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ । ରତ୍ନ ଖଟ ବିକିକରି ଦିନ ଚଳାଇବେ ।୨୮୦।
ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ । ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ।୨୮୧।
ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର । କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ।୨୮୨।
ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁଁ । ରତ୍ନ ଖଟେ ଶୋଇଛନ୍ତି ଦୁଇଗୋଟି ଭାଇ ।୨୮୩।
କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ । ପୁଣି ତହିଁଁ ଶୋଇଛନ୍ତି କାଳୀୟ ଗଞ୍ଜନ ।୨୮୪।
ସାତଗୋଟି ପର୍ବତରୁ ଅଟଇ ଯେ ଗରୁ । ନାମ ବହି ଅଛନ୍ତି ଅଚଳ ମହାମେରୁ ।୨୮୫।
ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ । ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ।୨୮୬।
ରମକୃଷ୍ଣ ଦୁହିଁଁଙ୍କୁ ଯେ ଗଡ଼ାଇଣ ଦେବ । ଶୋଇବାର ରତ୍ନ ଖଟ ବୋହିଣ ଆଣିବ ।୨୮୭।
ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ । ରତ୍ନଖଟ ପାଶେ ଦଉଡ଼ିଆ ଖଟ ଦେଲେ ।୨୮୮।
ବଳରାମଙ୍କୁ ପ୍ରଥମେ ଧଇଲେକ ଯାଇ । ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ।୨୮୯।
ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ । ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ ।୨୯୦।
ଶୋଇବାର ରତ୍ନଖଟ ଆଣିଲେକ ବୋହି । ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ ।୨୯୧।
ବଳରାମ ପିନ୍ଧିବାର ପାଟ ବୋହି ନେଲେ । ଜଗନ୍ନାଥ ପିନ୍ଧିବାର ନେତ ଘେନିଗଲେ ।୨୯୨।
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ । ଅଷ୍ଟ ବେତାଳକୁ ବର ଯାଚିଣ ଯେ ଦେଲେ ।୨୯୩।
ଆରେ ଅଷ୍ଟ ବେତାଳରେ ଏମନ୍ତ କରିବ । ବୈକୁଣ୍ଠ ପୁରରେ ଯାଇ ସୁଖରେ ରହିବ ।୨୯୪।
ଆଜ୍ଞା ପାଇଣ ବେତାଳଗଣ ବେଗେ ଗଲେ । ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ।୨୯୫।
ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ । ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ ।୨୯୬।
ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ । ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ ।୨୯୭।
ସର୍ବଦ୍ୱାରେ ଜଗନ୍ନାଥ ବୁଲିବେଟି ଯାଇଁ । ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ।୨୯୮।
ଅନ୍ନ ପାଣି କେହି ତାଙ୍କୁ କିଛି ହିଁଁ ନ ଦେବେ । ଏତେ ଦୁଃଖ ପାଇଲେ ସେ ମୋତେ ସୁମରିବେ ।୨୯୯।
ଆରାମ ଦାୟିନୀ ରାତ୍ର ସୁଖରେ ପାହିଲା । ଦିନ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା ।୩୦୦।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଗହଳ ଚହଳ ଆଜି କିଛି ଶୁଭୁନାହିଁଁ ।୩୦୧।
ମୁଦିରଥ ପଣ୍ଡାର ତ ତୁଣ୍ଡ ଶୁଭୁନାହିଁଁ । ଦାସୀ ପରିବାରୀ ଯେ ପରିଛା ଗଲେ କାହିଁଁ ।୩୦୨।
ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ । କି ବୁଦ୍ଧି କରିବା ଏବେ କହରେ କହ୍ନାଇ ।୩୦୩।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ । ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ ।୩୦୪।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁହି ।୩୦୫।
କାହାର ଭାରିଜା ଯେବେ ଋଷି ହଜିଯାଏ । ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ ।୩୦୬।
ଭଣ୍ଡାର ଘରକୁ ବିଜେ କଲେ ଦୁଇଭାଇ । ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁଁ ।୩୦୭।
ବଳରାମ କହୁଛନ୍ତି କାହିଁଁ କିସ ହେଲା । ବାଉନ କୋଟି ଭଣ୍ଡାର କେ ଘେନିଣ ଗଲା ।୩୦୮।
ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ । କ୍ଷଣକ ଭିତରେ କିଏ ଘେନିଗଲା ବୋହି ।୩୦୯।
ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ । ସାତ ଗୋଟି ଗଣ୍ଠିଦେଇ କାନିରେ ବାନ୍ଧିଲେ ।୩୧୦।
ଜଗନ୍ନାଥ କହନ୍ତି ଯେ ପାଇଲକି ଭାଇ । ବଳରାମ କହୁଛନ୍ତି ଧନ ପାଇଲଇଁ ।୩୧୧।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ । ବେଙ୍ଗି ପିତ୍ତଳ ଖଣ୍ଡିକ ରଖ କାହିଁଁ ପାଇଁ ।୩୧୨।
ବଳରାମ କହୁଛନ୍ତି କି କଥା ଘଟିଲା । ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତ୍ତଳ ହୋଇଲା ।୩୧୩।
ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା । ଭାଗ୍ୟକୁ କାଣି କଉଡ଼ି ସମାନ ନୋହିଲା ।୩୧୪।
ସେଠାରୁ ବାହାରି ଗଲେ ଦୁଇଗୋଟି ଭାଇ । ପାକଶାଳ ଦୁଆରେ ଯେ ପ୍ରବେଶିଲେ ଯାଇ ।୩୧୫।
ବଳରାମ ଠିଆହେଲେ ଦୁଆର ମୁହଁକୁ । ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ ।୩୧୬।
ଦେହରେ ଲାଗିଲା କଳା ମୁହଁରେ ଲାଗିଲା । କଳା ଶ୍ରୀମୁଖ ଗୋଟିକ ଝଟକି ଦିଶିଲା ।୩୧୭।
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ । ବଡ଼ ଖିଆ ବୋଲି ତୋତେ କହନ୍ତି ଜଗତ ।୩୧୮।
ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି । ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ।୩୧୯।
ଅନ୍ନ କାହିଁଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁଁ । ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ ।୩୨୦।
ଦେଖିଲେ ଅଗାଡ଼ି ତହିଁଁ ଗୋଟିଏ ଯେ ନାହିଁଁ । ତହୁଁ ଗଲେ ଦୁଇଭାଇ ନିରାଶ ଯେ ହୋଇ ।୩୨୧।
ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ । ଟୋପାଏ ସୁଦ୍ଧା ଯେ ପାଣି ତହିଁଁ ନ ଦେଖିଲେ ।୩୨୨।
ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ । ସେହିଦିନ ଉପବାସ କରିଣ ରହିଲେ ।୩୨୩।
ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା । ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା ।୩୨୪।
କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁଁ । ବଳରାମ କହୁଛନ୍ତି ଶୁଣରେ କହ୍ନାଇ ।୩୨୫।
କାଲି ଉପବାସରେ ରହିଲେ ଦୁଇ ଭାଇ । ଆଉ ପାଦେ ଯିବାକୁ ତ ବଳ ପାଉନାହିଁଁ ।୩୨୬।
କେଉଁଠାରେ ଆଜି ଯଦି ନ ମିଳିବ ଅନ୍ନ । କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ।୩୨୭।
ବଳରାମ କହୁଛନ୍ତି ଶୁଣ ଆରେ ବାବା । ନଗରରେ ଭିକ୍ଷା ମାଗି ଜୀବନ ପୋଷିବା ।୩୨୮।
କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା । ହସ୍ତରେ ଧଇଲେ ଦୁଇଭାଇ ଭଙ୍ଗାଛତା ।୩୨୯।
ଚିତା ଘେନିବାକୁ ଜଳ କାହିଁଁ ନ ପାଆନ୍ତି । ଯାହା ଘରଠାକୁ ପାଣି ମାଗିବାକୁ ଯା'ନ୍ତି ।୩୩୦।
ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦ୍ୟନ୍ତି । ସେ ଠାବରୁ ଦୁଇ ଭାଇ ଭୟେ ପଳାଅନ୍ତି ।୩୩୧।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ । ବଡ଼ପଣ୍ଡା ଘରକୁ ହେ ଚାଲ ଏବେ ଯାଇ ।୩୩୨।
ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ । ବଡ଼ପଣ୍ଡା ଘରେ ଯାଇ ପ୍ରବେଶ ହୋଇଲେ ।୩୩୩।
ବଧୁ ତାର କହଇ ଯେ ଶାଶୁ ଆଗେ ଯାଇ । ବ୍ରହ୍ମଣ ଯେ ଦୁଇଗୋଟି ଆସିଛନ୍ତି ଧାଇଁ ।୩୩୪।
ଶାଶୁ ରାଣ୍ଡି ତାହାଙ୍କୁ ଯେ ଚିହ୍ନି ନ ପାରିଲା । ଧାଇଁ ଯାଇ ବେଗେ ତାଙ୍କୁ କବାଟ କିଳିଲା ।୩୩୫।
ଆସ ଆସ ବୋହୁଏ ଲୋ ଠେଙ୍ଗା ବାଡ଼ି ଧରି । ଚୋର କି ଖଣ୍ଟ ଏ ଦୁହେଁ ଦେବା ଆଡ଼କରି ।୩୩୬।
ଏହା ଶୁଣି ଦୁଇ ଭାଇ ତହୁଁ ପଳାଇଲେ । ସାମବେଦ ଯଜୁରବେଦ ଦୂରେ ଉଚ୍ଚାରିଲେ ।୩୩୭।
ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ । ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ।୩୩୮।
ଦୁଇ ଭାଇଙ୍କୁ ସେ ଡାକି ତହିଁଁ ବସାଇଲା । ଖୁଦ ମଳୁଖ ମିଶାଇ ସତ୍ୱର ରାନ୍ଧିଲା ।୩୩୯।
ଅଫିଟା କଦଳୀମଞ୍ଜ ଦୁଇଖଣ୍ଡ ଆଣି । ବେନି ଭାଇ ପକାଇଣ ସିଞ୍ଚିଲେକ ପାଣି ।୩୪୦।
କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା । ଆଉ କି ବାଢ଼ିବ ତାର ହାଣ୍ଡି ଉଭା ହେଲା ।୩୪୧।
ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲିଣ ଯାଣିଲା । ପାକଶାଳାରୁ ଲେଉଟି ପାଶରେ ମିଳିଲା ।୩୪୨।
ଦୁଇଗୋଟି ଭାଇଙ୍କର ହସ୍ତକୁ ଧଇଲା । କଟୁ କଥା କହି ତାଙ୍କୁ ଦାଣ୍ଡରେ ଛାଡ଼ିଲା ।୩୪୩।
ତହୁଁ ଦୁଇଜଣ ଯେ ନିରାଶ ହୋଇଗଲେ । କବୀର ସାହିରେ ଯାଇ ପ୍ରବେଶ ହୋଇଲେ ।୩୪୪।
କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବୀର ଜାଣିଲେ । ଖଇ ଚାରି ପାଞ୍ଚ ମାଣ ଆଣି ବେଗେ ଦେଲେ ।୩୪୫।
ଅନ୍ତର୍ଗତେ ଜାଣିଲେ ଯା ଦେବୀ କମଳିନୀ । ପବନକୁ ଡାକି ଆଜ୍ଞା ଦେଲେ ସେହିକ୍ଷଣି ।୩୪୬।
ଆରେ ପବନ ତୁହି ତ ବେଗେ ଚଳିଯିବୁ । ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ଦେବୁ ।୩୪୭।
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା । ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା ।୩୪୮।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ପ୍ରାଣ ଗଲାବେଳେ ଜାତି କୂଳ ଲୋଡ଼ୁ କାହିଁଁ ।୩୪୯।
ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ । ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁଁ ।୩୫୦।
ଫଳ ପୁଷ୍ପ କରି ତହୁଁ ଗୁଡ଼ାଏ ଆଣିବା । ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା ।୩୫୧।
ଏମନ୍ତ ବିଚାର କରି ଦୁଇ ଭାଇ ଗଲେ । ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ।୩୫୨।
ପଦ୍ମ ପୋଖରୀରେ ସାତ ତାଳ ପାଣି ଥିଲା । ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ।୩୫୩।
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା । ଜଳ ନାହିଁଁ ଫଳ ଏଥି କାହୁଁ ବା ପାଇବା ।୩୫୪।
ଏହା କହି ଦୁଇଜଣ ତହୁଁ ଚଳିଗଲେ । ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ।୩୫୫।
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ । ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ ।୩୫୬।
ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁଁ । ଲକ୍ଷ୍ମୀ ଦ୍ରୋହି ହୋଇଅଛ ତୁମ୍ଭେ ଦୁଇ ଭାଇ ।୩୫୭।
ଦୁଧ ଅନ୍ନରେ ଯେ ମୋର ଥାଳ ପୁରିଥିଲା । ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା ।୩୫୮।
ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁଁ । ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ।୩୫୯।
ମୁହିଁଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ । ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ ।୩୬୦।
ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ । ଯିବା ବୋଲି ଦୁଇ ଭାଇ କମର ବାନ୍ଧିଲେ ।୩୬୧।
ହଟି କମଳିନୀ ତହୁଁ ହଟ ଭିଆଇଲେ । ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ ।୩୬୨।
ଅତିଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ । ବାଲି ମାଟି ତାତୁ ବେଗେ ଡହ ଡହ ହୋଇ ।୩୬୩।
ତାତିବ ଖରାରେ ଯେହ୍ନେ ଭାଜିବାର ବାଲି । ପାଦେ ମାତ୍ର କେହି ତହିଁଁ ନ ପାରିବେ ଚାଲି ।୩୬୪।
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ । ଏଡ଼େ ବଡ଼ ଖରାରେ ମୁଁ ଚାଲି ନ ପାରଇ ।୩୬୫।
ବେଗ ବେଗ ହୋଇ ତୁମ୍ଭେ ଯାଉଅଛ ଧାଇଁ । ବୁଦ୍ଧି ଦିଶୁନାହିଁଁ ଏବେ କିସ କରିବଇଁ ।୩୬୬।
ଶୁଣି ନ ଶୁଣିଲା ପରି ବଳରାମ ଗଲେ । କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ ।୩୬୭।
ସିଂହଦ୍ୱାରେ ପ୍ରବେଶିଣ ଡାକିଲେକ ତହୁଁ । ଡାକ ଶୁଣି ଦାସୀମାନେ ଅଇଲେକ ତହୁଁ ।୩୬୮।
କେଉଁ ଦାସୀ କହୁଅଛି ଶୁଣ ଆଗୋ ସହି । ଏପରି କାଙ୍ଗାଳ ମୁଁ ଯେ କାହିଁଁ ଦେଖିନାହିଁଁ ।୩୬୯।
ଏହିପରି ମୋଟା ହୋଇ ଗୋଟାଏକ ଥିଲା । ଆମ୍ଭ ଠାକୁରାଣୀଙ୍କୁ ଯେ ଘରୁ ତଡ଼ିଦେଲା ।୩୭୦।
ଏହି ରୂପେ ଦାସୀମାନେ କୁହାକୁହି ହେଲେ । ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ ।୩୭୧।
ବଳରାମ ପ୍ରଭୁ ତହିଁଁ ଲେଉଟି ଅଇଲେ । ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ।୩୭୨।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ ।୩୭୩।
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା । କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ।୩୭୪।
ଆଉଥରେ ଚାଲ ବେନି ଭାଇ ଫେରିଯିବା । ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ।୩୭୫।
ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ । ଆଗରେ ଥାଇଣ ଅନ୍ନ ତୁହି ଯେ ମାଗିବୁ ।୩୭୬।
ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେକଲେ । ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ ।୩୭୭।
ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ । ଓଁକାର ଶବଦ କରି ବେଦଧ୍ୱନି କଲେ ।୩୭୮।
ଋକ୍, ସାମ, ଯଜୁଃ ଯେ ଅଥର୍ବ ଚାରି ବେଦ । ବ୍ରହ୍ମାଣ୍ଡ ପୁରିଉଠିଲା ଗହଗହ ନାଦ ।୩୭୯।
ପଲଙ୍କ ଉପରେ କମଳା ଯେ ଶୋଇଥିଲେ । ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ।୩୮୦।
କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ । ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ ।୩୮୧।
ପଚାର ପଚାର ଦାସୀ ପଚାର ଲୋ ଯାଇ । କିସ ମାଗୁଛନ୍ତି ଯେ ବ୍ରାହ୍ମଣ ବେନିଭାଇ ।୩୮୨।
ଚାଲିଯାଇ ମୁଦୁ୍ସୁଲି ତାଙ୍କୁ ପଚାରିଲେ । କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ ।୩୮୩।
ଜଗନ୍ନାଥ କହୁଛନ୍ତି ଦାସୀମୁଖ ଚାହିଁଁ । ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବକି ଦେଇ ।୩୮୪।
ଏମନ୍ତ ଶୁଣିଣ ଦାସୀମାନେ ଚଳିଗଲେ । ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ ।୩୮୫।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି । ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ ।୩୮୬।
ଏ କଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁଁ । ଏବେ ଦାସୀମାନେ ଲୋ ପଚାର ବେଗେ ଯାଇ ।୩୮୭।
ବ୍ରାହ୍ମଣ ହୋଇ ମୋ ଘରେ କି ଖାଇବେ । ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ ।୩୮୮।
ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ । ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରେ ଦେବଇଁ ।୩୮୯।
ଠାକୁରାଣୀ ସମୀପରୁ ଦାସୀମାନେ ଗଲେ । ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ ।୩୯୦।
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି । କ୍ଷୁଧାତୁର ହୋଇ କହନ୍ତି ହଳପାଣି ।୩୯୧।
ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ । ଏମନ୍ତ ବୋଇଲେ ଆମ୍ଭେମାନେ ଯେ ଖାଇବୁ ।୩୯୨।
ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ । ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ ।୩୯୩।
ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ । ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ ।୩୯୪।
ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ । ଲେଉଟିଆ ଶାଗ ନେଇ ଛାମୁରେ ରଖିଲେ ।୩୯୫।
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ । ଦୁଧ ଦହି ଛେନା ଶର୍କରା ଯେ ଦେଲେ ପୁଣ ।୩୯୬।
ଏବେ ଯେତେ ଇଚ୍ଛା ତେତେ ଭୁଞ୍ଜ ହୋ ବୋଇଲେ । ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ ।୩୯୭।
ରାନ୍ଧଣା ଭୁଞ୍ଜିବେ ଯଦି ହାତେ ଦୁଇ ଭାଇ । ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କିମ୍ପାଇଁ ।୩୯୮।
ଲକ୍ଷ୍ମୀଦେବୀ କାଷ୍ଠ ଖଣ୍ଡେ ହାତରେ ଧରିଲେ । ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ ।୩୯୯।
କଦାପି ଅଗ୍ନି ଦେବତା ତେଜ ନ ହୋଇବ । ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ ।୪୦୦।
ଯେତେ କାଠ ଜଳୁଥିବା ଭଷ୍ମ ହୋଇଯିବ । କୁହୁଳି କରିଣ ତହୁଁ ଧୁଆଁ ହେଉଥିବ ।୪୦୧।
ଏମନ୍ତ ବୋଲିଣ କମଳା ଯେ ଆଜ୍ଞା ଦେଲେ । ସେହି ପ୍ରକାରେଣ ଅଗ୍ନି ଦେବତା ଯେ କଲେ ।୪୦୨।
ସବୁ କାଠଯାକ ତହିଁଁ ଅଙ୍ଗାର ଯେ ହେଲା । ତେବେ ସୁଦ୍ଧା କିଞ୍ଚିତେ ଯେ ପାଣି ନ ତାତିଲା ।୪୦୩।
ହଟି କମଳିନୀ ହଟ ଭିଆଇଲେ ଯେଣୁ । ହାଣ୍ଡିତଳେ କଳା ଟିକେ ନ ପଡ଼ିଲା ତେଣୁ ।୪୦୪।
ସୁଗନ୍ଧ ତଇଳ ଦେବୀ ଦେଲେ ପଠିଆଇ । ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଯାଇ ।୪୦୫।
ପାକସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ । ତଇଳ ଲଗାଇ ସ୍ନାନ କର ବେଗେ ଯାଇ ।୪୦୬।
ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା । କି ପାକ କରିବୁ ବେଳ ଉଛୁର ହୋଇଲା ।୪୦୭।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଅନ୍ନ ହୋଇଲାକି ନାହିଁଁ କହ ବେଗେ ତୁହି ।୪୦୮।
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ । ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁଁ ।୪୦୯।
ବଳରାମ କହୁଛନ୍ତିରେ ଅଧୁଆ ମୁହାଁ । ରାନ୍ଧି ନ ଜାଣି ହୋଇଅଛୁ ରାନ୍ଧୁଣିଆ ।୪୧୦।
ତୁହି ଆଡ଼ ହୁଅ ମୁହିଁଁ ରାନ୍ଧୁଅଛି ଯାଇଁ । ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ ।୪୧୧।
ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ । କାଠ ଖଣ୍ଡେ ଘେନିଣ ଯେ ହାଣ୍ଡି ପିଟିଦେଲେ ।୪୧୨।
କ୍ଷୁଧାତୁର ଦୁଇଭାଇ ଆକୁଳ ହୋଇଲେ । କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ।୪୧୩।
ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁଁ । କ୍ଷୁଧାରେ ଆତୁର ହେଉଅଛି ମୋର ଦେହୀ ।୪୧୪।
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ । ଜାତି ପଛେ ଯାଉ ତାର ଘରେ ଖାଉ ଭାତ ।୪୧୫।
ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ । ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ।୪୧୬।
ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ । ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ।୪୧୭।
ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ । କେତେ ଦୁଃଖ ଦୀନବନ୍ଧୁ ଦୁହେଁ ଯେ ପାଇଲେ ।୪୧୮।
ସୁବର୍ଣ୍ଣର ଚଟୁ ଗୋଟି ହାତରେ ଧଇଲେ । ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ ।୪୧୯।
ପ୍ରଥମେ ରାନ୍ଧିଲେ ମାଏ ବଗଡ଼ା ଯେ ଅନ୍ନ । ମୁଗ ମଧୁରୁଚି କ୍ଷୀର ନାନାଦି ବ୍ୟଞ୍ଜନ ।୪୨୦।
ଆମ୍ବିଳ ଶାକର କଲେ କଦଳୀର ଭଜା । ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ।୪୨୧।
ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ । ବଗଡ଼ା ଭାତ ମହିମା କଳନା ନ ଯାଇ ।୪୨୨।
ଦୁଧପୁଳି କଲେ ମାତ ଘୃତପୁଳି କଲେ । ଅତି ଯତନରେ ମାଏ ସରପୁଳି କଲେ ।୪୨୩।
ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କ ରୁଚି । ବଡ଼ିର ମହୁର କଲେ ପକାଇଣ ସାଚି ।୪୨୪।
ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ । ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ ।୪୨୫।
କର୍ପୂର ଛେନା ଶର୍କରା ମରିଚ ଗୋଳାଇ । ଷାଠିଏ ନଉତି ପଣା ରଖିଲେ ତ ତହିଁଁ ।୪୨୬।
ରଙ୍ଗବାଣ ପଇଡ଼ ସଙ୍ଗରେ ଛେନାପଣା । ଅଦା ମିଶା କରି ଯେ ନବାତ ଖଣ୍ଡଛେନା ।୪୨୭।
ଲକ୍ଷ୍ମୀଙ୍କର ପାକଗୁଣ କେ କହି ପାରିବ । କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ।୪୨୮।
ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ । ଭୋଜନ ଶେଷକୁ ପୋଡ଼ପିଠାଏ ରଖିଲେ ।୪୨୯।
ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ । ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ।୪୩୦।
ବ୍ରାହ୍ମଣମାନଙ୍କ ମୁହିଁଁ ଅଟେ ନିଜ ଦାସୀ । ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ ।୪୩୧।
ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ । ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ।୪୩୨।
ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ । ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ ।୪୩୩।
ପିତାମ୍ବର ପାଟ ଆଣି ପିନ୍ଧିବାକୁ ଦେଲେ । ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ ।୪୩୪।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ ।୪୩୫।
ଏହା ଘରେ ପୁରୁଷ ତ ଜଣେ ଦିଶୁନାହିଁଁ । ଶୂଳି ଦେବା ପ୍ରାୟେ ଏହି ବିଚାର ଦିଶଇ ।୪୩୬।
ଚାଲ ଏବେ ପଳାଇଣ ଏହିଠାରୁ ଯିବା । କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା ।୪୩୭।
ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ । ଏ ଘରର କର୍ତ୍ତା ଆଜି ହୋଇବେ ଆପଣ ।୪୩୮।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଏମନ୍ତ କହିବା ତୋର ଉଚିତ ନୁହଇଁ ।୪୩୯।
ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ । ଗନ୍ଧ ଚନ୍ଦନ ଯେ ମାଏ ଛଡ଼ା ପକାଇଲେ ।୪୪୦।
ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନାଝରି । ହାତଧୂଆ ପାଦଧୂଆ ସୁସଜ୍ଜିତ କରି ।୪୪୧।
ମଣୋହି କରିବା ବିଧି ଯେମନ୍ତ ଭିଆଣ । ସୁବର୍ଣ୍ଣର ପୀଠ ତହିଁଁ କଲେକ ନିର୍ମାଣ ।୪୪୨।
ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁଁ । ବେଗ କରି ପ୍ରଭୁଙ୍କୁ ଲୋ ଘେନିଆସ ଯାଇ ।୪୪୩।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ । ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ ।୪୪୪।
ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ । ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ।୪୪୫।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ନାରୀଏ ଜଣେ ପୁରୁଷ କେହି ଏଥି ନାହିଁଁ ।୪୪୬।
ଭିତରକୁ ଯିବା ଆମ୍ଭ ଉଚିତ ନୁହଁଇ ପତ୍ର ଦୁଇଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ ।୪୪୭।
ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ । ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ ।୪୪୮।
କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ । ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇ ।୪୪୯।
ଭୟେ ବଳରାମ ସେ ଠାବରୁ ନ ଉଠନ୍ତି । ହସ୍ତ ଧରି ଘେନିଗଲେ କମଳାଙ୍କ ପତି ।୪୫୦।
ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି । ହସ୍ତ ଧରି ବସାଇଲେ ଦେବ ଶିରୀପତି ।୪୫୧।
କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ । ଦେଢ଼ଶୂର ଅଟନ୍ତି ଯେ ମୋର ହଳପାଣି ।୪୫୨।
ତାହାଙ୍କୁ କେମନ୍ତେ ଅନ୍ନ ମୁହିଁଁ ଦେବି ନେଇ । ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ ।୪୫୩।
ସାନ କିଏ ବୋଲି ଆଗ ପଚାରିବୁ ଯାଇ । ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ ।୪୫୪।
ଅନ୍ନଥାଳି ନେଇ ଆଗ ବ୍ରାହ୍ମଣୀ ଅଇଲା । ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା ।୪୫୫।
ବଳରାମ ବୋଲୁଛନ୍ତି ହୋଇଲୁକି କାଣୀ । ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି ।୪୫୬।
ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି । ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ ।୪୫୭।
ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା । ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା ।୪୫୮।
ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ । ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ ।୪୫୯।
ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା । ଏ ପଣ୍ଡାର ଅନ୍ନଯାକ କିଏ ଘେନିଗଲା ।୪୬୦।
ବଳରାମ ବୋଇଲେ କ୍ଷୁଧାର୍ତ୍ତ ହୋଇଥିଲୁ । ଆଗ କରି ଚାରି ଗ୍ରାସ ବେଗେ ଖାଇଦେଲୁ ।୪୬୧।
ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇ । କୁଟୁମ୍ଭ ମାରିବା ପ୍ରାୟ ଦିଶୁଛ ଗୋସାଇଁ ।୪୬୨।
ପୁତ୍ର ଭାରିଜାକି ତୁମ୍ଭ ଦୁହିଙ୍କର ନାହିଁଁ । ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ।୪୬୩।
ସହସ୍ର କାନ୍ଧି କଦଳୀ ରଖିଦେଲେ ନେଇ । ଷାଠିଏ ନଉତି ପଣା ରଖିଦେଲେ ଥୋଇ ।୪୬୪।
ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ । ସେହିପରି କମଳିନୀ ଦିଅନ୍ତି ପଠାଇ ।୪୬୫।
ଭୋଜନ ଶେଷକୁ ଯେ କହନ୍ତି ବଳରାମ । ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ।୪୬୬।
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ । ଲକ୍ଷ୍ମୀପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ ।୪୬୭।
ଲକ୍ଷ୍ମୀଙ୍କୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ । ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଯହିଁଁ ।୪୬୮।
ଏମନ୍ତ ସମୟେ ପୋଡ଼ପିଠା ଦେଲେ ନେଇ । ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ।୪୬୯।
ମୋର ମନ କଥାକୁ ଯେ ଲକ୍ଷ୍ମୀ ଜାଣିଥାଇ । ଭୋଜନ ଶେଷକୁ ପୋଡ଼ପିଠାଏ ଦିଅଇ ।୪୭୦।
ଭୋଜନ ସାରିଣ ପ୍ରଭୁ ଆଚମନ କଲେ । କର୍ପୁର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ ।୪୭୧।
ବାହାର ମେଲାରେ ପ୍ରଭୁ ବିଜେକଲେ ଯାଇଁ । ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ।୪୭୨।
ପଚାର ପଚାର ଦାସୀ ପଚାରଲୋ ଯାଇ । ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ।୪୭୩।
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ । ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ।୪୭୪।
ପୁତ୍ର ଭାର୍ଯ୍ୟା ଅଛନ୍ତି କି କାହିଁଁ ତୁମ୍ଭ ଘର । କେଉଁ ରାଜ୍ୟେ ବାଡ଼ି ବୃତ୍ତି ଶାସନ ତୁମ୍ଭର ।୪୭୫।
ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି । ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁଁ ।୪୭୬।
ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁଁ । ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ ।୪୭୭।
କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ । ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ ।୪୭୮।
ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ । ନାରୀକି ଛାଡ଼ି ପୁରୁଷ ଦରିଦ୍ର କି ହୋଇ ।୪୭୯।
ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ । କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ ।୪୮୦।
କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ । କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ ।୪୮୧।
କେଉଁ ନାରୀ ଥିଲେ ସୁନା ବଳା ଯେ ମିଳଇ । କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ ।୪୮୨।
ତୁମ୍ଭ ସାଆନ୍ତାଣୀଙ୍କୁ ଯେ ପଚାର ବୋଲଇ । ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ ।୪୮୩।
କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ । ଆମ୍ଭ ସାଆନ୍ତାଣିଙ୍କୁ ଯେ ପଚାର ବୋଇଲ ।୪୮୪।
ବଳରାମ ବୋଇଲେ ଏ ମୋର ପିଲା ଭାଇ । ତୁମ୍ଭ ସାଆନ୍ତାଣୀ ଆଗେ ଜଣାଇବ ନାହିଁଁ ।୪୮୫।
ଜଗନ୍ନାଥ କହୁଛନ୍ତି ଭୟ କାହିଁଁପାଇଁ । କିଛି ନ ବିଚାର ଆହେ ବଳରାମ ଭାଇ ।୪୮୬।
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି । ଏଠାରେ ଆପଣ ଭୟ କର କିସ ପାଇଁ ।୪୮୭।
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର । ତୁମ୍ଭେ ଯାଇଁ ହସ୍ତଧରି ମହାଲକ୍ଷ୍ମୀଙ୍କର ।୪୮୮।
ଆମ୍ଭ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ । ଯହିଁଁ ଇଚ୍ଛା ତହିଁଁ ରହ ଆମ୍ଭ ମନା ନାହିଁଁ ।୪୮୯।
ଯେତେବେଳେ ବଳରାମ ଏମନ୍ତ କହିଲେ । ଭିତର ପୁରକୁ ପ୍ରଭୁ ନିଜେ ବିଜେ କଲେ ।୪୯୦।
ଧୀରେ ଧୀରେ ଭିତରକୁ ଗଲେ ପୀତବାସ । ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ ।୪୯୧।
ପାଣିଝରି ଘେନିକରି କମଳା ଅଇଲେ । ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଁଲେ ।୪୯୨।
ଅତି ଯତନରେ ଦେଲେ ପାଦପଦ୍ମ ଧୋଇ । ଥୋପାଏ ପାଦ ଉଦକ ମସ୍ତକେ ଲଗାଇ ।୪୯୩।
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ । ପଞ୍ଚବର୍ଣ୍ଣ ପୁଷ୍ପେ ପାଦପଦ୍ମ ପୂଜାକଲେ ।୪୯୪।
ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ । ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ ।୪୯୫।
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ । ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ।୪୯୬।
ଧିକ ତୁମ ବଡ଼ପଣ ଧିକ ତୁମ କଥା । ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ।୪୯୭।
ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକାରିଲେ । କାଳୀୟ ଗଞ୍ଜନ ଶୁଣି କିଛି ନ କହିଲେ ।୪୯୮।
ମହାମୟୀ ବୋଇଲେ ହେ ଶୁଣ ମୋ ବଚନ । ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବହନ ।୪୯୯।
କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ । ଏବେ ମନୁ ମାନ ତେଜ ଜଗତର ମାତ ।୫୦୦।
ଅକାରଣେ ଏତେ କଥା କହ ପ୍ରାଣସହି ଆମ୍ଭର ପ୍ରାର୍ଥନା ଆମ୍ଭ ସଙ୍ଗେ ଯିବାପାଇଁ ।୫୦୧।
ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ । ରବି ତଳେ ସବୁ ଯୁଗେ ଯଶ ରଖିଗଲ ।୫୦୨।
ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ । ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ ।୫୦୩।
ତୁମ୍ଭ ଯଶ କିର୍ତ୍ତୀ ଏବେ ଜଗତେ ରହିଲା । ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଣିଲା ।୫୦୪।
ଗୁରୁବାର ଦିନ ଏ ପୁରାଣ ଯେ ଶୁଣିବ । ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ ।୫୦୫।
ଲକ୍ଷ୍ମୀପୂଜା ଦିନ ଏହା ଯେ ନାରୀ ଗାଇବ । ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ ।୫୦୬।
ଯଦ୍ୟପି ନାରୀକୁ କେହି ମୁଖେ ବୁଝାଇବ । ତାହାର ସୁକୃତ ଆଉ କେ କହି ପାରିବ ।୫୦୭।
ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ । ଜଗତ ମାତ କହିଲେ କର ତୁମ୍ଭେ ସତ୍ୟ ।୫୦୮।
ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ । ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।୫୦୯।
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ । ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।୫୧୦।
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ । ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ।୫୧୧।
ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ । ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମ୍ଭର ଯଶ ରହୁ ।୫୧୨।
ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ । ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ ।୫୧୩।
ଲକ୍ଷେ ଚନ୍ଦ୍ର ଉଦିଆଯେ ଛାମୁରେ ଜଳଇ । ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ ।୫୧୪।
ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା । ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା ।୫୧୫।
ବରୁଣ କୁବେର ଯେ ହସ୍ତରେ ବେତ ଧରି । ନୃତ୍ୟ କରୁଥିଲେ ଯହିଁ ସ୍ୱର୍ଗ ଅପସରି ।୫୧୬।
ରମ୍ଭା ଯେ ମେନକା ଆଦି ଆଉ ଚିତ୍ରଲେଖା । ତୁଳସୀ ମାଳତି ଆଉ ଅନ୍ୟାନ୍ୟ ରସିକା ।୫୧୭।
ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା । ନୃତ୍ୟ ଆରମ୍ଭନ୍ତି ତୁଷ୍ଟ ହୋଇ ସେ ଅବଳା ।୫୧୮।
ବଳରାମ କହୁଛନ୍ତି ଶୁଣରେ କହ୍ନାଇ । ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ।୫୧୯।
ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ । ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ ।୫୨୦।
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ । ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ ।୫୨୧।
ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ଦେଉଳକୁ । ଦୁଇ ଭାଇ ବିଜେ କଲେ ବଡ ଦେଉଳକୁ ।୫୨୨।
ଦାସୀ ପରିଚାରି ଆଦିକରି ଯେତେ ଥିଲେ । ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ ।୫୨୩।
ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ । ସଂସାରରେ ସେହି ମତେ କଲେକ ଗୋବିନ୍ଦ ।୫୨୪।
ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା । ଯାହା ପ୍ରସନ୍ନରେ ପ୍ରଭୁ ମାଗିଲେ ଯେ ଭିକ୍ଷା ।୫୨୫।
ଛାର ଚଣ୍ଡାଳୁଣୀ ଅଇଶ୍ୱର୍ଯ୍ୟ ଭୋଗ କଲା । ଲକ୍ଷ୍ମୀଙ୍କର ସୁଦୟାରେ ଏମନ୍ତ ହୋଇଲା ।୫୨୬।
ଏ ପୁରାଣ ପଢ଼ିଲେ ଯେ ସର୍ବ ସିଦ୍ଧି ହୁଏ । ସୂର୍ଯ୍ୟୋଦୟ ସମ ତମ ପାପ କ୍ଷୟ ହୁଏ ।୫୨୭।
ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି । ଲକ୍ଷେ କୋଟି ଗୋଦାନର ଫଳ ଯେ ଲଭନ୍ତି ।୫୨୮।
ଏ ପୁରାଣ ଅଟଇ ଯେ ମୁକତିର ପଥ । ଏହା ଫଳ କଥନରେ କେ ହେବ ସମର୍ଥ ।୫୨୯।
ଲକ୍ଷ୍ମୀଙ୍କ ପୁରାଣ ଏହୁ ସମାପ୍ତ ହୋଇଲା । ଭାବେ ବଳରାମ ଦାସ ଗୀତରେ କହିଲା ।୫୩୦।
॥ ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମାପ୍ତ ॥